ଆନନ୍ଦ ଉଲ୍ଲାସରେ ପାଳନ ହେଉଛି ପବିତ୍ର ଇଦ୍-ଉଲ-ଜୁହା ପର୍ବ, ରଙ୍ଗିନ ଆଲୋକ ମାଳାରେ ସଜେଇ ହୋଇଛି କଟକ ସହର

କଟକ: ଆଜି ପବିତ୍ର ଇଦ୍ ଉଲ୍ ଜୁହା । ଭାଇଚାରାର ସହର କଟକରେ ଆଜି ମୁସଲମାନ ସମ୍ପ୍ରଦାୟର ଲୋକେ ପବିତ୍ର ଇଦ୍-ଉଲ-ଜୁହା ପର୍ବ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି । ଯାହା ବକ୍ରି ଇଦ ଭାବେ ମଧ୍ୟ ବେଶ ଜଣାଶୁଣା। ଏଥିପାଇଁ କଟକ ସହରରେ ଥିବା ବିଭିନ୍ନ ସାହି ଓ ମସଜିଦମାନଙ୍କୁ ରଙ୍ଗିନ ଆଲୋକ ମାଳାରେ ସଜାଯାଇଛି । ଘରେ ଘରେ ଭୋଜିଭାତ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ମୁସଲିମ୍ ସମ୍ପ୍ରଦାୟର ପ୍ରମୁଖ ପର୍ବ ହେଉଛି ଇଦ୍ ଉଲ୍ ଜୁହା । ଏହି ଦିନ ସମସ୍ତ ମସଜିଦ ଓ ଇଦ୍ଘାରେ ସମୂହ ନମାଜ ପାଠ କରାଯାଇଥାଏ । ବିଶେଷକରି ଏହାକୁ ୩ ଦିନ ଧରି ପାଳନ କରାଯାଇଥାଏ । ଏହାକୁ ପରିତ୍ୟାଗର ପର୍ବ ଭାବେ ମନାଯାଇଥାଏ ।
ଇଦ୍ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି। କଟକ ଡିସିପି ଙ୍କ ସହ ୩ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥା କୁ ଅନୁଧ୍ୟାନ କରିବେ। ନମାଜ ସମୟ ରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଭାବେ ଟ୍ରାଫିକ ନିୟନ୍ତ୍ରଣ ର ବ୍ୟବସ୍ତା କରାଯାଇଛି ।
ଏହି ଖାସ୍ ଦିନରେ ମୁସଲମାନ ଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି । ଏଥିପାଇଁ ସକାଳୁ ସକାଳୁ ମୁସଲମାନ ଭାଇମାନେ ନୂଆ ଲୁଗା ପିନ୍ଧି ମସ୍ଜିଦ୍ରେ ପହଞ୍ଚିଥିଲେ । ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍ର ଶୁଭେଚ୍ଛା ଜଣାଇଥିଲେ । ଏପଟେ ଇଦ୍ ପାଇଁ ଘରେ ଘରେ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି । ବନ୍ଧୁବାନ୍ଧବଙ୍କ ଗହଳିରେ ସମସ୍ତଙ୍କ ଘର ପୁରି ଉଠିଛି । ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ତିଆରି ଚାଲିଛି । ଲଛା, ସର୍ବତ, ବିରିୟାନୀ ଓ ହାଲୱାରେ ପରିବେଶ ମହକି ଉଠୁଛି । ଏହି ଦିନକୁ ସମସ୍ତେ ବେଶ୍ ଆନନ୍ଦର ସହ ପାଳନ କରୁଛନ୍ତି ।