ନୀତି

ଗୋଟିଏ ବହି ପଢ଼ିବାକୁ ୨୮ ବର୍ଷ – Utkal Mail


ବିଶ୍ବପ୍ରସିଦ୍ଧ ଲେଖକ ଜେମ୍‌ସ ଜଏସ୍‌ଙ୍କ ଦ୍ବାରା ରଚିତ ‘ଫିନ୍ନେଗାନ୍‌ସ ୱେକ୍‌’ ପୁସ୍ତକକୁ ପଢ଼ିବା ଲାଗି କାଲିଫର୍ଣ୍ଣିଆର ଏକ ପୁସ୍ତକ କ୍ଲବ୍‌ ଦୀର୍ଘ ୨୮ ବର୍ଷ ନେବା ଘଟଣା ଅସ୍ବାଭାବିକ ମନେହେଲେ ବି ସତ। ପ୍ରକୃତରେ ଉକ୍ତ ପୁସ୍ତକରେ ରହିଥିବା ଅନେକ ରହସ୍ୟ ଜାଣିବାର ପ୍ରୟାସରେ କାଲିଫର୍ଣ୍ଣିଆର ଏହି କ୍ଲବ୍‌ର ସଦସ୍ୟମାନେ ଗତ ୨୮ ବର୍ଷ ଧରି ବହିଟିକୁ ପଢ଼ି ଆସୁଥିଲେ। ତାହା ପଢ଼ିବା ଓ ବୁଝିବା ଏତେ କଷ୍ଟକର ଯେ ଆଜି ପର୍ଯ୍ୟନ୍ତ କୌଣସି ପାଠକ ଏହାକୁ ଭଲଭାବେ ବୁଝି ଆୟତ୍ତ କରିପାରିଛି ବୋଲି ଦାବି କରିନାହାନ୍ତି। ଏହି ଗୁଣ ହିଁ ଏହାକୁ ସାମୂହିକ ପଠନ ପାଇଁ ପ୍ରୋତ୍ସାହିତ କରିଥିଲା। ପ୍ରାୟ ୮୦ଟି ଭାଷାର ନୂତନ ଶବ୍ଦ, ରୂଢ଼ି ଓ ସଂକେତର ମିଶ୍ରଣରେ ପୁସ୍ତକଟି ଲେଖାଯାଇଛି। ତେବେ ଏହା କାହା ଉପରେ ପର୍ଯ୍ୟବସିତ ତାହା କେହି କହିପାରିବେ ନାହିଁ। କାଲିଫର୍ଣ୍ଣିଆର ପରୀକ୍ଷାମୂଳକ ଚଳଚ୍ଚିତ୍ର ନିର୍ମାତା ଗେରି ଫିଏଲ୍‌କା ୧୯୯୫ ମସିହାରୁ ‘ଫିନ୍ନେଗାନ୍‌ସ ୱେକ୍‌’ ପାଇଁ ସ୍ବତନ୍ତ୍ର ଭାବେ ଉତ୍ସର୍ଗୀକୃତ ଏକ ପୁସ୍ତକ କ୍ଲବ୍‌ ଆୟୋଜନ କରି ଆସିଛନ୍ତି। ଏଥିରେ ମାସକୁ ୧୦ରୁ ୩୦ ଜଣ ପାଠକ ଏକ ସଭାରେ ପୁସ୍ତକର ମାତ୍ର ଦୁଇଟି ପୃଷ୍ଠା ପଢ଼ି ସେମାନଙ୍କର ମତାମତ ଆଲୋଚନା କରିବାର ବିଧି ଥିଲା। ତେବେ ପ୍ରତ୍ୟେକ ଥର ସେମାନେ ମାତ୍ର ଗୋଟିଏ ପୃଷ୍ଠା ପଢ଼ି ଅଧିକ ସମୟର ଆବଶ୍ୟକତା ଲୋଡ଼ିଥିଲେ। ତେଣୁ ସେମାନଙ୍କୁ କେବଳ ଗୋଟିଏ ଥର ବହିଟିକୁ ପଢ଼ିବା ଲାଗି ୨୮ ବର୍ଷ ଲାଗିଗଲା। ଗତ ଅକ୍‌ଟୋବର ମାସରେ ସେମାନେ ଏହି ୬୨୮ ପୃଷ୍ଠା ସମ୍ବଳିତ ବହିଟି ପଢ଼ି ଶେଷ କରିଛନ୍ତି। କୌତୂହଳର ବିଷୟ, ଜେମ୍‌ସ ଏହାକୁ ଲେଖିବା ପାଇଁ ୧୭ ବର୍ଷ ସମୟ ନେଇଥିଲେ। ଦୁଃଖର କଥା, ପୁସ୍ତକଟିର ପ୍ରକାଶନ ପରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ସେ ତାଙ୍କ ଲେଖାକୁ ବୁଝାଇ ପାରିନଥିଲେ କି ଅନ୍ତତଃ ବୁଝିବା ପାଇଁ କିଛି ସୂତ୍ର ଛାଡ଼ିନଥିଲେ। ତେଣୁ ପାଠକଙ୍କ ବୁଝିବା ଶକ୍ତି ଉପରେ ହିଁ ଏହି ସାହିତ୍ୟିକ ପ୍ରହେଳିକାର ସାରାଂଶ ନିର୍ଭର କରେ।




Related Articles

Leave a Reply

Your email address will not be published. Required fields are marked *

Back to top button