ସ୍ନାନଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦର୍ଶନ କଲେ ମହାପ୍ରଭୁଙ୍କ ମଙ୍ଗଳ ଆଳତି

ପୁରୀ : ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀମନ୍ଦିର ଉତ୍ତର ଦ୍ଵାର ଦେଇ ପ୍ରବେଶ କରିଥିଲେ । ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରି ସାନ୍ନିଧ୍ୟ ନେଇଥିଲେ । ମୁଖ୍ୟମନ୍ତ୍ରୀ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଶ୍ରୀମନ୍ଦିରରେ ଅତିବାହିତ କରିଥିଲେ। ଏଥିସହ ସହ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ସ୍ନାନ ବେଦୀରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ଚାଲି ଚାଲି ପୁନଶ୍ଚ ଶ୍ରୀମନ୍ଦିର ସିଂହଦ୍ଵାର ଆସି ପତିତପାବନଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ । ସ୍ନାନ ମଣ୍ଡପରେ ଦର୍ଶନ ପରେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଦେଇ ବାହାର ପରିକ୍ରମା ମାର୍ଗରେ ଚାଲି ଚାଲି ଯାଇଥିଲେ । ନନ୍ଦିଘୋଷ ରଥ ନିକଟରେ ରଥ ନିର୍ମାଣର କାର୍ଯ୍ୟର ସମୀକ୍ଷା କରିଥିଲେ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ରଙ୍କ ସହ ଉତ୍ତର ଦ୍ଵାର ଦେଇ ପ୍ରବେଶ କରିଥିଲେ।
ସେହିପରି ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀରେ ବିଜେ କରିଛନ୍ତି । ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପରେ ବଡ଼ବାଡ଼ଗ୍ରାହୀ ଶ୍ରୀବଳଭଦ୍ର ଧାଡି ପହଣ୍ଡିରେ ଆସିଥିଲେ । ବଡ଼ଭାଇଙ୍କ ପରେ ମା’ ସୁଭଦ୍ରାଦେବୀ ଆସି ଚକାରେ ବିଜେ କରିଥିଲେ। ଶେଷରେ ଧାଡି ପହଣ୍ଡିରେ କୋଟି ଓଡ଼ିଆର ମଉଡମଣୀ ବ୍ରହ୍ମାଣ୍ଡଗୋସାଇଁ ପ୍ରଭୁ ଶ୍ରୀଜଗନ୍ନାଥ ଚକାରେ ବିଜେ କରିଥିଲେ ।