କାର୍ଯ୍ୟକାଳ ଆରମ୍ଭରୁ ଲାଞ୍ଚ ନେଇ ନାମ ନେଲେ ଆଇଏଏସ ଅଫିସର, ଜାଣନ୍ତୁ କାହିଁକି ଧିମନ ଚକମାଙ୍କୁ ନେଇ ଏତେ ଚର୍ଚ୍ଚା

୧୦ ଲକ୍ଷ ଲାଞ୍ଚ ନେଇ ଚର୍ଚ୍ଚାରେ ଆଇଏଏସ ଅଫିସର ଧିମନ ଚକମା । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଯୁବ ଆଇଏଏସ୍ ଅଫିସର । ତାଙ୍କ ସରକାରୀ ବାସଭବନରୁ ମିଳିଛି ପୁଳା ପୁଳା ଟଙ୍କା । ଆମେ କହୁଥିବା ଆଇଏଏସ୍ ଅଫିସର ହେଉଛନ୍ତି ଧର୍ମଗଡ଼ ଉପ ଜିଲ୍ଲାପାଳ । ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମନ ଚକମା । ସ୍ଥାନୀୟ ବ୍ୟବସାୟୀ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାକୁ ହୋଇଥିଲା ଡିଲ୍ । ଯାଞ୍ଚ ବେଳେ ମିଳିଛି ଆଉ ୪୭ ଲକ୍ଷ ଟଙ୍କା । ଏହି ଟଙ୍କା ତାଙ୍କ ସରକାରୀ କ୍ୱାଟରରୁ ଜବତ ହୋଇଛି । ମୋଟ ୫୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ୨୦୨୧ ବ୍ୟାଚର ଆଇଏଏସ ଅଧିକାରୀ ହେଉଛନ୍ତି ଧିମନ ଚକମା । ସେ କଳାହାଣ୍ଡି ଧର୍ମଗଡ଼ ଉପ ଜିଲ୍ଲାପାଳ ଥିଲେ । ଆଇଏଏସ ପାଇବା ବେଳେ କହିଥିଲେ କଣ, ଆଉ ଏବେ କରୁଛନ୍ତି କଣ? ତେବେ କିଏ ଏହି ଆଇଏଏସ ଅଧିକାରୀ । କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା ।
୨୦୨୧ ବ୍ୟାଚର ଓଡିଶା କ୍ୟାଡରର ଆଇଏଏସ ଧିମନ, ତ୍ରିପୁରାର ଏକ ଛୋଟ ସହର କାଞ୍ଚନପୁରରେ ଜନ୍ମ ଗ୍ରହଣ କରିଥିଲେ । ବାପା ଜଣେ ସ୍କୁଲ ଶିକ୍ଷକ ଓ ମା’ ଜଣେ ସାଧାରଣ ଗୃହିଣୀ । ଏନଆଇଟି ଅଗ୍ରତାଲାରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ସାରିବା ପରେ ୟୁପିଏସସି ପରୀକ୍ଷା ଦେଇଥିଲେ । ପ୍ରଥମେ ୨୦୧୯ ରେ ଆଇଏଫଏସ ପାଇ ଓଡିଶା କ୍ୟାଡରରେ ବାରିପଦାରେ ଅବସ୍ଥାପିତ ହୋଇଥିଲେ । ୨୦୨୦ ରେ ପୁନଶ୍ଚ ୟୁପିଏସସି ଦେଇ ୪୮୨ ରାଙ୍କରେ ଓଡିଶା କ୍ୟାଡର ପାଇବାକୁ ସକ୍ଷମ ହୋଇଥିଲେ । ୨୦୨୧ ବ୍ୟାଚର ଏହି ଆଇଏଏସ ସର୍ବଭାରତୀୟ ସ୍ତରରେ ୪୮୨ ରାଙ୍କ ହାସଲ କରିବା ପରେ ତ୍ରିପୁରା ଭଳି ରାଜ୍ୟରେ ଶିକ୍ଷା ପାଇଁ ବହୁତ କିଛି କରିବେ ବୋଲି କହିଥିଲେ । ସେ ଜନ୍ମ ନେଇଥିବା ଅଞ୍ଚଳରେ ଥିଲେ ପ୍ରଥମ ଆଇଏଏସ । ତେଣୁ ସେତେବେଳର ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏକାଧିକ ମୋଟୀଭେସନାଲ ଟକ ମଧ୍ୟ ସାମାଜିକ ଗଣମାଧ୍ୟମରେ ତାଙ୍କର ଆସିଥିଲା । ମାତ୍ର ୪ ବର୍ଷ ତଳେ ତ୍ରିପୁରାରେ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଲକ୍ଷ୍ୟ ରଖିଥିବା ଆଇଏଏସ ଏବେ ଲାଞ୍ଚ ନେବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଭିଜିଲାନ୍ସ ତରଫରୁ ବର୍ତ୍ତମାନ ଖୋଳତାଡ଼ ଜାରି ରହିଛି ଏବଂ ଆହୁରି ଅନେକ ଖୁଲାସା ହେବାର ସମ୍ଭାବନା ଅଛି । ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିବା ସମୟରେ ଟଙ୍କା ବ୍ୟତୀତ ସୁନା ଅଳଙ୍କାର ଓ ଜରୁରୀ କାଗଜ ପତ୍ର ମିଳିଛି ।
ଏପଟେ ଆଇଏଏସ୍ ଅଧିକାରୀ ଧିମନ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଧିମନଙ୍କର ବୟସ ପାଖାପାଖି ୩୦ ହୋଇଥିବାବେଳେ କାର୍ଯ୍ୟକାଳ ଆରମ୍ଭରୁ ଏମିତି ଲାଞ୍ଚ ନେଇ ଧରାପଡ଼ିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।