ଓଡିଶା

କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ, ବିଳମ୍ବରେ ଅଫିସ ଆସିବାରୁ ୧୮ ଜଣଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

କଟକ : ଅଫିସକୁ ଡେରିରେ ଆସୁଛନ୍ତି କି ? ତାହାଲେ ହୋଇ ଯାଆନ୍ତୁ ହୁସିଆର । ଅଫିସରେ ଡେରିରେ ପହଞ୍ଚିଲେ ହୋଇ ପାରେ ଦରମା ବନ୍ଦ ।  ବିଳମ୍ବରେ ଅଫିସ ଆସୁଥିବା ସିଡିଏର ୧୮ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଶ୍ଵେତ କୁମାର ଦାଶ । ବାରମ୍ବାର ତାଗିଦ୍ ସତ୍ତ୍ବେ କିଛି କର୍ମଚାରୀ ଅଫିସ୍‌କୁ ଠିକ୍ ସମୟରେ ଆସୁ ନଥିଲେ।  କଟକ ଉନ୍ନୟନ କର୍ତ୍ତୃପକ୍ଷର ବହୁ କର୍ମଚାରୀ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟକୁ ଆସୁନଥିବାରୁ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଜନସାଧାରଣ କୌଣସି କାର୍ଯ୍ୟ ଲାଗି ଦିନ ୧୦ଟାରେ ସିଡିଏ କାର୍ଯ୍ୟାଳୟରେ ପହଞ୍ଚିଲାବେଳକୁ କର୍ମଚାରୀଙ୍କ ଦେଖା ମିଳୁ ନଥଲା ।  ଏପରିକି ଦିନ ୧୨ଟା ପର୍ଯ୍ୟନ୍ତ ବି ବହୁ କର୍ମଚାରୀ ଆସୁ ନଥିବାରୁ ବରିଷ୍ଠ ନାଗରିକଙ୍କ ସମେତ ଅନେକ ବ୍ୟକ୍ତି କାର୍ଯ୍ୟାଳୟରୁ ନିରାଶ ହୋଇ ଫେରୁଥିଲେ ।

ତେବେ କଟକ ଉନ୍ନୟନ କର୍ତ୍ତୃପକ୍ଷ ( ସିଡିଏ )ର ସଚିବ ଶ୍ଵେତ କୁମାର ଦାଶ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଏନେଇ ଅନେକ ଲୋକ ଅଭିଯୋଗ କରିଥିଲେ । ଫଳରେ ନିର୍ଦ୍ଧାରିତ ସମୟରେ ଅଫିସ ଆସିବା ପାଇଁ ପ୍ରଥମେ କର୍ମଚାରୀମାନଙ୍କୁ ତାଗିଦ କରାଯାଇଥିଲା । ବାରମ୍ବାର ତାଗିଦ୍ ସତ୍ତ୍ଵେ କର୍ମଚାରୀମାନେ ଠିକ୍ ସମୟରେ ଅଫିସ ଆସୁ ନାହାନ୍ତି ।  ଫଳରେ ସିଡିଏର ସଚିବ କାର୍ଯ୍ୟାଳୟରେ ଦିନ ୧୦ଟାରେ ପହଞ୍ଚି କେଉଁ କର୍ମଚାରୀ ଆସି ନାହାନ୍ତି ତାହା ଯାଞ୍ଚ୍ କରିଥିଲେ ।  ସିଡିଏର କେତେକ ବିଭାଗର ରେଜିଷ୍ଟର ମଗାଇବା ପରେ ଅନେକ କର୍ମଚାରୀ ସାଢ଼େ ୧୧ଟା ସୁଦ୍ଧା ବି କାର୍ଯ୍ୟାଳୟକୁ ଆସିନଥିବା ଦେଖିବାକୁ ପାଇଥିଲେ ।  ଏପରିକି କାର୍ଯ୍ୟରେ ଅବହେଳା କରିଥିବା ଏହି କର୍ମଚାରୀମାନଙ୍କ ଦରମା ବନ୍ଦ ପାଇଁ ସଚିବ ତୁରନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଯଦି କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଅଫିସ ନଆସନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ଶ୍ଵେତ କୁମାର ଦାଶ ସତର୍କ କରାଇ ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button