କୋଇଲା ମାଫିଆ ବାପି ସମେତ ଦୁଇ ଗିରଫ
ଟାଙ୍ଗୀ-ଚୌଦ୍ୱାର ୩୦/୮ :-ଚୌଦ୍ୱାର ପୋଲିସକୁ ମିଳିଛି ବଡ଼ ସଫଳତା । କୋଇଲା ମାଫିଆ ବାପି ଓରଫ ଜଗନ୍ନାଥ ଜେନାକୁ ଚୌଦ୍ୱାର ଥାନା ପୋଲିସ ଗିରଫ କରିବା ସହ ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି । ସେମାନେ ହେଲେ ତିଗିରିଆ ଥାନା ଅଧିନ ବନମାଳୀପୁରର ଉମେଶ ସ୍ୱାଇଁ (୩୦), ମୁନା ଓରଫ ମନିରୁଦିନ ଖାନ (୩୭) ଓ କଟକ ଚାଉଳିଆଗଞ୍ଜ ଥାନା ଅଧିନ ଜଷ୍ଟିସ ଛକ ମହାନଦୀବିହାରର ବାପି ଓରଫ ଜଗନ୍ନାଥ ଜେନା (୪୩)ବାପି ଦୀର୍ଘ ବର୍ଷଧରି ଏପରି ବେଆଇନ କୋଇଲା ଚାଲାଣରେ ଲିପ୍ତ ଥିବାର ସୂଚନା ମିଳିଛି । ପ୍ରତ୍ୟେକ ଦିନ ବାପି ତାଳଚେରରୁ ୧୫ ରୁ ୨୦ ଉର୍ଦ୍ଧ ଟ୍ରକରେ ବେଆଇନ ଭାବେ କୋଇଲା ଆଣି ମଙ୍ଗୁଳି, ଜଗତପୁର, ଚୌଦ୍ୱାରରେ ବିକ୍ରି କରି ଭଲ ମୁନଫା କମାଇଥାଏ । ତାଳଚେରରୁ ଆସୁଥିବା ଟ୍ରକକୁ ବାପି ଖୁଣ୍ଟୁଣୀ ଥାନା ପୂର୍ବରୁ ଏସ୍କଟ କରି ଚୌଦ୍ୱାର ଥାନା ପାର କରେଇବାରେ ମାହିର ଥିଲେ । ସୂଚନା ମୁତାବକ ଚୌଦ୍ୱାର ଥାନା ଏସଆଇ ଦିଲ୍ଲୀପ କୁମାର ମର୍ଦରାଜ ଭୂୟାଁ ସାଥି ପୋଲିସଙ୍କ ସହ ରବିବାର ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ କି କୋଇଲା ମାଫିଆ ବାପି ନିଜେ ଏକ ଟ୍ରକରେ ବେଆଇନ କୋଇଲା ନେଇ ୫୫ନମ୍ବର ଜାତୀୟ ରାଜପଥ ଦେଇ ଖୁଣ୍ଟୁଣୀରୁ ମଙ୍ଗୁଳି ଯାଉଛି । ପୋଲିସ ଧୀମାବତୀ ନିକଟରେ କୋଇଲା ଟ୍ରକକୁ ଅଟକାଇ ଲୋଡ କୋଇଲାର କାଗଜ ପତ୍ର ଯାଞ୍ଚ କରିବାରୁ ଡ୍ରାଇଭର କୌଣସି ସଠିକ କାଗଜପତ୍ର ଦେଖାଇ ପାରି ନ ଥିଲା । ପରେ ପୋଲିସ କୋଇଲା ବୋଝେଇ ଟ୍ରକ ସମେତ ତିନି ଜଣ ଗିରଫ କରିଥିଲା । ଦୀର୍ଘ ଦିନ ଧରି ପୋଲିସ ସ୍କାନରରେ ଥିବା ବାପିଙ୍କ ଘର କଟକ ମହାନଦୀବିହାରରେ ହୋଇଥିବା ବେଳେ ସେ ଟାଙ୍ଗୀ ଥାନା ଅଧିନ ମଙ୍ଗୁଳିରେ ଏକ ବେଆଇନ କୋଇଲା ଡିପୁ କରି ଭଲ ମୁନଫା କମଉଥିବାର ଜଣାପଡିଛି । ବାପି ଅନେକ ଡ୍ରାଇଭରଙ୍କୁ ହାତରେ ରଖି ତାଳଚେରରୁ ଆସୁଥିବା କୋଇଲାକୁ ବାଟରେ କାଢି ସେଥିରେ କୋଇଲା ଛଇ ମିଶ୍ରଣ କରିବାରେ ମାହିର ବୋଲି ସ୍ଥାନୀୟ ବ୍ୟବସୟୀ ଅଭିଯୋଗ କରିବା ସହ । ସ୍ଥାନୀୟ ବ୍ୟବସାୟୀଙ୍କୁ ମଧ୍ୟ ଅନେକ ସମୟ ଧମକ ଚମକ ଦେଉଥିଲା । ଚୌଦ୍ୱାର ପୋଲିସ ଏଭଳି ଦୀର୍ଘଦିନର ମାଷ୍ଟର ମାଇଣ୍ଡ ତଥା କୋଇଲା ମାଫିଆକୁ ଗିରଫ କରିବାରେ ସକ୍ଷମ ହୋଇଥିବାରୁ ଚୌଦ୍ୱାରର ବିଭିନ୍ନ ମହଲରୁ ପ୍ରଶଂସା କରିଛନ୍ତି ।