ପେଶା ପୋଲିସ ଚାକିରି, ମାତ୍ର ନିଶା ତାଙ୍କର ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା

ଜଳେଶ୍ବର: ପେଶାରେ ପୋଲିସ ବିଭାଗର ସବ ଇନିସପେକ୍ଟର, କିନ୍ତୁ ନିଶା ତାଙ୍କର ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା । ତେଣୁ ବିଶ୍ବ ପରିବେଶ ଦିବସ ଅବସରରେ ସାଇକେଲରେ ଗାଁ ଗାଁ ବୁଲି ଲୋକମାନଙ୍କୁ ଚାରା ବଣ୍ଟନ କରିବା ସହିତ ପ୍ଲାଷ୍ଟିକର ବ୍ୟବହାରକୁ ଯଥା ସମ୍ଭବ ରୋକିବା ଏବଂ ବାୟୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ସମସ୍ତଙ୍କୁ ସାଇକେଲ ଚଲାଇବା ପାଇଁ ପରାମର୍ଶ ଦେଇଛନ୍ତି ।
କର୍ମମୟ ଜୀବନରୁ ଟିକିଏ ଫୁରୁସତ ମିଳିଲେ ସତ୍ୟ ରଞ୍ଜନ ହାତରେ କୋଡି କୋଦାଳ ଧରି ବାହାରି ପଡନ୍ତି ଗଛ ଲଗାଇବାକୁ । କେବଳ ଗଛ ଲଗାନ୍ତିନି ବରଂ ଗଛ ଗୁଡିକୁ ବାଡ ଘେରାଇବା, ପାଣି ଦେବା ସହ ତାର ଯତ୍ନ ମଧ୍ୟ ନିଅନ୍ତି । ନିଜର ଚାକିରି କାଳ ଭିତରେ ଲଗାଇଲେଣି ଏକ ହଜାରରୁ ଉର୍ଦ୍ଧ୍ବ ଗଛ । ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାର୍ଥା ଫାଣ୍ତି ଅଧିକାରୀ ସତ୍ୟ ରଞ୍ଜନ ସେଠୀଙ୍କ ଏଭଳି ନିଆରା ପ୍ରୟାସ ପାଇଁ ଆଜି ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ପାଲଟିଛନ୍ତି ।
ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାର୍ଥା ଫାଣ୍ଡି ଅଧିକାରୀ ଭାବରେ କାର୍ଯ୍ୟରତ ଅଛନ୍ତି ସବ ଇନିସପେକ୍ଟର ସତ୍ୟ ରଞ୍ଜନ ସେଠୀ । ପଡିଆ ହେଉ କିମ୍ବା ରାସ୍ତା ପାର୍ଶ୍ବରେ ଥିବା ଖାଲି ସ୍ଥାନ ହେଉ ସବୁଆଡ଼େ ନିଜସ୍ବ ଅର୍ଥରେ ଲଗାଇଛନ୍ତି ବିଭିନ୍ନ ପ୍ରକାରର ଗଛ । ସେ ଔଷଧୀୟ ବୃକ୍ଷ ହେଉ କିମ୍ବା ନାନା ପ୍ରକାରର ଫଳ ଗଛ । ଏ ପର୍ଯ୍ୟନ୍ତ ଲଗାଇ ସାରିଲେଣି ଏକ ହଜାରରୁ ଅଧିକ ଗଛ । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ହେବା ସହ ବିଭିନ ପ୍ରକାର ପ୍ରାକୃତିକ ଦୁର୍ବିପାକ ଘଟୁଛି । ଯାହା ଫଳରେ ଅନେକ ଧନ ଜୀବନ ହାନି ହେଉଛି । ତେଣୁ ଗଛ ଲଗାଇବା ଦ୍ୱାରା କିଛି ପରିମାଣରେ ସମସ୍ୟାରୁ ମୁକ୍ତି ମିଳିପାରିବ ବୋଲି ଆଶା ବାନ୍ଧିଛନ୍ତି ସତ୍ୟରଞ୍ଜନ ।
ଜନସଂଖ୍ୟା ବୃଦ୍ଧି ହେତୁ ବିଭିନ୍ନ ସ୍ଥାନରେ ଜନବସତି ଗଢି ଉଠିଛି । ଲୋକମାନେ ନିଜର ଆବଶ୍ୟକ ଗୃହ ଉପକରଣ ଏବଂ ଗୃହ ନିର୍ମାଣ କରିବାକୁ ନିର୍ବିକାରରେ ଜଙ୍ଗଲ ଧ୍ବଂସ କରିବାରେ ଲାଗିଛନ୍ତି । ବେଳେବେଳେ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରିବାକୁ ବି ପଛାଉ ନାହାନ୍ତି । କଳ କାରଖାନା ତିଆରି ନାଁରେ ପ୍ରାକୃତିକ ଜଙ୍ଗଲ କାଟି ପକାଉଛନ୍ତି । ରାସ୍ତା ତିଆରି ପାଇଁ ରାସ୍ତା ପାର୍ଶ୍ବରେ ଥିବା ଗଛ ସବୁ କାଟି ରାସ୍ତା ତିଆରି କରୁଛନ୍ତି । ପ୍ରାକୃତିକ ଜଙ୍ଗଲକୁ କାଟି ସବୁ ଆଡେ କଂକ୍ରିଟ ଜଙ୍ଗଲ କରିଦେଲେଣି । ଗଛ କାଟି ଚାଲିଛନ୍ତି କିନ୍ତୁ ଗଛ ଲଗାଇବା ପାଇଁ କେବେବି ଆଗ୍ରହ ଦେଖାଉ ନାହାନ୍ତି । ଗଛ କାଟିବା ଦ୍ୱାରା ବାୟୁ ମଣ୍ଡଳରୁ ଆସ୍ତେ ଆସ୍ତେ ଅକ୍ସିଜେନ ସ୍ତର କମି କମି ଯାଉଛି । ସେଥିପାଇଁ ବିଶ୍ବ ପରିବେଶ ଦିବସ ଉପଲକ୍ଷେ ସାଇକେଲରେ ଗାଁ ଗାଁ ବୁଲି ଗୋଟିଏ ଲେଖାଏଁ ଗଛ ଚାରା ବାଣ୍ଟିବା ସହ ସଚେତନତାର ବାର୍ତ୍ତା ଦେଇଛନ୍ତି ସତ୍ୟ ରଞ୍ଜନ ।
କର୍ମମୟ ଜୀବନରୁ ସମୟ ବାହାର କରି ସମସ୍ତଙ୍କୁ କିଛି କିଛି ଗଛ ଲଗାଇବାକୁ ନିବେଦନ କରିଛନ୍ତି ସତ୍ୟରଞ୍ଜନ । ତାଙ୍କର ଏହି ପ୍ରୟାସ ଆଗାମୀ ପିଢ଼ି ପାଇଁ ପ୍ରେରଣା ଯୋଗାଇବ । ତେବେ ଫାଣ୍ଡି ଅଧିକାରୀ ସତ୍ୟରଞ୍ଜନଙ୍କ ଏହି ମହାନ ଚିନ୍ତାଧାରା ପାଇଁ ଅଞ୍ଚଳବାସୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।