ଗୁପ୍ତଚରଗିରି ଅଭିଯୋଗରେ ଆଉ ଜଣେ ୟୁଟ୍ୟୁବର ଗିରଫ: ଜ୍ୟୋତି ମାଲହୋତ୍ରା ଲିଙ୍କ୍

ନୂଆଦିଲ୍ଲୀ: ପାକିସ୍ତାନ ସମର୍ଥିତ ଗୁପ୍ତଚର ନେଟ୍ୱର୍କରେ ସମ୍ପୃକ୍ତି ଅଭିଯୋଗରେ ପଞ୍ଜାବ ପୁଲିସ ବୁଧବାର ଅନ୍ୟ ଜଣେ ୟୁଟ୍ୟୁବର ଯସବୀର ସିଂହଙ୍କୁ ଗିରଫ କରିଛି, ଯିଏ କି ୧.୧ ନିୟୁତରୁ ଅଧିକ ସବ୍ସ୍କ୍ରାଇବର ଥିବା ‘ଜାନ ମହଲ’ ଚ୍ୟାନେଲ୍ ଚଳାଉଛନ୍ତି। ରୂପନଗର ଜିଲ୍ଲାର ମହଲାନ ଗାଁର ବାସିନ୍ଦା ସିଂହଙ୍କୁ ମୋହାଲିସ୍ଥିତ ଷ୍ଟେଟ୍ ସ୍ପେସାଲ ଅପରେସନ୍ ସେଲ୍ (ଏସ୍ଏସ୍ଓସି) ଗୁଇନ୍ଦା ସୂଚନା ଆଧାରରେ ଗିରଫ କରିଛି। ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କ ପରେ ଯସବୀର ସିଂହ ହେଉଛନ୍ତି ଦ୍ୱିତୀୟ ଡିଜିଟାଲ୍ କଣ୍ଟେଣ୍ଟ ନିର୍ମାତା ଯିଏ କି ନିକଟରେ ଗିରଫ ହୋଇଛନ୍ତି। ମୋହାଲି କୋର୍ଟ ତାଙ୍କୁ ୩ ଦିନିଆ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି।
ପଞ୍ଜାବ ପୁଲିସର ସୂଚନା ଅନୁଯାୟୀ, ଯସବୀର ସିଂହ ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ଶାକିର ଓରଫ ଜୁଟ୍ ରନ୍ଧାୱାଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିଲେ, ଯିଏ କି ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ) ପାଇଁ କାର୍ଯ୍ୟ କରୁଥିବା ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି। ଗୁପ୍ତଚରଗିରି ଅଭିଯୋଗରେ ପୂର୍ବରୁ ବହିଷ୍କୃତ ହୋଇଥିବା ପାକିସ୍ତାନୀ ନାଗରିକ ତଥା ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନର ପୂର୍ବତନ ଅଧିକାରୀ ଏହସାନ-ୟୁର ରହିମ ଓରଫ ଦାନିଶଙ୍କ ସହ ମଧ୍ୟ ସିଂହ ସମ୍ପର୍କ ରଖିଥିଲେ। ଦାନିଶଙ୍କ ନିମନ୍ତ୍ରଣକ୍ରମେ ସିଂହ ଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ ପାକିସ୍ତାନ ଜାତୀୟ ଦିବସ ଉତ୍ସବରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ପାକିସ୍ତାନୀ ସେନା ଯବାନ ଓ ଭ୍ଲଗର (ଭିଡିଓ ବ୍ଲଗର)ମାନଙ୍କ ସହ ଆଲୋଚନା କରିଥିଲେ। ୨୦୨୦, ୨୦୨୧ ଓ ୨୦୨୪ରେ ସେ ତିନିଥର ପାକିସ୍ତାନ ଗସ୍ତ କରିଛନ୍ତି। ପାକିସ୍ତାନ ଜାତୀୟ ଦିବସ ପାଳନ ଅବସରରେ ଜ୍ୟୋତି ମାଲହୋତ୍ରା ଓ ଦାନିଶଙ୍କ ସହ ପୋଜ୍ ଦେବା ସହିତ ଏହି କାର୍ଯ୍ୟକ୍ରମର ଫଟୋ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ସେୟାର କରିଛନ୍ତି।
ତାଙ୍କ ଇଲେକ୍ଟ୍ରୋନିକ୍ ଉପକରଣର ଫରେନସିକ୍ ବିଶ୍ଳେଷଣରୁ ପାକିସ୍ତାନଭିତ୍ତିକ ଅନେକ କଣ୍ଟାକ୍ଟ ନମ୍ବର ସାମ୍ନାକୁ ଆସିଛି, ଯାହାର ତଦନ୍ତ ଚାଲିଛି। ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ସିଂହ ଆଇଏସ୍ଆଇ ସହ ଜଡିତ ସମସ୍ତ ସଦସ୍ୟଙ୍କ ସହ ଯୋଗାଯୋଗର ସମସ୍ତ ଚିହ୍ନକୁ ଡିଲିଟ୍ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ପାକିସ୍ତାନ ପାଇଁ ଗୁପ୍ତଚରଗିରି କରିବା ଅଭିଯୋଗରେ ପଞ୍ଜାବ ପୁଲିସ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରିଛି। ଅମୃତସରର ଅଜନାଲାରୁ ଫଲକଶେର ମସିହ ଓ ସୂରଜ ମସିହଙ୍କୁ ଗିରଫ କରାଯାଇଥିବା ବେଳେ ମାଲେରକୋଟଲାର ୩୧ ବର୍ଷୀୟା ମହିଳା ଗଜାଲା ଓ ୟାମିନ୍ ମହମ୍ମଦଙ୍କୁ ମଧ୍ୟ ଗତ ମାସରେ ଗିରଫ କରାଯାଇଥିଲା। ପରେ ଆଇଏସ୍ଆଇ ସହ ସମ୍ବେଦନଶୀଳ ସାମରିକ ତଥ୍ୟ ବାଣ୍ଟିବା ଅଭିଯୋଗରେ ଗୁରୁଦାସପୁରରୁ ଆଉ ଦୁଇ ଜଣ ସୁଖ୍ପ୍ରୀତ ସିଂହ ଓ କରଣ୍ବୀର ସିଂଙ୍କୁ ପୁଲିସ ଗିରଫ କରିଥିଲା।