୨ ବର୍ଷ ୯ ମାସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କରିଛନ୍ତି ଜାଗୃତି, ସମସ୍ତଙ୍କୁ କରିଛନ୍ତି ଆଶ୍ଚର୍ଯ୍ୟଚକିତ

ପୁରୀ: ବୟସ ମାତ୍ର ୨ ବର୍ଷ ୯ ମାସ । ଖନେଇ ଖନେଇ କଥା କହୁଛି କୁନି ଝିଅ । ହେଲେ ବୁଦ୍ଧି ତାର ବିଚକ୍ଷଣ । ଠିକ୍ ରେ କଥା କହିପାରୁ ନାହିଁ । କହିଲା ବେଳେ ପାଟି ଲାଖି ଯାଉଛି । ତଥାପି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କରିଛନ୍ତି । ମାତ୍ର ୨ବର୍ଷ ୯ ମାସ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କରି ସମସ୍ତଙ୍କୁ କରିଛନ୍ତି ଆଶ୍ଚର୍ଯ୍ୟଚକିତ ।
ଏତେ କମ ବୟସରେ ନିଜ ପ୍ରତିଭା ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡର ଅଧିକାରୀ ହୋଇଛନ୍ତି ପୁରୀ ଚାରିନଳାର କୁନି ଝିଅ ଜାଗୃତି । ଜାଗୃତିଙ୍କ ଏହି ସଫଳତା ପାଇଁ ପରିବାରରେ ଖେଳିଯାଇଛି ଖୁସିର ଲହରୀ । ଇଣ୍ଡିଆ ବୁକ୍ ଅଫ ରେକର୍ଡ ସଂସ୍ଥା ତରଫରୁ ଭାରତ ବର୍ଷରେ ଛୋଟ ଛୋଟ ପିଲାଙ୍କୁ ନେଇ ଅନଲାଇନ୍ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । ଛୋଟ ପିଲାଙ୍କ ଭିତରେ ଅନ୍ତର୍ନିହିତ ଥିବା ପ୍ରତିଭା ଅନ୍ୱେଷଣ ଓ ପରିପ୍ରକାଶର ଏହା ଏକ ବଳିଷ୍ଠ ମାଧ୍ୟମ । ପୁରୀ ଚାରିନଳାର ରୋଜାଲିନ ମହାପାତ୍ର ଓ ଜଗନ୍ନାଥ ସିଂହଙ୍କ କୁନି ଝିଅ ହେଉଛନ୍ତି ଜାଗୃତି । ୨୦୨୨ ମସିହା ଜୁନ ୧୩ ତାରିଖରେ ଜନ୍ମଗ୍ରହଣ କରିଥିବା ଜାଗୃତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଦ୍ଵାରା ପରିଚାଳିତ ଅନଲାଇନ୍ ପ୍ରତିଯୋଗିତାର ୩୨ ଟି ବିଷୟ ବସ୍ତୁ ଉପରେ ଭାଗ ନେଇ ଏହି ସଫଳତା ପାଇଛନ୍ତି। ଏହା ମଧରେ ସେ ପ୍ରାଞ୍ଜଳ ଭାବେ ୪୮ଟି ପଶୁଙ୍କୁ ଚିହ୍ନଟ କରିବା ସହ ୧୮ଟି ପକ୍ଷୀ, ୨୪ ପ୍ରକାର ଫଳ, ୧୬ ପ୍ରକାର ଫୁଲ, ୨୪ଟି ପରିବା, ୧୮ଟି କୀଟ ପତଙ୍ଗ, ୧୫ ସରୀସୃପ, ୬ ଋତୁ, ୧୨ ପର୍ବପର୍ବାଣୀ,୧୪ଟି ଯାନ ବାହାନ, ୬ଟି ନଦୀ, ୮ ଜଣ ବ୍ୟକ୍ତିତ୍ଵ, ୭ ଟି ଦେଶର ଜାତୀୟ ପତାକା ଚିହ୍ନଟ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଆଚିଭର ଆୱାର୍ଡ଼ ପାଇଛନ୍ତି ।
ଅତି କମ୍ ବୟସରୁ ଜାଗୃତିଙ୍କ ଏଭଳି ପ୍ରତିଭା ନେଇ ସ୍ଥାନୀୟ ଅଞ୍ଚଳରେ ବି ଚର୍ଚ୍ଚା ହେଉଛି । ଯେଉଁ ବୟସରେ ସେ ଖେଳକୁଦ କରି ସମୟ କଟାଇବା କଥା ସେହି ବୟସରେ ଚକିତ କଲା ଭଳି ପ୍ରତିଭା ତା ପାଖରେ ଦେଖିବାକୁ ମିଳିଛି । ଏଭଳି ଭାବେ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଜାଗୃତି । ତାଙ୍କର ଏ ସଫଳତା ଅନ୍ୟ ପିଲାଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚିତ ।