ଦେଶ ବିଦେଶ

ୟୁକ୍ରେନ୍‌ ଉପରେ ରୁଷ୍‌ର ପ୍ରଚଣ୍ଡ ଆକ୍ରମଣ: ୧୩ ମୃତ, ବ୍ୟାପକ ଧ୍ବଂସଲୀଳା

କିବ୍‌: ୟୁକ୍ରେନରେ ଯୁଦ୍ଧବିରତି ପାଇଁ ଆମେରିକାର ପ୍ରୟାସକୁ ରୁଷ୍‌ ବଡ଼ ଝଟ୍‌କା ଦେଇଛି। ଗତରାତିରେ ରୁଷ୍‌ର ଭୟଙ୍କର ଆକ୍ରମଣରେ  ୟୁକ୍ରେନର ସହରଗୁଡ଼ିକରେ ଧ୍ବଂସଲୀଳା ଦେଖିବାକୁ ମିଳିଛି। ରାଜଧାନୀ କିବ୍‌ ସମେତ ୨୦ରୁ ଅଧିକ ଅଂଚଳରେ ରୁଷ୍‌ ସେନା ୪୦୦ରୁ ଅଧିକ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା ଯାହା କି ଯୁଦ୍ଧର ସବୁଠାରୁ ବଡ଼ ଆକାଶମାର୍ଗ ଆକ୍ରମଣ ବୋଲି କୁହାଯାଉଛି। ଏହି ଆକ୍ରମଣରେ ଶତାଧିକ ପ୍ରତିଷ୍ଠାନ ନଷ୍ଟ ହୋଇଥିବା ବେଳେ  ୩ ଜଣ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। କିବ୍‌, ଖାରକିଭ୍, ମାଇକୋଲାଇଭ ଅଦି ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ୟୁକ୍ରେନ ବାୟୁସେନା ୨୬୬ଟି ଡ୍ରୋନ୍ ଓ ୪୫ଟି କ୍ଷେପଣାସ୍ତ୍ର ଖସାଇ ଦେଇଥିବ ଦାବି କରିଥିଲେ ମଧ୍ୟ ଅନେକ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଛି ଏବଂ  ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ଶତାଧିକ ଲୋକ ଆହତ ହୋଇଥିବା ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। କିବ୍‌ରେ ୧୧ ଜଣ ଆହତ ହୋଇଥିବା ବେଳେ  ୪ ଜଣଙ୍କ ମୃତ୍ୟୁ ଘଟିଛି। କିବ୍‌କୁ ଡ୍ରୋନ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ ଟାର୍ଗେଟ କରାଯାଇଛି। ଦକ୍ଷିଣ ୟୁକ୍ରେନର ମାଇକୋଲାଇଭରେ ହୋଇଥିବା ରୁଷ୍‌ର ଡ୍ରୋନ୍‌ ଆକ୍ରମଣରେ ଜଣେ ୭୭ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି ବୋଲି ଆଞ୍ଚଳିକ ଗଭର୍ଣ୍ଣର କହିଛନ୍ତି। ଏହି ଆକ୍ରମଣରେ କେତେକ ଆବାସିକ ଆପାର୍ଟମେଣ୍ଟ ବିଲ୍ଡିଂ ଗୁରୁତର  କ୍ଷତିଗ୍ରସ୍ତ ହୋଇଛି ଏବଂ ଅନେକ ପ୍ରତିଷ୍ଠାନ ମାଟିରେ ମିଶିଯାଇଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି  ଟେଲିଗ୍ରାମରେ  ଲେଖିଛନ୍ତି, ଆମେରିକାର ନୀରବତା ଏବଂ ବିଶ୍ୱର ଅନ୍ୟମାନେ ଚୁପ୍‌ ରହିବା କେବଳ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଉତ୍ସାହିତ କରୁଛି ଏବଂ ସେ ଗୋଟିଏ ପରେ ଗୋଟିଏ ବଡ଼ ଆତଙ୍କୀ ଆକ୍ରମଣ କରିଚାଲିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button