ଓଡିଶା

ଝାରପଡ଼ା ଜେଲ୍‌ରେ କଏଦୀ ମୃତ୍ୟୁ ମାମଲା: ମର୍ଗରେ ତାଲା ପକାଇ ଧାରଣା

ଭୁବନେଶ୍ବର: ନିଶା କାରବାର ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍ରେ ଥିବା ବିଚାରାଧୀନ କଏଦୀ ବିଦ୍ୟାଧର ଗୁରୁଙ୍କ ମୃତ୍ୟୁକୁ ନେଇ ଆଜି ମଧ୍ୟ କ୍ୟାପିଟାଲ୍ ହସ୍ପିଟାଲ୍ରେ ଉତ୍ତେଜନା ଲାଗିରହିଥିଲା। ମୃତ ବିଦ୍ୟାଧରଙ୍କ ପରିବାର ଲୋକଙ୍କ ସମେତ ପ୍ରାୟ ୨୦୦ରୁ ଅଧିକ ବ୍ୟକ୍ତି ଶବ ବ୍ୟବଚ୍ଛେଦ ଗୃହ(ମର୍ଗ)ରେ ତାଲା ପକାଇ ଧାରଣା ଦେବାରୁ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା।

ପ୍ରାୟ ୩ଘଣ୍ଟା କାଳ ମର୍ଗ ବନ୍ଦ ରହିବାରୁ ଅନ୍ୟ ସବୁ ମୃତଦେହ ବ୍ୟବଚ୍ଛେଦ ହେବାରେ ବାଧା ସୃଷ୍ଟି ହୋଇଥିଲା ଏବଂ ଉତ୍ତେଜନା ବଢ଼ିବାରେ ଲାଗିଥିଲା। କିନ୍ତୁ ଲକ୍ଷ୍ମୀସାଗର ଥାନାରେ ହତ୍ୟା ମାମଲା ରୁଜୁହେବା ପରେ ଏବଂ ଜାତୀୟ ମାନବାଧିକାର କମିସନ(ଏନ୍ଏଚ୍ଆର୍ସି)ଙ୍କ ଗାଇଡ୍ଲାଇନ୍ରେ ଶବ ବ୍ୟବଚ୍ଛେଦ ହେବାରୁ ପରିସ୍ଥିତିରେ ସୁଧାର ଆସିଥିଲା।

ମର୍ଗରେ ତାଲା ପକାଇ ଧାରଣା
ଏନ୍ଏଚ୍ଆର୍ସି ମାର୍ଗଦର୍ଶିକାରେ ହେଲା ବ୍ୟବଚ୍ଛେଦ

ଶୁକ୍ରବାର ଜେଲ୍ରେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ବିଦ୍ୟାଧରଙ୍କୁ ଜେଲ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଯୋଗାଇଦିଆଯାଇଥିଲା। ପରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସକାଳ ୯ଟା ବେଳେ ବିଦ୍ୟାଧରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କୁ ଅପରାହ୍ଣ ୧ଟା ବେଳେ ଖବର ଦିଆଯାଇଥିଲା। ସେହିଭଳି ବିଦ୍ୟାଧରଙ୍କ ମୁଣ୍ଡ ଫାଟିଥିବା ବେଳେ ଦେହରେ ମାଡ଼ ଚିହ୍ନ ରହିଛି। ତେଣୁ ତାଙ୍କୁ ମାଡ଼ ମାରି ହତ୍ୟା କରାଯାଇଛି। କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ଦୋଷ ଘୋଡ଼ାଇବାକୁ ଏହାକୁ ଭିନ୍ନ ରୂପ ଦେବାକୁ ଉଦ୍ୟମ କରୁଛନ୍ତି। ଏହି ଅଭିଯୋଗ ଆଧାରରେ ଗତକାଲି ସମ୍ପର୍କୀୟମାନେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଧାରଣା ଦେବାରୁ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା। ଆଜି ସକାଳୁ ମଧ୍ୟ ସମାନ ପରିସ୍ଥିତି ଲାଗି ରହିଥିଲା। ଜେଲ୍ କର୍ମଚାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୃତକଙ୍କ ସମ୍ପର୍କୀୟମାନେ ଶବ ସଂରକ୍ଷଣ ଗୃହରେ ତାଲା ପକାଇ ଧାରଣାରେ ବସିଲେ। ପୁଲିସ ବୁଝାସୁଝା କଲେ ବି ସେମାନେ ନିଜ ଜିଦ୍ରେ ଅଟଳ ରହିଲେ। ବିଧାୟକ ସୁଶାନ୍ତ ରାଉତ ଓ ବିଜେଡି ନେତା ମନ୍ମଥ ରାଉତରାୟ ଧାରଣାରତ ଲୋକଙ୍କୁ ବୁଝାସୁଝା କରିଥିଲେ।

ସେପଟେ ଶବ ବ୍ୟବଚ୍ଛେଦ ବନ୍ଦ ହୋଇଯିବାରୁ ଅନ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ସ୍ଥିତି ଜଟିଳ ହେବାକୁ ଲାଗିଲା। ତେଣୁ ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ସେଠାକୁ ଅଧିକ ସଂଖ୍ୟାରେ ପୁଲିସ ଫୋର୍ସ ପଠାଯାଇଥିଲା। ଧାରଣାରତ ଲୋକଙ୍କ ଦାବି ଅନୁସାରେ ଲକ୍ଷ୍ମୀସାଗର ଥାନା ପୁଲିସ ହତ୍ୟା ମାମଲା ରୁଜୁ କରିବାରୁ ଧାରଣା ହଟିଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ ଜେଲ୍କୁ ଯାଇ ସିସିଟିଭି ଯାଞ୍ଚ କରିବା ସହ ଜେଲ୍ କର୍ମଚାରୀ ଓ ଅନ୍ୟ କଏଦୀମାନଙ୍କୁ ପଚରାଉଚରା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହାପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏନ୍ଏଚ୍ଆର୍ସି ମାର୍ଗଦର୍ଶିକା ଅନୁସାରେ ଜଣେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ୩ଜଣ ଡାକ୍ତର ବ୍ୟବଚ୍ଛେଦ କରିଥିଲେ। ଶବ ବ୍ୟବଚ୍ଛେଦର ପୂରା ଭିଡିଓଗ୍ରାଫି କରାଯାଇଥିଲା। ଏନେଇ ଜେଲ୍ ଡିଜିପି ଅରୁଣ ରାୟ କହିଛନ୍ତି ଯେ ପୁଲିସ ମାମଲାର ତଦନ୍ତ କରୁଛି। ପୁଲିସ ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button