ଦେଶ ବିଦେଶ

ହିଣ୍ଡେନବର୍ଗ ଟାର୍ଗେଟ୍‌ରେ ‘ସେବି’ ମୁଖ୍ୟ! ସେବି ମୁଖ୍ୟାଳୟରେ ମାଧବୀଙ୍କୁ ଭେଟିଥିଲେ ଆଦାନି

: ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ଆଜି ଆଦାନି ମାମଲାରେ ଆଉ ଏକ ବଡ଼ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍‌ଙ୍କୁ ସିଧାସଳଖ ଟାର୍ଗେଟ୍‌ କରାଯାଇଛି। ଆଦାନି ଗ୍ରୁପ୍‌ର ସ୍କାମ୍‌ରେ ଜଡିତ ବିଦେଶୀ କମ୍ପାନିରେ ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍‌ ଏବଂ ତାଙ୍କ ସ୍ବାମୀ ଧବଲ ବୁଚ୍‌ଙ୍କ ଅଂଶଧନ ରହିଥିବା ରିପୋର୍ଟରେ କୁହାଯାଇଛି।

ଏହି ଅଭିଯୋଗ ଉପରେ ମାଧବୀ ପୁରୀ ବୁଚ୍‌ କିମ୍ବା ସେବି ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ମତାମତ ଦିଆଯାଇନାହିଁ।

ହିଣ୍ଡେନବର୍ଗ ରିପୋର୍ଟରେ ଏହା କୁହାଯାଇଛି ଯେ ପୂର୍ବରୁ ଆମେ ଏହା ଅବଗତ ହୋଇ ନଥିଲୁ ଯେ ବିନୋଦ ଆଦାନି ଯେଉଁ ଜଟିଳ ଉପାୟରେ ସମାନ ଫଣ୍ଡରେ ନିବେଶ କରିଥିଲେ ସେହି ସମାନ ବରମୁଡା ଓ ମରିସସ୍‌ର ଫଣ୍ଡ୍‌ରେ ବର୍ତ୍ତମାନର ସେବି ମୁଖ୍ୟ ଏବଂ ତାଙ୍କ ସ୍ବାମୀଙ୍କ ଅଂଶଧନ ରହିଛି। ମାଧବୀ ଓ ତାଙ୍କ ସ୍ବାମୀ ପ୍ର‌ଥମେ ଆଇପିଇ ପ୍ଲସ ଫଣ୍ଡ ୧ରେ ସିଙ୍ଗାପୁରରେ ୨୦୧୫ ଜୁନ୍‌ ୫ରେ ସେମାନଙ୍କ ଆକାଉଣ୍ଟ ଖୋଲିଥିଲେ। ଉକ୍ତ ଫଣ୍ଡ୍‌ରେ ଦିଆଯାଇଥିବା ଘୋଷଣାନାମାରେ ନିବେଶର ଉତ୍ସ ବେତନ ବୋଲି ଦର୍ଶାଯାଇଥିଲା। ଦମ୍ପତିଙ୍କ ନିଟ୍‌ ସଂପତ୍ତି ୧୦ ନିୟୁତ ଡଲାର ବୋଲି ଆକଳନ କରାଯାଇଥିଲା। ଆଦାନି ଗ୍ରୁପ୍‌ର ସନ୍ଦିଗ୍ଧ ବିଦେଶୀ ଅଂଶଧନ ସଂପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନଦେଖାଇବାର କାରଣ ଏହା ହୋଇପାରେ ଯେ ଗୌତମ ଆଦାନିଙ୍କ ଭାଇ ‌ବିନୋଦ ଆଦାନି ଯେଉଁ ଫଣ୍ଡ୍‌ ସହ ଜଡ଼ିତ ଥିଲେ ସେହି ସମାନ ଫଣ୍ଡରେ ମାଧବୀଙ୍କର ସଂପର୍କ ଥିଲା। ଏଥିସହିତ ଇଣ୍ଡିଆ ଇନଫୋଲାଇନ ଦ୍ବାରା ପରିଚାଳିତ ଇଏମ୍‌ ରିସର୍ଜେଣ୍ଟ ଫଣ୍ଡ ଏବଂ ଏମର୍ଜିଂ ଇଣ୍ଡିଆ ଫୋକସ ଫଣ୍ଡ୍‌ସ ସଂପର୍କରେ ଆଦାନିର ଅନ୍ୟ ସନ୍ଦିଗ୍ଧ ଅଂଶଧାରୀଙ୍କ ସଂପର୍କରେ ରିପୋର୍ଟରେ ଅଣାଯାଇଥିବା ଅଭିଯୋଗ ସଂପର୍କରେ ମଧ୍ୟ ସେବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ଗତବର୍ଷ ଜାନୁଆରିରେ ହିଣ୍ଡେନବର୍ଗ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଥିଲା। ସେଥିରେ ଗୌତମ ଆଦାନିଙ୍କ କମ୍ପାନି ଆକାଉଣ୍ଟିଂ ସହିତ ଷ୍ଟକରେ ଜାଲିଆତି କରିଥିବା ଅଭିଯୋଗ କରିଥିଲା। କିନ୍ତୁ ସେହି ରିପୋର୍ଟକୁ ଆଦାନି ଗ୍ରୁପ ଅସ୍ବୀକାର କରିଥିଲା। ଏଥିସହିତ ସେବି ପକ୍ଷରୁ ହିଣ୍ଡେନବର୍ଗ ଏକ କାରଣ ଦର୍ଶାଅ ନୋଟିସ ପାଇଥିଲା ବୋଲି ଚଳିତବର୍ଷ ଜୁଲାଇରେ କହିଥିଲା।

ସେବିର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ପଦରେ ମାଧବୀ ୨୦୧୭ ମାର୍ଚ୍ଚ ୨୨ରେ ନିଯୁକ୍ତି ପାଇବାର କିଛି ସପ୍ତାହ ପୂର୍ବରୁ ତାଙ୍କ ସ୍ବାମୀ ଧବଲ ବୁଚ୍‌ ମରିସସ୍‌ର ଫଣ୍ଡ୍‌ ଆଡମିନିଷ୍ଟ୍ରେଟର ଟ୍ରାଇଡେଣ୍ଟ୍‌ ଟ୍ରଷ୍ଟକୁ ଏକ ଚିଠି ଲେଖିଥିଲେ। ସେହି ଇମେଲ୍‌ଟି ତାଙ୍କର ଏବଂ ତାଙ୍କ ପତ୍ନୀଙ୍କର ଗ୍ଲୋବାଲ ଡାଇନାମିକ ଅପର୍ଚ୍ୟୁନିଟି ଫଣ୍ଡ୍‌ (ଜିଡିଓଏଫ୍‌)ରେ ନିବେଶ ସଂପର୍କରେ ରହିଥିଲା ବୋଲି ହିଣ୍ଡେନବର୍ଗ ଅଭିଯୋଗ କରିଛି। ଚିଠିରେ ସେ ଏହା ମଧ୍ୟ ଅନୁରୋଧ କରିଥିଲେ ଆକାଉଣ୍ଟ ପରିଚାଳନା ପାଇଁ ତାଙ୍କୁ ଏକମାତ୍ର ସ୍ବୀକୃତିପ୍ରାପ୍ତ ବ୍ୟକ୍ତିଭାବେ ଅନୁମତି ଦିଆଯାଉ। ତେଣୁ ସେବିରେ ନିଯୁକ୍ତି ପୂର୍ବରୁ ଧବଲ ପତ୍ନୀଙ୍କୁ ଏସବୁରୁ ବାଦ୍‌ ଦେବାକୁ ଚାହିଥିଲେ। ଉକ୍ତ ସମାନ ଫଣ୍ଡକୁ ଗୌତମ ଆଦାନିଙ୍କ ଭାଇ ବିନୋଦ ଆଦାନି ବ୍ୟବହାର କରିଥିବା ଅଭିଯୋଗ କରାଯାଇଛି। ସେହି ସମୟରେ ଧବଲ ବୁଚ୍‌ଙ୍କର ଅଂଶଧନର ମୋଟ ମୂଲ୍ୟ ୮,୭୨,୭୬୨.୨୫ ଡଲାର ରହିଥିଲା। ବର୍ତ୍ତମାନ ସୁଦ୍ଧା ସେବି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ହିଣ୍ଡେନବର୍ଗ ଅଭିଯୋଗ କରିଛି।

ଏଥିସହିତ ବିଭିନ୍ନ ଭାରତୀୟ ଏବଂ ବିଦେଶୀ ସ୍ବାଧୀନ ଗଣମାଧ୍ୟମରେ ହିଣ୍ଡେନବର୍ଗର ଅଭିଯୋଗ ଆଧାରରେ ଆଦାନି ଗ୍ରୁପ ବିରୋଧରେ ପ୍ରକାଶ ପାଇଥିବା ରିପୋର୍ଟକୁ ମଧ୍ୟ ଗୁରୁତ୍ବର ସହ ନିଆଯାଇ ନଥିବା କୁହାଯାଇଛି। ମାଧବୀ ସେବି ମୁଖ୍ୟ ଦାୟିତ୍ବ ନେବା ପରେ ଗୌତମ ଆଦାନି ପ୍ରଥମ ହାଇ ପ୍ରୋଫାଇଲ ବ୍ୟବସାୟୀଭାବେ ତାଙ୍କୁ ମୁମ୍ବାଇସ୍ଥିତ ମୁଖ୍ୟାଳୟରେ ଭେଟିଥିଲେ। ୨୦୧୭ ଏପ୍ରିଲରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ମାଧବୀ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ଏବଂ ଅଧ୍ୟକ୍ଷ ଥିବା ସମୟରେ ସିଙ୍ଗାପୁରଭିତ୍ତିକ କନସଲଟିଂ ଫାର୍ମ ଆଗୋରା ପାର୍ଟନର୍ସରେ ୧୦୦ ପ୍ରତିଶତ ଅଂଶଧନ ଥିଲା। ୨୦୨୨ ମାର୍ଚ୍ଚ ୧୬ରେ ସେ ସେବି ଅଧ୍ୟକ୍ଷ ନିଯୁକ୍ତ ହେବାର ଦୁଇ ସପ୍ତାହ ପରେ ସେ ତାଙ୍କ ଅଂଶଧନକୁ ସ୍ବାମୀଙ୍କ ନାମକୁ ପଠାଇ ଦେଇଥିଲେ। ମାଧବୀ ପୂର୍ଣ୍ଣକାଳୀନ ସଦସ୍ୟ ଥିବାବେଳେ ୨୦୧୯ରେ ତାଙ୍କ ସ୍ବାମୀଙ୍କୁ ବ୍ଲାକଷ୍ଟୋନରେ ବରିଷ୍ଠ ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଥିଲା। ଏଭଳି ଅନେକ ଅଭିଯୋଗ ହିଣ୍ଡେନବର୍ଗ ମାଧବୀ ପୁରୀ ଓ ତାଙ୍କ ସ୍ବାମୀଙ୍କ ନାମରେ ଆଣିଛି।

Related Articles

Leave a Reply

Your email address will not be published. Required fields are marked *

Back to top button