ଓଡିଶା
ମୌସୁମୀ ଫେରିଲା, ୧୭ ଯାଏଁ ବର୍ଷା

ଭୁବନେଶ୍ୱର : ମୌସୁମୀ ଫେରିଲା, ୧୭ ଯାଏଁ ବର୍ଷା। ଆସନ୍ତା ଦୁଇ ଦିନ ଭିତରେ ମୌସୁମୀ ଓଡ଼ିଶାର କିଛି ଭାଗକୁ ପ୍ରବେଶ କରିବ। ଏପଟେ ରାଜ୍ୟରେ ତାତି ସାମାନ୍ୟ କମିଛି। ଆସନ୍ତା ୨୪ ଘଣ୍ଟାରେ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ମୌସୁମୀ ସକ୍ରିୟ ପାଇଁ ପାଗ ଅନୁକୂଳ ଥିବାବେଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାରରେ ଉତ୍ତର ଆନ୍ଧ୍ର ଉପକୂଳରେ ବାୟୁମଣ୍ଡଳପ ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ରହିଛି। ଆଜି ଉପକୂଳ ଓଡ଼ିଶାର ଅନେକ ସ୍ଥାନ ସହ ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ଢେଙ୍କାନାଳର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ୨୫ ଜିଲ୍ଲାରେ ଘଡ଼ଘଡ଼ି ଏବଂ ପବନ ଆଶଙ୍କା ଅଛି। ୧୩ରୁ ୧୭ ଯାଏଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି।