ରାଜନୀତି

ବାଂଲାଦେଶରେ ବର୍ବରତା: ୨୯ ନେତାଙ୍କ ମୃତଦେହ ଉଦ୍ଧାର

ଢାକା: ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଏବେ ଭାରତର ଶରଣରେ ଥିବାବେଳେ ହିଂସାପ୍ରବଣ ବାଂଲାଦେଶରେ ଆୱାମୀ ଲିଗ୍‌ର ୨୯ ଜଣ ନେତା ଓ ସେମାନଙ୍କ ପରିବାର ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନେକ ନେତା ପ୍ରାଣଭୟରେ ଆତ୍ମଗୋପନ କରିଛନ୍ତି। ସୋମବାର ହସିନାଙ୍କ ଇସ୍ତଫା ଓ ବିଦାୟ ପରେ ସାତଖିରାରେ ହୋଇଥିବା ହିଂସାକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି।

ଢାକା ଟ୍ରିବ୍ୟୁନ୍ ରିପୋର୍ଟ ଅନୁଯାୟୀ, ଅନେକ ଆୱାମୀ ଲିଗ୍ ନେତାଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଭଙ୍ଗାରୁଜା ଓ ଲୁଟ୍ ହୋଇଛି। କୁମିଲାରେ ଦଙ୍ଗାକାରୀଙ୍କ ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ପୂର୍ବତନ କାଉନସିଲର ମହମ୍ମଦ ଶାହ ଆଲମଙ୍କ ତିନି ମହଲା ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସୋମବାର ଶାହ ଆଲମଙ୍କ ଘରର ତଳ ମହଲାରେ ଉତ୍ତ୍ୟକ୍ତ ଜନତା ନିଆଁ ଲଗାଇ ଦେଇଥିଲେ। ପରେ ଘରର ତୃତୀୟ ମହଲାରେ ଆଶ୍ରୟ ନେଇଥିବା ଲୋକମାନେ ଧୂଆଁରେ ଅଣନିଃଶ୍ୱାସୀ ହୋଇ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଅନ୍ୟପକ୍ଷରେ ମଙ୍ଗଳବାର ଜଣେ ସାଂସଦ ସଫିକୁଲ ଇସଲାମ ଶିମୁଲଙ୍କ ଘରେ ନିଆଁ ଲଗାଇ ଦିଆଯିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଘରର ବିଭିନ୍ନ କୋଠରି, ବାଲକୋନି ଓ ଛାତରୁ ସେମାନଙ୍କ ମୃତଦେହ ମିଳିଥିଲା। ସମଗ୍ର ଦେଶରେ ଆୱାମୀ ଲିଗ୍‌ ନେତାଙ୍କୁ ଟାର୍ଗେଟ୍‌ କରାଯାଉଥିବା ବେଳେ ଏ ନେଇ ପୁଲିସ ଓ ସେନା ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛି।

ଆୱାମୀ ଲିଗ୍‌ର ଯୁବ ଶାଖା ‘ଯୁବୋ ଲିଗ୍‌’ର ଦୁଇ ନେତାଙ୍କ ମୃତଦେହ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ଯୁବୋ ଲିଗ୍ ନେତା ମୁଶଫିକୁର ରହିମଙ୍କ ମୃତଦେହ ସୋନାଗାଜି ଉପଜିଲାର ଏକ ପୋଲ ତଳୁ ମିଳିଥିଲା। ବୋଗ୍ରାରେ ଦୁଇ ଜଣ ଯୁବୋ ଲିଗ୍ ନେତାଙ୍କୁ ହତ୍ୟା କରାଯାଇଛି। ସୋମବାର ଲାଲମଣିରହାଟରେ ଜିଲ୍ଲା ଆୱାମୀ ଲିଗ୍ ଯୁଗ୍ମ ସାଧାରଣ ସମ୍ପାଦକ ସୁମନ ଖାଁଙ୍କ ଘରୁ ୬ଟି ମୃତଦେହ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇଯିବା ସତ୍ତ୍ୱେ ବ୍ୟାପକ ଲୁଟ୍ ଓ ଭଙ୍ଗାରୁଜା ଜାରି ରହିଥିବାରୁ ବାଂଲାଦେଶରେ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି। ଶେଖ ହସିନାଙ୍କ ଇସ୍ତଫା ପରେ ହିନ୍ଦୁ ମନ୍ଦିର ଏବଂ ହିନ୍ଦୁମାନଙ୍କର ଶତାଧିକ ଘର ଓ ବ୍ୟବସାୟ ପ୍ରତିଷ୍ଠାନରେ ନିଆଁ ଲଗାଇ ଦେବା ସହ ଭଙ୍ଗାରୁଜା କରିଛନ୍ତି ହିଂସ୍ର ଜନତା। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗତକାଲି ସଂସଦରେ ବାଂଲାଦେଶର ସ୍ଥିତି ବିଷୟରେ କହିଥିଲେ ଯେ ଭାରତ ଏହି ଘଟଣାକୁ ନେଇ ଚିନ୍ତିତ ଏବଂ ପରିସ୍ଥିତି ଉପରେ ନଜର ରଖିଛି।

ଢାକା: ବାଂଲାଦେଶରେ ଆସନ୍ତାକାଲି(ଗୁରୁବାର) ଅନ୍ତରୀଣ ସରକାର ଗଠନ ହେବ। ନୋବେଲ ବିଜେତା ପ୍ରଫେସର ମହମ୍ମଦ ୟୁନୁସ୍‌ ଆସନ୍ତାକାଲି ସନ୍ଧ୍ୟା ୮ଟାରେ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେବେ। ଏକ ସାମ୍ବାଦିକ ସମ୍ମିଳନୀରେ ସେନା ମୁଖ୍ୟ ୱାକର୍‌ ଉଜ୍‌ ଜମାନ୍‌ ଏହି ଘୋଷଣା କରିଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ ୮୪ ବର୍ଷୀୟ ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ୍‌ଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ନିଯୁକ୍ତ କରିଥିଲେ। ୟୁନୁସଙ୍କୁ ୬ ମାସ ଜେଲ୍‌ଦଣ୍ଡ ହୋଇଥିବା ବେଳେ ଏବେ ସେ ଜାମିନରେ ମୁକୁଳିଛନ୍ତି। ସେ ପ୍ରତିଷ୍ଠା କରିଥିବା ଏକ ଗ୍ରାମୀଣ ଟେଲିକମ୍‌ର କର୍ମଚାରୀମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ସୃଷ୍ଟି କରିବା‌ରେ ବିଫଳ ହେବାରୁ ତାଙ୍କୁ ୬ ମାସ ଜେଲ୍‌ ଦଣ୍ଡ ହୋଇଥିଲା।

ଅନ୍ୟପକ୍ଷେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆ ଆଜି ଜେଲ୍‌ରୁ ବାହାରିବା ପରେ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, କୌଣସି ପ୍ରକାର ପ୍ରତିଶୋଧମୂଳକ ରାଜନୀତି ହେବନାହିଁ। ଏକ ଗଣତାନ୍ତ୍ରିକ ବାଂଲାଦେଶ ଗଠନ ହେବ ଯେଉଁଠା‌ରେ ସବୁ ଧର୍ମକୁ ସମ୍ମାନ ମିଳିବ। ଢାକାରେ ଆଜି ଖଲିଦା ଜିଆଙ୍କ ଦଳ ଏକ ବଡ଼ ରୢାଲି କରିଛି ଏବଂ ତାଙ୍କ ପୁଅ ତାରିକ ରେହମାନ ଏହି ରୢାଲିରେ ଉଦବୋଧନ ‌ଦେଇଛନ୍ତି। ଇତିମଧ୍ୟରେ ବାଂଲାଦେଶରେ କିଛି ନିଯୁକ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏକେଏମ୍‌ ଶାହିଦୁର ରେହମାନଙ୍କୁ ଆରଏବି (ରାପିଡ୍‌ ଆକ୍ସନ୍‌ ବାଟାଲିଅନ୍‌) ମହାନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି ଏବଂ ମୈନୁଲ ହାସନ ଡିଏମ୍‌ପି (ଢାକା ମେ‌ଟ୍ରୋପଲିଟାନ୍‌ ପୁଲିସ) କମିସନର ଦାୟିତ୍ବ ନେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button