ଦେଶ ବିଦେଶ

‘ମନ୍ କୀ ବାତ୍’: ଚନ୍ଦ୍ରଯାନ-୩ ନବଭାରତର ପରିଚୟ ପାଲଟିଛି: – Utkal Mail


ଆମର ସ୍ବପ୍ନ ବଡ଼, ପ୍ରୟାସ ବି ବଡ଼, ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ପ୍ରସ୍ତୁତ

ନୂଆଦିଲ୍ଲୀ: ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ୧୦୪ତମ ମନ୍‌ କୀ ବାତ୍‌ରେ କହିଥିଲେ ଯେ, ଚନ୍ଦ୍ରଯାନ-୩ ଏହା ପ୍ରମାଣିତ କରିଛି ଯେ ସଂକଳ୍ପର କିଛି ସୂର୍ଯ୍ୟ ଚନ୍ଦ୍ରରେ ମଧ୍ୟ ଉଦୟ ହୋଇଛି। ମିସନ ଚନ୍ଦ୍ରଯାନ-୩ ନବଭାରତର ପରିଚୟ ପାଲଟିଛି। ମିସନ ଚନ୍ଦ୍ରଯାନ ନବଭାରତର ସେହି ସ୍ପିରିଟ୍‌ (ଉତ୍ସାହ)ର ପ୍ରତୀକ ହୋଇଯାଇଛି, ଯାହା ପ୍ରତ୍ୟେକ ପରିସ୍ଥିତିରେ ଜିତିବାକୁ ଚାହେ ଏବଂ ପ୍ରତ୍ୟେକ ପରିସ୍ଥିତିରେ କିପରି ଜିତିବାକୁ ହୁଏ ତାହା ମଧ୍ୟ ଜାଣେ। ସେ କହିଛନ୍ତି ଯେ, ଭାରତର ମିସନ ଚନ୍ଦ୍ରଯାନ ମହିଳା ଶକ୍ତିର ମଧ୍ୟ ଏକ ଜୀବନ୍ତ ଉଦାହରଣ। ଅନେକ ମହିଳା ବୈଜ୍ଞାନିକ ଓ ଇଞ୍ଜିନିୟର ଏହି ପୂରା ମିସନରେ ସିଧାସଳଖ ସାମିଲ ହୋଇଛନ୍ତି। ବିଭିନ୍ନ ସିଷ୍ଟମର ପ୍ରୋଜେକ୍ଟ ଡାଇରେକ୍ଟର, ପ୍ରୋଜେକ୍ଟ ମ୍ୟାନେଜର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମହିଳାମାନେ ତୁଲାଇଛନ୍ତି। ଅନନ୍ତ (ଅସୀମ) ବୋଲି ବିବେଚନା କରାଯାଉଥିବା ଅନ୍ତରୀକ୍ଷକୁ ଭାରତର ଝିଅମାନେ ବି ଏବେ ଚ୍ୟାଲେଞ୍ଜ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଆମେ ଚନ୍ଦ୍ରରେ ପହଞ୍ଚିବାରେ ସକ୍ଷମ ହୋଇଛୁ କାରଣ ଆଜି ଆମର ସ୍ୱପ୍ନ ବଡ଼ ଏବଂ ଆମର ପ୍ରୟାସ ମଧ୍ୟ ବଡ଼। ଚନ୍ଦ୍ରଯାନ-୩ର ସଫଳତାରେ ଆମ ବୈଜ୍ଞାନିକଙ୍କ ସହ ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସମସ୍ତ ଅଂଶ ଏବଂ ବୈଷୟିକ ଆବଶ୍ୟକତାକୁ ପୂରଣ କରିବାରେ ଅନେକ ଦେଶବାସୀ ଯୋଗଦାନ ଦେଇଛନ୍ତି।

ନୂଆଦିଲ୍ଲୀରେ ଆସନ୍ତା ମାସରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ୪୦ଟି ଦେଶର ରାଷ୍ଟ୍ରାଧ୍ୟକ୍ଷ ଏବଂ ଅନେକ ବିଶ୍ୱସ୍ତରୀୟ ସଂଗଠନ ରାଜଧାନୀ ଦିଲ୍ଲୀ ଆସୁଛନ୍ତି। ଜି-୨୦ ଶିଖର ସମ୍ମିଳନୀ ଇତିହାସରେ ଏହା ସବୁଠାରୁ ବଡ଼ ଅଂଶଗ୍ରହଣ ହେବ। ନିଜ ଅଧ୍ୟକ୍ଷତା କାଳରେ ଭାରତ ଜି-୨୦କୁ ଅଧିକ ସମାବେଶୀ ମଞ୍ଚରେ ପରିଣତ କରିଛି। ଭାରତର ନିମନ୍ତ୍ରଣକ୍ରମେ ଆଫ୍ରିକୀୟ ସଂଘ ମଧ୍ୟ ଜି-୨୦ରେ ସାମିଲ ହୋଇଛି ଏବଂ ଆଫ୍ରିକାର ଲୋକଙ୍କ ସ୍ୱର ବିଶ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ମଞ୍ଚରେ ପହଞ୍ଚିଛି।

ଚୀନ୍‌ରେ ଭାରତୀୟ ଖେଳାଳିଙ୍କ ଧମାଲ
ଚୀନ୍‌ରେ ଆୟୋଜିତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କିଛିଦିନ ତଳେ ଚୀନରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା। ଏଥର ଏହି ମ୍ୟାଚ୍‌ଗୁଡ଼ିକରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ରହିଛି। ଆମ ଖେଳାଳିମାନେ ମୋଟ ୨୬ଟି ପଦକ ଜିତିଥିବା ବେଳେ ସେଥିରୁ ୧୧ଟି ସ୍ୱର୍ଣ୍ଣ ପଦକ ଥିଲା। ଆପଣ ଜାଣି ଖୁସି ହେବେ ଯେ, ଯଦି ଆପଣ ୧୯୫୯ ପରଠାରୁ ସମସ୍ତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଭାରତ ଜିତିଥିବା ପଦକକୁ ମିଶାଇଦିଅନ୍ତି, ତେବେ ଏହି ସଂଖ୍ୟା ମାତ୍ର ୧୮ ହେବ।

ତ୍ରିରଙ୍ଗା ସହ ସେଲ୍‌ଫି ପୋଷ୍ଟ କରିବାରେ ରେକର୍ଡ
ଏଥର ଅଗଷ୍ଟ ୧୫ରେ ଦେଶ ‘ସବ୍‌କା ପ୍ରୟାସ’ର ଶକ୍ତି ଦେଖିଥିଲା। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କ ପ୍ରୟାସ ‘ହର ଘର ତିରଙ୍ଗା ଅଭିଯାନ’କୁ ପ୍ରକୃତରେ ‘ହର ମନ ତିରଙ୍ଗା ଅଭିଯାନ’ରେ ପରିଣତ କରିଛି। ଏଥର ତ୍ରିରଙ୍ଗା ସହ ସେଲ୍‌ଫି ପୋଷ୍ଟ କରି ଦେଶବାସୀ ଏକ ନୂଆ ରେକର୍ଡ କରିଛନ୍ତି। ୧.୫ ଲକ୍ଷ ଡାକଘର ମାଧ୍ୟମରେ ପ୍ରାୟ ଦେଢ଼ କୋଟି ତ୍ରିରଙ୍ଗା ବିକ୍ରି ହୋଇଛି। ଏହାଦ୍ୱାରା ଆମର ଶ୍ରମିକ, ବୁଣାକାର ଏବଂ ବିଶେଷ କରି ମହିଳାମାନଙ୍କ ପାଇଁ ଶହ ଶହ କୋଟି ଟଙ୍କାର ରୋଜଗାର ହୋଇଛି। ଏଥର ତ୍ରିରଙ୍ଗା ସହ ସେଲ୍‌ଫି ପୋଷ୍ଟ କରି ଦେଶବାସୀ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଗତବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ପ୍ରାୟ ୫ କୋଟି ଦେଶବାସୀ ତ୍ରିରଙ୍ଗା ସହ ସେଲ୍‌ଫି ପୋଷ୍ଟ କରିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୧୦ କୋଟି ଅତିକ୍ରମ କରିଛି।

ଅଗଷ୍ଟ ୨୯ରେ ପାଳନ ହେବ ତେଲୁଗୁ ଦିବସ
ସଂସ୍କୃତ ଭାଷାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସଂସ୍କୃତ ବିଶ୍ୱର ସବୁଠାରୁ ପୁରୁଣା ଭାଷା ମଧ୍ୟରୁ ଅନ୍ୟତମ। ଏହାକୁ ଅନେକ ଆଧୁନିକ ଭାଷାର ଜନନୀ ମଧ୍ୟ କୁହାଯାଏ। ଆଜି ଲୋକଙ୍କ ମଧ୍ୟରେ ସଂସ୍କୃତ ବିଷୟରେ ସଚେତନତା ଓ ଗର୍ବ ଭାବନା ବୃଦ୍ଧି ପାଇଛି। ବିଗତ ବର୍ଷଗୁଡ଼ିକରେ ଦେଶର ଏକ ବିଶେଷ ଅବଦାନ ରହିଛି। ଆମ ସଂସ୍କୃତି ସହିତ ଯୋଡ଼ି ହେବାର ଆମ ପରମ୍ପରାର ଏକ ଶକ୍ତିଶାଳୀ ମାଧ୍ୟମ ହେଉଛି ଆମ ମାତୃଭାଷା। ଭାରତର ଏଭଳି ଆଉ ଏକ ମାତୃଭାଷା ହେଉଛି ଗୌରବଶାଳୀ ତେଲୁଗୁ ଭାଷା। ଅଗଷ୍ଟ ୨୯କୁ ତେଲୁଗୁ ଦିବସ ଭାବେ ପାଳନ କରାଯିବ। ଆପଣ ସମସ୍ତଙ୍କୁ ତେଲୁଗୁ ଦିବସର ବହୁତ ବହୁତ ଶୁଭେଚ୍ଛା ବୋଲି ମୋଦୀ ତାଙ୍କ ମନ୍ କୀ ବାତ୍‌ରେ କହିଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button