ବୋମା ଧମକ ଯୋଗୁଁ ୮ ଘଣ୍ଟା ବିଳମ୍ବ ହେଲା ଭିସ୍ତାରା ବିମାନ – Utkal Mail
ନୂଆଦିଲ୍ଲୀ: ଦିଲ୍ଲୀରୁ ପୁଣେ ଯାଉଥିବା ଭିସ୍ତାରା ଏୟାରଲାଇନ୍ସରେ ବୋମା ଥିବା ଏକ ଅଜଣା ଫୋନକଲ ମାଧ୍ୟମରେ ସୂଚନା ମିଳିବା ପରେ ବିମାନଟି ୮ ଘଣ୍ଟା ବିଳମ୍ବ ହୋଇଥିଲା । ବିମାନଟି ଶୁକ୍ରବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରାୟ ୮ ଘଣ୍ଟା ଅଟକି ରହିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ବୋମା ଧମକ ମିଳିବା ପରେ ସମଗ୍ର ବିମାନର ସୁରକ୍ଷା ଯାଞ୍ଚ କରାଯାଇଥିଲା । ବିମାନର ସବୁ ସ୍ଥାନକୁ ତନ୍ନ ତନ୍ନ କରି ଖୋଜାଯିବା ପରେ ବି ବୋମା ମିଳିନଥିଲା । ଫଳରେ ବୋମା ବିପଦ ଆକଳନ କମିଟି ଅପରାହ୍ଣ ୨ଟା ୧୫ ମିନିଟରେ ବୋମା ନଥିବା ଘୋଷଣା କରିଥିଲା ଓ ଉକ୍ତ ଫୋନ କଲ ମାଧ୍ୟମରେ ମିଥ୍ୟା ସୂଚନା ଦିଆଯାଇଥିବା କୁହାଯାଇଥିଲା । ଏହାପରେ ବ୍ୟାପକ ସୁରକ୍ଷା ଯାଞ୍ଚ ପରେ ବିମାନ ବ୍ୟବହାର ପାଇଁ ସୁରକ୍ଷା ମଞ୍ଜୁରୀ ଏୟାରଲାଇନ୍ସକୁ ପ୍ରଦାନ କରାଯାଇଥିଲା।
ପୁଲିସ ସୂଚନା ଅନୁଯାୟୀ, ବିମାନ ୟୁକେ-୯୭୧ ସକାଳ ସାଢ଼େ ୮ଟାରେ ଉଡ଼ାଣ ଭରିବାର ଥିଲା ଏବଂ ଶେଷରେ ଅପରାହ୍ନ ସାଢ଼େ ୪ଟାରେ ଛାଡ଼ିଥିଲା। ଏହି ବିମାନରେ ୧୦୦ରୁ ଅଧିକ ଯାତ୍ରୀ ଏବଂ ୫ ଜଣ କ୍ରୁ ମେମ୍ବର ଥିଲେ। ଏୟାରଲାଇନ୍ସ ଏକ ବିବୃତିରେ କହିଛି ଯେ ବାଧ୍ୟତାମୂଳକ ସୁରକ୍ଷା ଯାଞ୍ଚ କାରଣରୁ ଉଡ଼ାଣ ବିଳମ୍ବିତ ହୋଇଥିଲା।
ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (ଡିଆଇଏଏଲ)ର ଗୁରୁଗ୍ରାମ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ୍ ଆସିଥିଲା, ଯାହାକୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ମାଧ୍ୟମରେ ସେମାନଙ୍କୁ ସୂଚୀତ କରାଯାଇଥିଲା ବୋଲି ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।