ଦେଶ ବିଦେଶ

ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରାରେ ବିଳମ୍ବ ହୋଇପାରେ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଏଲନ ମସ୍କଙ୍କ ସମସ୍ତ ସରକାରୀ ଚୁକ୍ତି ବାତିଲ କରିବାର ଧମକ ଦେବା ପରେ ସ୍ପେସ୍ ଏକ୍ସ ତୁରନ୍ତ ଡ୍ରାଗନ୍ ମହାକାଶଯାନକୁ ଅଚଳ କରିବ ବୋଲି ଘୋଷଣା କରିଛି। ତେବେ ଆଜି ଅପରାହ୍ନରେ ସ୍ପେସ୍‌ ଏକ୍ସ ଏ ନେଇ କୋହଳ ମନୋଭାବ ଦେଖାଇଥିଲେ ମଧ୍ୟ  ବଡ଼ ଧରଣର ଅନିଶ୍ଚିତତା ସୃଷ୍ଟି ହୋଇଛି।  ଟ୍ରମ୍ପ ପ୍ରଶାସନ ସମର୍ଥିତ ଏକ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚ ବିଲ୍‌କୁ ମସ୍କ ସର୍ବସାଧାରଣରେ ସମାଲୋଚନା କରିବା ପରେ ବିବାଦ ବଢ଼ିଯାଇଥିଲା। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମସ୍କଙ୍କ ସରକାରୀ ଚୁକ୍ତିକୁ ବାତିଲ କରିବା ଦ୍ୱାରା ଆମେରିକାର କୋଟି କୋଟି ଟଙ୍କା ସଞ୍ଚୟ ହେବ ଏବଂ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ କାହିଁକି ଏଭଳି ପଦକ୍ଷେପ ନେଇ ନ ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ମସ୍କ କହିଛନ୍ତି, ମୋ ସରକାରୀ ଚୁକ୍ତି ବାତିଲ ହେବା ନେଇ ରାଷ୍ଟ୍ରପତିଙ୍କ ବୟାନକୁ ଦୃଷ୍ଟିରେ ରଖି ସ୍ପେସ୍‌ଏକ୍ସ ତୁରନ୍ତ ଏହାର ଡ୍ରାଗନ୍ ମହାକାଶଯାନକୁ ଅଚଳ କରିବା ଆରମ୍ଭ କରିବ।

ସ୍ପେସ୍ ଏକ୍ସର କ୍ରୁ ଡ୍ରାଗନ୍ ମହାକାଶଚାରୀମାନଙ୍କୁ ମହାକାଶ ଷ୍ଟେସନକୁ ପରିବହନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଜୁନ୍ ୮ ତାରିଖରେ ଏଥିରେ ଆଇଏସ୍ଏସ୍‌କୁ ୧୪ ଦିନିଆ ଅଭିଯାନରେ ଯାତ୍ରା କରିବାର ଅଛି। ମସ୍କଙ୍କ ଏହି ଘୋଷଣା ମେ ୨୯ରୁ ଜୁନ୍ ୮ ଏବଂ ପରେ ଜୁନ୍ ୧୦ ପର୍ଯ୍ୟନ୍ତ ଅନ୍ୟାନ୍ୟ କାରଣରୁ ଦୁଇଥର ସ୍ଥଗିତ ରଖାଯାଇଥିବା ଏକ୍ସ-୪ ମିସନର ଭବିଷ୍ୟତକୁ ନେଇ ଚିନ୍ତା ବଢ଼ାଇଛି। ତେବେ ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ଏକ ଏକ୍ସ ପୋଷ୍ଟର ଜବାବରେ ନିଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରି କହିଛନ୍ତି, ଭଲ ଉପଦେଶ। ଠିକ୍ ଅଛି, ଆମେ ଡ୍ରାଗନକୁ ଡିକମିସନ୍ କରିବୁ ନାହିଁ। ସ୍ପେସ୍ ଏକ୍ସ ଡ୍ରାଗନ ମହାକାଶଯାନ କାର୍ଯ୍ୟକ୍ରମକୁ ବନ୍ଦ କଲେ ଏହା ମହାକାଶ ଷ୍ଟେସନରେ କାର୍ଯ୍ୟକୁ ଗୁରୁତର ଭାବେ ବ୍ୟାହତ କରିପାରେ ଏବଂ ରୁଷିଆର ସୋୟୁଜ୍ ଏକମାତ୍ର ପରିବହନ ବିକଳ୍ପ ଭାବରେ ରହିପାରେ। ଏହା ଦ୍ୱାରା କ୍ରୁ ରୋଟେସନ୍ ସୀମିତ ରହିବ ଏବଂ ମହାକାଶକୁ ଅନ୍ତର୍ଜାତୀୟ ପ୍ରବେଶ ହ୍ରାସ ପାଇବ। ଏହି ପଦକ୍ଷେପ ଦ୍ୱାରା ସ୍ପେସ୍ ଏକ୍ସ, ନାସା ଓ ପେଣ୍ଟାଗନ ମଧ୍ୟରେ ୨୨ ବିଲିୟନ ଡଲାରରୁ ଅଧିକ ଚୁକ୍ତି ବାଧାପ୍ରାପ୍ତ ହୋଇପାରେ, ଯେଉଁଥିରେ ଚନ୍ଦ୍ର ଷ୍ଟାର୍‌ସିପ୍ ବିକାଶ ଏବଂ ସାମରିକ ଉପଗ୍ରହ ଉତ୍‌କ୍ଷେପଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ।

ଡ୍ରାଗନର ଅନୁପସ୍ଥିତି କେବଳ ଲଜିଷ୍ଟିକ୍ ନୁହେଁ, ମାନବ ମହାକାଶଯାତ୍ରା କାର୍ଯ୍ୟକ୍ରମର ରଣନୈତିକ, ବୈଜ୍ଞାନିକ ଓ ଭୂ-ରାଜନୈତିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରୁଛି। ଶୁଭାଂଶୁ ଶୁକ୍ଳାଙ୍କ ସହ ଏକ୍ସ-୪ ମିସନ ମହାକାଶଚାରୀମାନେ ଏବେ ପ୍ରୋଟୋକଲ କ୍ୱାରେଣ୍ଟାଇନରେ ରହିଛନ୍ତି। କେନେଡି ସ୍ପେସ୍ ସେଣ୍ଟର ଲଞ୍ଚପ୍ୟାଡରେ ଡ୍ରାଗନ୍ ମହାକାଶଯାନ ପହଞ୍ଚିବା ପରେ ଏହା ଘଟିଛି। ଶୁକ୍ଳା ହେଉଛନ୍ତି ଭାରତର ଦ୍ୱିତୀୟ ମହାକାଶଚାରୀ ଏବଂ ଆଇଏସ୍‌ଏସ୍‌  ଗସ୍ତ  କରିବାରେ ପ୍ରଥମ। ଆମେରିକା-ଭାରତ ମହାକାଶ ସହଯୋଗର ଫଳଶ୍ରୁତିସ୍ବରୂପ ତାଙ୍କୁ ବଛାଯାଇଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ ନାସାର ଜଣେ ଅଧିକାରୀ କହିଛନ୍ତି ଯେ ସେମାନେ ଟ୍ରମ୍ପ ପ୍ରଶାସନ ଦ୍ୱାରା ପ୍ରସ୍ତାବିତ ବଜେଟ୍ ହ୍ରାସର ମୁକାବିଲା କରୁଛନ୍ତି ଏବଂ ଆଇଏସ୍‌ଏସ୍‌କୁ ଯାଉଥିବା ଘରୋଇ ମିସନର ଆକାର ହ୍ରାସ ହୋଇପାରେ। ତେବେ ଏକ୍ସ-୪ ମିସନ ପ୍ରଭାବିତ ହେବ ନାହିଁ ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button