କ୍ରାଇମ

ସିବିଆଇ ରେଡ୍‌ ଆଳରେ ଡକାୟତି ମାମଲା: ଗ୍ୟାଙ୍ଗ୍‌ ଲିଡର୍‌ ଲତିଫ୍ ସମେତ ୩ ଗିରଫ – Utkal Mail


ଧରାପଡ଼ିନି ସୂତ୍ରଧର, ସାଢ଼େ ୬୬ ଲକ୍ଷ ଟଙ୍କା, ୪୩ ଗ୍ରାମ୍‌ର ସୁନା ଗହଣା ଜବତ

ଚନ୍ଦ୍ରଶେଖରପୁର: ଚଳିତ ମାସ ୨ ତାରିଖ ସନ୍ଧ୍ୟାରେ ସିବିଆଇ ରେଡ୍‌ ବାହାନାରେ ଇନ୍‌ଫୋସିଟି ଥାନା ନନ୍ଦନବିହାର ବସୁନ୍ଧରା କଲୋନିରେ ହୋଇଥିବା ଡକାୟତି ମାମଲାରେ ପୁଣି ୩ ଜଣ ଧରାପଡ଼ିଛନ୍ତି। ସେମାନେ ହେଲେ ଗ୍ୟାଙ୍ଗ୍‌ ଲିଡର୍‌ କେନ୍ଦ୍ରାପଡ଼ାର ସେକ୍‌ ଲତିଫ୍(୩୭), ଗୁଲନଗରର ଜାହିର୍‌ ଖାଁ ଓରଫ୍ ରାଜା‌(୧୯) ଓ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିରେ ରହୁଥିବା ଖୋର୍ଦ୍ଧା ଭୁଷଣ୍ଡପୁର ବାଲିପାଟପୁରର ଗଣେଶ ମଣ୍ଡଳ(୧୯)। ସେମାନଙ୍କଠାରୁ ପୁଲିସ ସାଢ଼େ ୬୬ ଲକ୍ଷ ଟଙ୍କା ଓ ୪୩ ଗ୍ରାମ୍‌ ଓଜନର ସୁନା ଗହଣା( ୨ଟି ଚେନ୍‌, ୬ଟି ମୁଦି) ଜବତ କରିଛି। ୨୬ ତାରିଖ ଦିନ ଏହି ମାମଲାରେ ପୁଲିସ ୫ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା ଏବଂ ସେମାନଙ୍କଠାରୁ ୧ କୋଟି ୨ ଲକ୍ଷ ଟଙ୍କା, ୧ ସୁନା ହାର, ୧ ଚେନ୍‌ ଓ ଗୋଟିଏ ପିସ୍ତଲ ଜବତ କରିଥିଲା। କିନ୍ତୁ ଏହି ଡକାୟତିର ମୁଖ୍ୟ ସୂତ୍ରଧର ବାଦଲ ଧରାପଡ଼ିନାହିଁ। ତା’ ଭାଗରେ ପଡ଼ିଥିବା ୩୨ ଲକ୍ଷ ଟଙ୍କା ଧରି ବାଦଲ ରାଜ୍ୟ ବାହାରକୁ ପଳାଇଥିବା ଅନୁମାନ କରାଯାଉଛି।

ଧରାପଡ଼ିନି ସୂତ୍ରଧର
ସାଢ଼େ ୬୬ ଲକ୍ଷ ଟଙ୍କା, ୪୩ ଗ୍ରାମ୍‌ର ସୁନା ଗହଣା ଜବତ
ପୂର୍ବରୁ ଧରାପଡ଼ିଥିଲେ ୫, ଜବତ ହୋଇଥିଲା ୧.୨ କୋଟି

ଆଜି ଏସିପି ରମେଶଚନ୍ଦ୍ର ବିଶୋଇ, ଇନ୍‌ଫୋସିଟି ଥାନା ଆଇଆଇସି ପ୍ରମୋଦ ପଟ୍ଟନାୟକ ଓ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ପ୍ରକାଶଚନ୍ଦ୍ର ମାଝୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏହି ଡକାୟତି ମାମଲାରେ ସମ୍ପୃକ୍ତ ସମସ୍ତ ଡକାୟତ ଗିରଫ ହୋଇସାରିଛନ୍ତି। ଏହି ଗ୍ୟାଙ୍ଗ୍‌ର ମୁଖିଆ ହେଉଛି କେନ୍ଦ୍ରାପଡ଼ା, କଟକ ଓ ଭୁବନେଶ୍ବରରେ ଘଟିଥିବା ବହୁ ଡକାୟତି ମାମଲାରେ ଲତିଫ୍ ଗ୍ୟାଙ୍ଗ୍‌ର ହାତ ରହିଛି। ଗତକାଲି ଲତିଫ୍ ଓ ରାଜାକୁ କେନ୍ଦ୍ରାପଡ଼ାରୁ ଗିରଫ କରାଯାଇଥିବା ବେଳେ ଗଣେଶ ମଣ୍ଡଳକୁ ଖୋର୍ଦ୍ଧା ଭୁଷଣ୍ଡପୁରରୁ ଉଠାଯାଇଥିଲା। ଏହି ଡକାୟତି ପଛର ମୁଖ୍ୟ ଖଳନାୟକ ତଥା ସୂତ୍ରଧର ବାଦଲକୁ ଧରିବା ପାଇଁ ପୁଲିସ ଟିମ୍‌ ଲାଗିଛି ଏବଂ ଖୁବ ଶୀଘ୍ର ତାକୁ ଠାବ କରାଯିବ ବୋଲି ଏହି ସମ୍ମଳନୀରେ ଏସିପି ଶ୍ରୀ ବିଶୋଇ କହିଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତ ମାସ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ବସୁନ୍ଧରା କଲୋନିର ପ୍ଲଟ ନମ୍ବର ୨୬୮/୨ରେ ରହୁଥିବା ନିବାରଣ ପାଣିଙ୍କ ଘରୁ ଏହି ଡକାୟତି ହୋଇଥିଲା। ଏକ ମାରୁତି ଏର୍ଟିଗାରେ ଥିବା ୯ ଜଣ ସିବିଆଇ ରେଡ୍‌ ହେଉଛି ବୋଲି କହି ଶ୍ରୀ ପାଣିଙ୍କ ଘରେ ପଶିଯାଇଥିଲେ। ଶ୍ରୀ ପାଣି ଓ ତାଙ୍କ ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାମୁଛାରେ ବାନ୍ଧିବା ସହ ସେମାନଙ୍କ ମୁହଁରେ ସେଲୋ ଟେପ୍‌ ଗୁଡ଼ାଇ ଦେଇଥିଲେ। ଏହାପରେ ଘରୁ ୨ କୋଟିରୁ ଅଧିକ ଟଙ୍କା ଓ ଆଲ୍‌ମିରାରୁ ଗହଣା ନେଇ ପଳାଇଥିଲେ। ଏହା ଏକ ଯୋଜନାବଦ୍ଧ ଡକାୟତି ଥିଲା ବୋଲି ପ୍ରଥମରୁ ଜଣାପଡ଼ିଥିଲା। ଶ୍ରୀ ପାଣିଙ୍କ ଘରେ ଏକକାଳୀନ ୨ କୋଟି ଟଙ୍କା ମହଜୁଦ୍‌ ଥିବା ଡକାୟତମାନେ କେମିତି ଜାଣିଲେ ବୋଲି ପୁଲିସ ଖୋଳତାଡ଼ କରିଥିଲା। ଶ୍ରୀ ପାଣି ଅନୁଗୁଳ ରେଙ୍ଗାଲି ଡ୍ୟାମ୍‌ କଲୋନିର ବାଦଲ ବାବଦରେ ପୁଲିସକୁ ସୂଚନା ଦେଇଥିଲେ। ବାଦଲ୍‌ ଥିଲା ଶ୍ରୀ ପାଣିଙ୍କ ଘନିଷ୍ଠ ସମ୍ପର୍କୀୟଙ୍କ ଗାଡ଼ିଚାଳକ। ସେ ଶ୍ରୀ ପାଣିଙ୍କ ଘରକୁ ଯା’ଆସ କରୁଥିଲା ଏବଂ ଟଙ୍କା ମହଜୁଦ୍ ଥିବା ଜାଣିଥିଲା। ସେହିଭଳି ସିସିଟିଭି ଫୁଟେଜ୍‌ରୁ ମିଳିଥିବା ମାରୁତି ଏର୍ଟିଗାର ନମ୍ବରରୁ ତାହା ରେଙ୍ଗାଲି ହେମନ୍ତ ଧୀରର ବୋଲି ଜଣାପଡ଼ିଥିଲା। ବାଦଲ୍‌ ଡକାୟତି ଯୋଜନା କରି ପ୍ରଥମେ ହେମନ୍ତ ଧୀର୍‌ ସହ ଯୋଗାଯୋଗ କରିଥିଲା ଏବଂ ପରେ ସେମାନେ କେନ୍ଦ୍ରାପଡ଼ାର କୁଖ୍ୟାତ ଡକାୟତ ଲତିଫ୍‌କୁ ଯୋଡ଼ିଥିଲେ। ଶେଷରେ ହେମନ୍ତ ଓ ଲତିଫ୍ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ଅପରେସନ୍‌କୁ ସଫଳ କରାଇଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button