କିଏ ଲୁଟିନେଲା ୪ ଟନ ବିସ୍ଫୋରକ, ୪୮ ଘଣ୍ଟା ପରେ ବି ଟେର୍ ପାଉନି ପୋଲିସ

ସୁନ୍ଦରଗଡ଼ ବାଙ୍କୋ ପଥର ଖଣିରୁ ବିପୁଳ ପରିମାଣର ବିସ୍ଫୋରକ ଲୁଟ୍ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । କିଏ ଲୁଟିନେଲା ୪ ଟନ ବିସ୍ଫୋରକ । ୪୮ ଘଣ୍ଟା ପରେ ବି ଟେର୍ ପାଉନି ପୋଲିସ । ପୋଲିସ ପାଇଁ ଚିନ୍ତା ବଢାଇଛି ଲୁଟ୍ ଘଟଣା । ଲୁଟ୍ ବିସ୍ଫୋରକ ଖୋଜି ବାହାର କରିବାକୁ ଚାଲିଛି ବଡ଼ ଅପରେସନ୍। ଓଡ଼ିଶା-ଝାଡ଼ଖଣ୍ଡ ସୀମା ସିଲ୍ କରି ଚାଲିଛି ଯାଞ୍ଚ । ଯଦି ଏହା ପଛରେ ସତରେ ମାଓବାଦୀଙ୍କ ହାତ ଥାଏ ତେବେ ସୁନ୍ଦରଗଡ଼ ରେଞ୍ଜ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ନିଜେ ପୋଲିସ ଡିଜି ୱାଇ.ବି ଖୁରାନିଆ ସ୍ଥିତିର ଯାଞ୍ଚ କରୁଛନ୍ତି। CRPF, DVF, IRB ଓ ଝାଡ଼ଖଣ୍ଡରୁ ଜାଗୁଆର ଏବେ ସର୍ଚ୍ଚ ଅପରେସନ ଜୋରଦାର ଚଳାଇଛନ୍ତି ।
ପ୍ରଶ୍ନ ଉଠୁଛି ଟ୍ରକରେ ବିସ୍ପୋରକ ଥିବା ମାଓବାଦୀ ଜାଣିଲେ କେମିତି?। ବିନା ସୁରକ୍ଷାରେ ଟ୍ରକ ଯାଉଥିଲା କିପରି?। ଝାଡ଼ଖଣ୍ଡ-ଓଡ଼ିଶା ସୀମା ନିକଟବର୍ତ୍ତୀ ବାଙ୍କୋ ଖଣି ନିକଟରେ ମଙ୍ଗଳାବର ହଠାତ ୩୦ ରୁ ୪୦ ଜଣ ଦୁର୍ବୃତ୍ତ ହଠାତ୍ ବିସ୍ଫୋରକ ବୋଝେଇ ଗାଡିକୁ ଅଟକାଇ ଗାଡ଼ିକୁ ଜଙ୍ଗଲ ନେବାକୁ କହିଥିଲେ । ପରେ ବିସ୍ଫୋରକ ଭର୍ତ୍ତି ୨ଶହ ପେଟି ନେଇ ଯିବା ସହ ଚାଳକଙ୍କୁ ଛାଡି ଦେଇଥିବା ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ କେବଳ ଟ୍ରକ ଛଡ଼ା ବିସ୍ଫୋରକ ପାଇ ନାହିଁ । ଖଣି ପାଇଁ ଆସୁଥିବା ବିସ୍ଫୋରକ ଲୁଟ ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।