ଦେଶ ବିଦେଶ
ୟୁକ୍ରେନ ସୀମାରେ ରୁଷ୍ ପୋଲ ଭୁଶୁଡ଼ିଲା: ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ୭ ମୃତ

ମସ୍କୋ: ରୁଷ୍ର ବ୍ରାୟାନସ୍କ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହେବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣରେ ଏକ ପୋଲ୍ର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ଟି ମସ୍କୋରୁ କ୍ଲିମୋଭ୍ ସହର ଅଭିମୁଖେ ଯାତ୍ରା କରୁଥିବା ବେଳେ ଭିଗୋନିଚସ୍କି ଜିଲ୍ଲାରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ ଆସୁଥିବା ବେଳେ ପୋଲରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।
ସୀମାବର୍ତ୍ତୀ ଅଂଚଳରେ ଦୁଇ ଦିନ ମଧ୍ୟରେ ଏହା ଦ୍ବିତୀୟ ପୋଲ ବିସ୍ଫୋରଣ ହୋଇଥିବାରୁ ଏହା ପଛରେ ୟୁକ୍ରେନର ହାତ ଥିବା ସନ୍ଦେହ କରାଯାଉଛି। ଗଭର୍ଣ୍ଣର ଆଲେକ୍ଜାଣ୍ଡର ବୋଗୋମାଜ୍ ଟେଲିଗ୍ରାମରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଯୁଦ୍ଧସ୍ତରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଗଭର୍ଣ୍ଣର କହିଛନ୍ତି।