ଦେଶ ବିଦେଶ

ଆତଙ୍କବାଦ ନେଇ ପାକ୍‌କୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ଚେତାବନୀ: ଭାରତର ୩ ସୂତ୍ରୀ ନୀତି ଘୋଷଣା

କାନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉତ୍ତରପ୍ରଦେଶର କାନପୁରରେ ଏକ ବିଶାଳ ସମାବେଶକୁ ଉଦ୍‌ବୋଧନ ଦେଇ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି।   ପାକିସ୍ତାନ ସହ ସାମରିକ ସଂଘର୍ଷ ସମୟରେ ଭାରତର ସ୍ୱଦେଶୀ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପ୍ରଚଣ୍ଡ ଶକ୍ତି ବିଶ୍ୱ ଦେଖିଛି ଏବଂ ଆତଙ୍କବାଦର ବିନାଶ ପାଇଁ ଭାରତର ଅଭିଯାନ ଆହୁରି ଭୀଷଣ ହେବ ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି।  ଅପରେସନ ସିନ୍ଦୂର ଜରିଆରେ ‘ମେକ୍ ଇନ୍ ଇଣ୍ଡିଆ’ର ଶକ୍ତି  ପ୍ରମାଣିତ ହୋଇଛି।   ଆତ୍ମନିର୍ଭର ଭାରତ ପାଇଁ ଆମର ସଂକଳ୍ପରୁ ଆମେ ଏହି ଶକ୍ତି ପାଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।   ଦେଶର ସ୍ୱାଭିମାନ ପାଇଁ ଆତ୍ମନିର୍ଭର ହେବା ଜରୁରି ବୋଲି ମତଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ସମୟ ଥିଲା ଯେତେବେଳେ ଭାରତ ନିଜର ସୁରକ୍ଷା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲା। ଆମେ ଏହି ପରିସ୍ଥିତିକୁ ବଦଳାଇବାକୁ ଚେଷ୍ଟା କରିଛୁ। ଆମର ଆତ୍ମନିର୍ଭରତା ଦେଶର ସ୍ୱାଭିମାନ ପାଇଁ  ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଫମ୍ପା ପରମାଣୁ ଧମକକୁ ଖାତିର୍‌ କରୁନୁ

ଆତଙ୍କବାଦର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ  ସରକାରଙ୍କ ୩ ସୂତ୍ରୀ ନୀତି ସଂପର୍କରେ ଏହି ଅବସରରେ ଘୋଷଣା କରିଛନ୍ତି।  ପ୍ରଥମ ନୀତି ହେଲା ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର ଜବାବ ଦିଆଯିବ।  ଜବାବର ପ୍ରକୃତି ଓ ସମୟ ଭାରତୀୟ ସଶସ୍ତ୍ର ବାହିନୀ ନିର୍ଦ୍ଧାରଣ କରିବ। ଦ୍ବିତୀୟ ନିୟମ ହେଉଛି କାହାର ଫମ୍ପା ପରମାଣୁ ବୋମା ଧମକକୁ ଭାରତ ଭୟ କରିବ ନାହିଁ। ତୃତୀୟ ନିୟମ ହେଉଛି ଆତଙ୍କବାଦର ସଂଚାଳକ ଏବଂ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ସରକାରକୁ ଭାରତ ଭିନ୍ନ ଦୃଷ୍ଟିରେ ଦେଖିବ ନାହିଁ ଏବଂ ଉଭୟଙ୍କ ପ୍ରତି ସମାନ ଆଭିମୁଖ୍ୟ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ପାକିସ୍ତାନକୁ କହିଛନ୍ତି ଯେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରୁ ପାକ୍‌ ସରକାର ଦୂରେଇ ରହିବାକୁ ହେବ। ଭାରତ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବ ଏବଂ ଆତଙ୍କବାଦୀଙ୍କ ପୃଷ୍ଠପୋଷକମାନଙ୍କୁ ନିସ୍ତାର ମିଳିବ ନାହିଁ। ଶତ୍ରୁ ଯେଉଁଠି ବି ଥିବ, ଆମେ ଖୋଜି ଖୋଜି ମାରିବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button