ନଦୀରେ ଗାଧୋଇଲାବେଳେ ପଡିଗଲା ସାବୁନ୍, ସାତ ଘଣ୍ଟା ଧରି ଫସିରହିଲା ନାବାଳକର ହାତ

ମୋହନା: ପ୍ରତିଦିନ ଏହି ବିଚିତ୍ର ଦୁନିଆରେ ଘଟିଚାଲିଛି ବିଭିନ୍ନ ବିଚିତ୍ର ଘଟଣା । ଯାହାକୁ ସହଜରେ ଜଣେ ଗ୍ରହଣ କରିବା ଅସମ୍ଭବ । ଏସବୁ କଥା ଭିତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ସମଗ୍ର ଅଞ୍ଚଳରେ । ସବୁଦିନ ପରି ନଦୀକୁ ଗାଧୋଇବାକୁ ଯାଇଥିଲା ନାବାଳକ । ଗାଧୋଇବା ସମୟରେ ହାତରୁ ଖସି ପାଣିରେ ପଡିଯାଇଥିଲା ସାବୁନ୍ । ଆଉ ସାବୁନ୍ ଟିକୁ ବାହାର କରୁଥିବା ସମୟରେ ନଦୀ ଭିତରେ ଥିବା ପଥର ସନ୍ଧିରେ ଫସି ରହିଗଲା ନାବାଳକର ହାତ । ହାତଟି ସତ ଚେଷ୍ଟା ପରେ ବି ଆଉ ବାହାରିନଥିଲା । ହଁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ ।
ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ତିଳିଗାଁରେ । ଖବର ମୁତାବକ, ଗୁରୁବାର ଅପରାହ୍ନ ୪ଟା ସମୟରେ ଗ୍ରାମର ୧୫ ବର୍ଷର ନାବାଳକ ଶଙ୍କର ବେହେର୍ଦ୍ଦଳାଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲା । ସେଠାରେ ଗାଧୋଇବା ବେଳେ ତାଙ୍କ ହାତରୁ ସାବୁନଟି ଖସି ପାଣିରେ ପଡିଯାଇଥିଲା ।
ସାବୁନ୍ ଖୋଜିବା ପାଇଁ ପଥର ସନ୍ଧିରେ ହାତ ପଶାଇଥିବାବେଳେ ହଠାତ୍ ନାବାଳକର ହାତଟି ପଥର ସନ୍ଧିରେ ଫସିଯାଇଥିଲା । ଏକଥା ଜାଣିବା ପରେ ନଦୀ କୂଳରେ ଜମିଥିଲା ଲୋକଙ୍କ ଗହଳି । ଗ୍ରାମବାସୀଙ୍କ ଅନେକ ପ୍ରୟାସ ପରେ ମଧ୍ୟ ନାବାଳକକୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା । ପରେ ଆର.ଉଦୟଗିରି ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ନାବାଳକକୁ ଉଦ୍ଧାର କରାଯାଇପାରିନଥିଲା । ଶେଷରେ ଜେସିବି ମେସିନ୍ ସାହାଯ୍ୟରେ ପଥରକୁ ଘୁଞ୍ଚାଇ ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ନାବାଳକକୁ ଉଦ୍ଧାର କରାଯାଇଥିଲା । ଦୀର୍ଘ ସାତ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନାବାଳକକୁ ସୁରକ୍ଷିତ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିବା ଜଣାପଡିଛି ।
ସାମାନ୍ୟ ଗୋଟେ ସାବୁନ୍ ପାଇଁ ଦୀର୍ଘ ସାତ ଘଣ୍ଟା ଧରି ନଦୀ ଭିତରେ ଫଶିରହିଲା ନାବଳକ । ଭଗବାନଙ୍କ କୃପାରୁ ଟଳିଗଲା ବଡ ଅଘଟଣ । ତେବେ ଆଜିକାଲି କାହା ସହ କେତେବେଳେ କଣ ଘଟିଯିବ ତାହା କହିବା ମୁସ୍କିଲ୍ । ତେଣୁ ନିଜେ ସାବଧାନ୍ ଓ ସଚେତନ ରହିବା ଉଚିତ୍ । ଏଭଳି ପାଣି ଥିବା ସ୍ଥାନକୁ କିମ୍ବା କୌଣସି ବିପଦପୂର୍ଣ୍ଣ ସ୍ଥାନକୁ ନିଜ ପିଲାଙ୍କୁ ଏକା ଛାଡନ୍ତୁ ନାହିଁ କି ସେମାନଙ୍କ ଜୀବନକୁ ବିପଦ ମୁଖକୁ ଠେଲିଦିଅନ୍ତୁ ନାହିଁ ।