ଖୁଚୁରା ଦର କମିଲା: ନିୟନ୍ତ୍ରଣ ବାହାରେ ସ୍ଥାନୀୟ ବଜାର – Utkal Mail
ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୨%କୁ ହ୍ରାସ
ମୁମ୍ବାଇ/ଭୁବନେଶ୍ବର: ସାରା ଦେଶରେ ପାର୍ବଣ ଋତୁ ପୂର୍ବରୁ ଖୁସି ଖବର ଆସିଛି। ଖୁଚୁରା ବଜାରରେ ବିଭିନ୍ନ ସାମଗ୍ରୀ ଦାମ୍ ହ୍ରାସ ପାଇଛି। ତାହାର ପ୍ରଭାବରେ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୨ ପ୍ରତିଶତକୁ ହ୍ରାସ ପାଇଛି। ପନିପରିବା ଦାମ୍ କମିଥିବାରୁ ଖୁଚୁରା ମୁଦ୍ରାସ୍ଫୀତି କମ୍ ହୋଇଛି। ପାର୍ବଣ ପୂର୍ବରୁ ଏହା ସାଧାରଣ ଗ୍ରାହକମାନଙ୍କ ଲାଗି ଏକ ଆଶ୍ବସ୍ତି ଭରା ଖବର ହୋଇଥିବା ବେଳେ ଆସନ୍ତା ବର୍ଷ ନିର୍ବାଚନ ସାମ୍ନା କରିବାକୁ ଯାଉଥିବା କେନ୍ଦ୍ର ସରକାରଙ୍କ ପାଇଁ ମଧ୍ୟ ବେଶ ସନ୍ତୋଷଜନକ ବିଷୟ।
କିନ୍ତୁ ଭୁବନେଶ୍ବର ବଜାର ଉପରେ ନଜର ପକାଇଲେ ବର୍ତ୍ତମାନ ଏକ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ଗତ ସେପ୍ଟେମ୍ବରରେ ଯଦିଓ କିଛି ପନିପରିବା ଦାମ୍ ଶସ୍ତା ଥିଲା, ଏବେ କିନ୍ତୁ ସମ୍ପୂର୍ଣ୍ଣ ଅଲଗା ସ୍ଥିତି ରହିଛି। ଅଧିକାଂଶ ପନିପରିବା ଦାମ୍ ଅଧିକ ରହିଛି। ବଜାରରେ ପନିପରିବା ଦର ଯେଉଁଭଳି ଉଚ୍ଚ ସ୍ତରରେ ରହିଛି ତାହା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଟମାଟୋକୁ ବାଦ ଦେଲେ ଅନ୍ୟ ସବୁ ପ୍ରକାର ପନିପରିବା ମହଙ୍ଗା ହୋଇଯାଇଛି। ଆଳୁ, ପିଆଜ, ବାଇଗଣ, ପୋଟଳ, ସଜନା ଛୁଇଁ, ଶାଗ, ବିନ୍, ଅମୃତଭଣ୍ଡା, କଖାରୁ, ଝୋଡ଼ଙ୍ଗ, ଗାଜର, କାକୁଡ଼ି, କ୍ୟାପ୍ସିକମ୍ ମହଙ୍ଗା ହୋଇଛି।
ଉଲ୍ଲେଖଥାଉକି, ଗତ ଜୁଲାଇ ଓ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ହାର ଯଥାକ୍ରମେ ୭.୪୪ ପ୍ରତିଶତ ଓ ୬.୮୩ ପ୍ରତିଶତ ଥିଲା। ସେପ୍ଟେମ୍ବରରେ ସେଥିରେ ବଡ଼ ଧରଣର ସୁଧାର ଘଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୬ ପ୍ରତିଶତ ସୀମା ମଧ୍ୟରେ ତାହା ପ୍ରବେଶ କରିଛି। ତେବେ ୫ଟି ରାଜ୍ୟରେ ମୁଦ୍ରାସ୍ଫୀତି ଅଧିକ ରହିଛି। ସେଗୁଡ଼ିକ ହେଲା ରାଜସ୍ଥାନ (୬.୫୩), ହରିଆଣା (୬.୪୯), କର୍ଣ୍ଣାଟକ (୬), ତେଲେଙ୍ଗାନା (୫.୯୭) ଏବଂ ଓଡ଼ିଶା (୫.୮୭)। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ସାରା ଦେଶରେ ସେପ୍ଟେମ୍ବରରେ ପନିପରିବା, ଦୁଗ୍ଧ, ଡାଲି, ଅଣ୍ଡା, ଇନ୍ଧନ ଓ ବିଦ୍ୟୁତ ଦାମ୍ କମ୍ ହୋଇଥିବା ବେଳେ ମାଛ ଓ ମାଂସ ଦାମ୍ ବଢ଼ିଛି। କିଛି ଦିନ ତଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ଦରଦାମ୍ ବିରୋଧରେ ଲଢ଼େଇ ଲମ୍ବା ସମୟ ଚାଲିବ। ବିଭିନ୍ନ ସାମଗ୍ରୀର ଦାମ୍ କମ୍ ହେବା ଲାଗି ଆସନ୍ତା ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।