ଏକ୍ସରେ ଖବରର ଶିରୋନାମାକୁ ଦେଖାଇବା ବନ୍ଦ ଯୋଜନା – Utkal Mail
ୱାସିଂଟନ: ଏଲନ ମସ୍କଙ୍କ ସାମାଜିକ ଗଣମାଧ୍ୟମ କମ୍ପାନି ଏକ୍ସରେ ଆଉ ଏକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ତାହା ହେଲା ନ୍ୟୁଜ ଆର୍ଟିକିଲ୍ ବା ଖବରଗୁଡ଼ିକର ହେଡଲାଇନ ବା ଶିରୋନାମାକୁ ଏଥିରେ ଦେଖାଇବା ବନ୍ଦ ହୋଇପାରେ। ନୂଆ ପରିବର୍ତ୍ତନରେ ୟୁଜରଙ୍କ ଟାଇମଲାଇନରେ କେବଳ ଶିରୋନାମା ଏବଂ ୟୁଆରଏଲ ଦେଖିବାକୁ ମିଳିବ। ସେହି ପୋଷ୍ଟ ଉପରେ ଲୋକମାନେ ସେମାନଙ୍କ ନିଜସ୍ବ ବର୍ଣ୍ଣନା ରଖିବେ। ଫର୍ଚ୍ୟୁନର ଏକ ରିପୋର୍ଟ ଅନୁଯାୟୀ, ଶିରୋନାମା ଏବଂ ଅନ୍ୟ ବିଷୟକୁ ପୋଷ୍ଟ୍ରୁ ବାଦ୍ ଦେଇ ଅଧିକ ଏନଗେଜିଂ ପୋଷ୍ଟ୍ ୟୁଜରମାନେ ଯେଭଳି ଲେଖିପାରିବେ ତାହା ମସ୍କ ଚାହୁଛନ୍ତି। ୟୁଜରଙ୍କ ଟାଇମ୍ଲାଇନ୍ରେ ଆର୍ଟିକଲ ଅଧିକ ସ୍ଥାନ ନେଉଛି। ନୂଆ ପରିବର୍ତ୍ତନ ଦ୍ବାରା ଏକ୍ସରେ ହେଉଥିବା ପୋଷ୍ଟ୍ଗୁଡ଼ିକର ଉଚ୍ଚତା ହ୍ରାସ ପାଇବ। ଫଳରେ ସମାନ ଟାଇମ୍ଲାଇନ୍ରେ ଅଧିକ ପୋଷ୍ଟ୍ ସ୍ଥାନ ପାଇପାରିବ।
ବର୍ତ୍ତମାନ ଏକ୍ସରେ ୟୁଜରଙ୍କ ଟାଇମ୍ଲାଇନ୍ରେ ଆର୍ଟିକଲ୍ କାର୍ଡ ଭଳି ଦିଶୁଛି। ସେଥିରେ ଫଟୋ, ଛୋଟ ଶିରୋନାମା ଏବଂ ବର୍ଣ୍ଣନା ଆଦି ରହୁଛି। ଟ୍ବିଟ୍ ସୀମାକୁ ଯେତେବେଳେ ୧୪୦ କ୍ୟାରେକ୍ଟରରେ ସୀମିତ ରଖିବା ପାଇଁ ଧାର୍ଯ୍ୟ କରାଯାଇଥିଲା ସେତେବେଳେ ଉକ୍ତ ଫର୍ମାଟର ବିକାଶ କରାଯାଇଥିଲା। କାରଣ କାର୍ଡରେ ଥିବା ସୂଚନା କ୍ୟାରେକ୍ଟର ଲିମିଟ୍ ବା ସୀମାରୁ ବାଦ୍ ପଡ଼ୁଥିଲା। ଟ୍ବିଟରରେ ସୂଚନା ସେୟାର କରିବା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମରେ ପରିଣତ ହୋଇଥିଲା। ତେବେ ବ୍ଲୁ ସବସ୍କ୍ରାଇବରମାନଙ୍କୁ ଏକ୍ସ ୨୫ ହଜାର କ୍ୟାରେକ୍ଟର ପର୍ଯ୍ୟନ୍ତ ଲେଖିବା ଅନୁମତି ଦେଉଥିବାରୁ କମ୍ପାନି ସାମ୍ବାଦିକ ଏବଂ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ସେମାନଙ୍କ ଲେଖାର ପ୍ରସାରଣ ପାଇଁ ଅର୍ଥ ଚାହୁ ଥାଇପାରେ।