ସିଦ୍ଧାର୍ଥଙ୍କ ‘ସେଭେନ୍ ସମ୍ମିଟ୍’ ସଫଳ: ପ୍ରଥମ ଓଡ଼ିଆ ଭାବେ ୭ ମହାଦେଶୀୟ ସର୍ବୋଚ୍ଚ ଶୃଙ୍ଗ ଚଢ଼ିଲେ – Utkal Mail
ଭୁବନେଶ୍ବର: ଏକାଧିକ ଥର ଆଇରନ୍ ମ୍ୟାନ୍ ମୁକୁଟ ବିଜେତା ଓଡ଼ିଆ ପୁଅ ସିଦ୍ଧାର୍ଥ ରାଉତରାୟ ‘ସେଭେନ୍ ସମ୍ମିଟ୍’ ଅଭିଯାନରେ ସଫଳ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ସମସ୍ତ ୭ ମହାଦେଶୀୟ ସର୍ବୋଚ୍ଚ ଶୃଙ୍ଗ ଅରୋହଣ କରି ବିଶ୍ବର ବିରଳ କ୍ଲବ୍ରେ ସାମିଲ ହୋଇଛନ୍ତି। ଦେଢ଼ ବର୍ଷ ଭିତରେ ସିଦ୍ଧାର୍ଥ ଏହି କୃତିତ୍ବ ଅର୍ଜନ କରି ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି।
ଶନିବାର (୧୯ ଅଗଷ୍ଟ ୨୦୨୩) ସିଦ୍ଧାର୍ଥ ତାଙ୍କ ସପ୍ତମ ମହାଦେଶୀୟ ଅଭିଯାନରେ ଅଷ୍ଟ୍ରେଲିଆର ମାଉଣ୍ଟ୍ କୋସିସ୍କୋ ଶିଖରରେ ପହଞ୍ଚିଥିଲେ। ଶିଖରରେ ପହଞ୍ଚି ସେ ଶ୍ରୀଜଗନ୍ନାଥଙ୍କ ପତାକା ପତିତପାବନ ବାନାକୁ ଉଡ଼ାଇଥିଲେ। ଜୟ ମାତାଜି, ଜୟ ଜଗନ୍ନାଥ, ଜୟ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ଅଷ୍ଟ୍ରେଲିଆ ଗସ୍ତ କରିଥିବା ତାଙ୍କ ଦୁଃସାହସିକ କ୍ରୀଡ଼ା ଜୀବନର ଗୋଟିଏ ବଡ଼ ସ୍ବପ୍ନ ସାକାର କରିଛନ୍ତି। ରାଜ୍ୟର ପ୍ରଥମ ଆଇରନ ମ୍ୟାନ୍ ମୁକୁଟ ବିଜେତା ସିଦ୍ଧାର୍ଥ ଏବେ ପ୍ରଥମ ଓଡ଼ିଆ ଭାବେ ସମସ୍ତ ମହାଦେଶୀୟ ସର୍ବୋଚ୍ଚ ଶୃଙ୍ଗ ଆରୋହଣ କରିଛନ୍ତି। ୨୦୨୨ ଜାନୁଆରିରେ ସେ ଦକ୍ଷିଣ ଆମେରିକାର ମାଉଣ୍ଟ୍ ଆକନଗୁଆ, ମେ’ରେ ଏସିଆର ମାଉଣ୍ଟ୍ ଏଭେରେଷ୍ଟ୍, ଅକ୍ଟୋବରରେ ଆଫ୍ରିକାର ମାଉଣ୍ଟ୍ କିଲିମାଞ୍ଜୋରୋ ଶିଖର ଛୁଇଁଥିଲେ। ୨୦୨୩ ଜାନୁଆରିରେ ଆଣ୍ଟାର୍ଟିକାର ମାଉଣ୍ଟ୍ ଭିନ୍ସନ୍, ମେ’ରେ ୟୁରୋପର ମାଉଣ୍ଟ୍ ଏଲବ୍ରସ୍, ଜୁନ୍ରେ ଉତ୍ତର ଆମେରିକାର ମାଣ୍ଟ ଡେନାଲି ଚଢ଼ିଥିଲେ।
ଏବେ ସମୁଦ୍ର ପତନଠାରୁ ୨,୨୨୮ ମିଟର୍ (୭୩୧୦ ଫୁଟ୍) ଉଚ୍ଚରେ ଥିବା ଅଷ୍ଟ୍ରେଲିଆର ମାଉଣ୍ଟ୍ କୋସିସ୍କୋକୁ ଚଢ଼ିଥିଲେ। ତାପମାତ୍ରା ବିଯୁକ୍ତ ୧୪ ଡିଗ୍ରୀ ସେଣ୍ଟିଗ୍ରେଡ୍, ପବନର ଗତି ୫୦ କିଲୋମିଟର୍ ଏବଂ ଭିଜିବିଲିଟି ୫ ଫୁଟ ତଳେ ଥିବାଭଳି ଅନେକ ପ୍ରତିବଂଧକ ଭିତରେ ସେ ଏହି ଆରୋହଣ କରିଥିବା ସୂଚନା ଦେଇଛନ୍ତି। ପୂର୍ବରୁ ୬ ଥର ଆଇରନ୍ ମ୍ୟାନ୍ ବିବେଚିତ ସିଦ୍ଧାର୍ଥଙ୍କ ପରବର୍ତ୍ତୀ ଲକ୍ଷ୍ୟ ରହିଛି ଏଥିରେ ମଧ୍ୟ ସପ୍ତମ ସଫଳତା ଅର୍ଜନ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବା। ଚଳିତ ବର୍ଷ ଅକ୍ଟୋବରରେ ସେ ଏହି ସ୍ବପ୍ନ ସାକାର କରିବା ଲକ୍ଷ୍ୟରେ ରହିଥିବା ସିଦ୍ଧାର୍ଥ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।


