ଦଳିତ କନ୍ୟା ଭୂମିକାକୁ ପ୍ରଶଂସା – Utkal Mail
ବହୁ ପ୍ରତୀକ୍ଷିତ ୱେବ୍ ଧାରାବାହିକ ‘ମେଡ୍ ଇନ୍ ହେଭେନ୍’ର ଦ୍ବିତୀୟ ସଂସ୍କରଣ ଗତ ୧୦ ତାରିଖରୁ ପ୍ରସାରିତ ହେବା ଆରମ୍ଭ କରିଛି। ବିଶେଷ କରି ଏହାର ପଞ୍ଚମ ଅଧ୍ୟାୟ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି। ଏଥିରେ ବୌଦ୍ଧ ରୀତିରେ ଏକ ଦଳିତ ବିବାହର ଚିତ୍ରଣ କରାଯାଇଛି। ସଂବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ନାତି ତଥା ରାଜନେତା ପ୍ରକାଶ ଆମ୍ବେଦକର ଏହି ଅଧ୍ୟାୟକୁ ଖୁବ୍ ପ୍ରଶଂସା କରିଛନ୍ତି। ଏଥିରେ ଜଣେ ଦଳିତ କନ୍ୟାର ଭୂମିକାରେ ରାଧିକା ଆପ୍ଟେଙ୍କ ଅଭିନୟ ପ୍ରକାଶଙ୍କୁ ଖୁବ୍ ପ୍ରଭାବିତ କରିଛି। ସେ ନିଜର ‘ଏକ୍ସ’ (ଟ୍ବିଟର) ପୃଷ୍ଠାରେ ଧାରାବାହିକର ସୁଦୀର୍ଘ ସଫଳତା କାମନା କରିବା ସହ ତାହାର ନିର୍ଦ୍ଦେଶକ ନୀରଜ ଘେଵାନ୍ଙ୍କୁ ସାଧୁବାଦ ଜଣାଇଛନ୍ତି। ପ୍ରକାଶ ପୁଣି ଲେଖିଛନ୍ତି- “ଦଳିତ ମହିଳା ଚରିତ୍ର ‘ପଲ୍ଲବୀ’ ଭୂମିକାରେ ଅବତୀର୍ଣ୍ଣ ହୋଇ ରାଧିକା ପ୍ରଦର୍ଶନ କରିଥିବା ଦମ୍ଭୋକ୍ତି, ଆସ୍ପର୍ଦ୍ଧା ଏବଂ ପ୍ରତିବାଦ ଖୁବ୍ ପ୍ରଶଂସନୀୟ।
ଏହି ଧାରାବାହିକକୁ ଦେଖିଥିବା ବଞ୍ଚିତ ଓ ବହୁଜନ ସମ୍ପ୍ରଦାୟର ଲୋକମାନେ ପ୍ରଥମେ ନିଜର ପରିଚୟକୁ ସୁଦୃଢ଼ କରିବା ପରେ ହିଁ ରାଜନୈତିକ ପ୍ରାଧାନ୍ୟ ହାସଲ ହୋଇପାରିବ। କାରଣ ‘ସବୁ କିଛି ରାଜନୈତିକ’ ବୋଲି ପଲ୍ଲବୀ ଏହି ଧାରାବାହିକରେ ଇଙ୍ଗିତ କରିଛନ୍ତି। ଜୟ ଭୀମ!” ‘ମେଡ୍ ଇନ୍ ହେଭେନ୍’ ହେଉଛି ଏକ ୱେବ୍ ଧାରାବାହିକ ଯାହା ଆମାଜନ୍ ପ୍ରାଇମ୍ ଭିଡିଓରେ ପ୍ରଦର୍ଶିତ ହେଉଛି। ଜୋୟା ଆଖତାର ଓ ରୀମା କାଗ୍ତି ଏହାର ନିର୍ମାତା। ଧାରାବାହିକର ପ୍ରଥମ ସଂସ୍କରଣ ୨୦୧୯ରେ ମୁକ୍ତିଲାଭ କରି ଲୋକପ୍ରିୟତା ହାସଲ କରିଥିଲା। ଏହାର ଅଭିନବ କାହାଣୀ ଓ ଜଟିଳ ବିଷୟବସ୍ତୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଆସିଛି। ଏହାର ପ୍ରଥମ ସଂସ୍କରଣ ଯେପରି ଅଜସ୍ର ଲୋକପ୍ରିୟତା ସାଉଁଟିଥିଲା, ଦ୍ବିତୀୟ ଭାଗ ମଧ୍ୟ ଅନୁରୂପ ଦର୍ଶକୀୟ ସ୍ବୀକୃତି ହାସଲ କରିବ ବୋଲି ଅନୁମାନ କରାଯାଉଛି। ଏଥିରେ ଶୋଭିତା ଧୁଲିପାଲା, ଅର୍ଜୁନ ମାଥୁର ଓ ମୋନାଙ୍କ ସିଂହଙ୍କ ପରି କଳାକାରମାନେ ଅଭିନୟ କରିଛନ୍ତି।