୧୬ରୁ ୧୮ ବର୍ଷ ସହମତିଭିତ୍ତିକ ଯୌନ ସମ୍ପର୍କ ମାମଲା: କେନ୍ଦ୍ରର ମତ ଲୋଡ଼ିଲେ ସୁପ୍ରିମ୍କୋର୍ଟ – Utkal Mail
ନୂଆଦିଲ୍ଲୀ: ୧୬ରୁ ୧୮ ବର୍ଷୀୟ ତରୁଣ-ତରୁଣୀଙ୍କ ମଧ୍ୟରେ ସହମତିଭିତ୍ତିକ ଯୌନ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ମୁକ୍ତ କରିବା ଲାଗି ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ଶୁକ୍ରବାର ଏହା ଉପରେ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ହର୍ଷ ବିଭୋର ସିଂହଲ ନାମକ ଆଇନଜୀବୀ ଦାଖଲ କରିଥିବା ଆବେଦନର ଶୁଣାଣି କରିଥିଲେ। କୋର୍ଟ ଏହା ଉପରେ ମତାମତ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ଜାତୀୟ ମହିଳା କମିସନ ସମେତ ଅନ୍ୟ କେତେକ ନ୍ୟାୟିକ ସଂସ୍ଥାକୁ ନୋଟିସ ଜାରି କରିଛନ୍ତି।
ଜନସ୍ବାର୍ଥ ମାମଲାରେ ନ୍ୟାୟିକ ବଳାତ୍କାର ଆଇନର ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି, ଯେଉଁଥିରେ ୧୬ରୁ ଅଧିକ ଓ ୧୮ ବର୍ଷରୁ କମ୍ ବୟସ୍କ କିଶୋର-କିଶୋରୀଙ୍କ ସହମତିଭିତ୍ତିକ ଯୌନ ସମ୍ପର୍କକୁ ଅପରାଧଭୁକ୍ତ କରାଯାଇଛି। ଏହି ଆଇନ ଅନୁସାରେ ଏପରି କାର୍ଯ୍ୟ ପାଇଁ ସେମାନଙ୍କ ସହମତିକୁ ଅବୈଧ ବୋଲି ଦର୍ଶାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ, ୧୬ରୁ ଊର୍ଦ୍ଧ୍ବ ବୟସ୍କ କିଶୋର-କିଶୋରୀଙ୍କର ଶାରୀରିକ, ଜୈବିକ, ମାନସିକ ଓ ସାମାଜିକ କ୍ଷମତା ରହିଛି। ବିପଦକୁ ବୁଝିବାର ଏବଂ ମୁକ୍ତ ଭାବରେ ନିଷ୍ପତ୍ତି ନେବାର ଦକ୍ଷତା ସେମାନଙ୍କର ରହିଛି।



