ଓଡିଶା

ବୃଦ୍ଧ ଦମ୍ପତିଙ୍କୁ ଦଳିଦେଲା ଦନ୍ତା: ବନ ବିଭାଗର ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ କାଦୋମାଳି ଗାଁରେ ଏକ ଦନ୍ତାହାତୀ ଘର ଭାଙ୍ଗିବା ସହ ବୃଦ୍ଧ ଦମ୍ପତିଙ୍କୁ ଦଳିଦେଇଛି। ସୂଚନା ଅନୁସାରେ, ଲାଖବାହାଲି ପଞ୍ଚାୟତ ଦୋରାସାର୍ଲି ଗାଁର ଦୁଇଟି ପରିବାର କିଛି ବର୍ଷ ହେବ କାଦୋମାଳିରେ ଥିବା ତାଙ୍କ ଚାଷଜମିରେ ଘର କରି ରହି ଆସୁଛନ୍ତି। ଶନିବାର ରାତିରେ ଏକ ଦନ୍ତାହାତୀ ଆସି ମୁଗାନା ମାଝୀ (୭୦)ଙ୍କ ଘର ଭାଙ୍ଗି ଦେଇଥିଲା। ଭୟରେ ମୁଗାନା ଓ ତାଙ୍କ ସ୍ତ୍ରୀ ଗାଦ ମାଝୀ (୬୬) ଘରୁ ବାହାରି ଆସିବାରୁ ହାତୀ ଉଭୟଙ୍କୁ ଦଳି ଦେବା ସହ ଖଣ୍ଡବିଖଣ୍ଡିତ ମୃତଶରୀରକୁ ଏଣେତେଣେ ଫୋପାଡ଼ିଥିଲା। ତେବେ ମୁଗାନାଙ୍କ ସାନଭାଇ ସାଧୁ ମାଝୀ ଓ କୁଲୁ ମାଝୀ ଜୀବନ ବିକଳରେ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ।

ସେମାନଙ୍କଠାରୁ ଖବର ପାଇ ରବିବାର ସକାଳେ ବିଜେପୁର ଫରେଷ୍ଟର ପଦ୍ମଲୋଚନ ଶବର, ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ, ଲାଞ୍ଜିଗଡ଼ ଫରେଷ୍ଟଗାର୍ଡ ଗିରିଧାରୀ ଗଉଡ଼, ବିଜେପୁର ଥାନା ଅଧିକାରୀ ନୀଳାମ୍ବର ଜାନୀ, ଏସ୍‌ଆଇ ଶ୍ୟାମ କୁଲଶିକା ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଶ୍ୱନାଥପୁର ରେଞ୍ଜର ବିଭିନ୍ନ ସେକ୍ସନ୍‌ରେ କର୍ମଚାରୀ ନଥିବା, ହାତୀ ସ୍କ୍ବାଡ୍‌ରୁ ବହୁ କର୍ମଚାରୀଙ୍କୁ ବାହାର କରିଦିଆଯିବା ଫଳରେ ହାତୀମାନଙ୍କ ଗତିବିଧି ଉପରେ ପୂର୍ବଭଳି ନଜର ରଖିବା ସମ୍ଭବ ହେଉନାହିଁ। ତେଣୁ ବନ ବିଭାଗର ଚରମ ଅବହେଳା ଯୋଗୁଁ ହାତୀ-ମଣିଷ ମୁହାଁମୁହିଁ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ବନ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ବିଶ୍ୱନାଥପୁର ରେଞ୍ଜ ଦାୟିତ୍ୱରେ ଥିବା ଏସିଏଫ୍ ନରୋତ୍ତମ ମାଝୀ, ଲାଞ୍ଜିଗଡ଼ ସିଏଚ୍‌ସିର ଡା. ତନ୍ମୟ ପଣ୍ଡା, ଲାଞ୍ଜିଗଡ଼ ଫରେଷ୍ଟର ଧରଣୀ ପଣ୍ଡା, ବିଶ୍ୱନାଥପୁର ଫରେଷ୍ଟର ସୁନୀଲ ଦୁର୍ଗା ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତକଙ୍କ ପରିବାର ଓ ଅଞ୍ଚଳବାସୀ କ୍ଷତିପୂରଣ ଦାବି କରିଥିଲେ। ଏସିଏଫ୍ ଶ୍ରୀ ମାଝୀ ସରକାରୀ ବ୍ୟବସ୍ଥା ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଶାନ୍ତ ପଡ଼ିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button