ଗୁଜରାଟରେ ଦଂଶିଲା ସାପ; ଚିକିତ୍ସା ପାଇଁ ୧୩୦୦ କିଲୋମିଟର୍ ଦୂର କାନପୁରକୁ ଗଲେ ଯୁବକ – Utkal Mail
କାନପୁର: ଗୁଜରାଟରେ ସାପ କାମୁଡ଼ିଥିବା ଜଣେ ୨୦ ବର୍ଷର ଯୁବକ ସେଠାରୁ ୧୩୦୦ କିଲୋମିଟର୍ ଦୂର ଉତ୍ତର ପ୍ରଦେଶର କାନପୁରକୁ ଆସି ଚିକିତ୍ସିତ ହେବା ପରେ ବଞ୍ଚିଯାଇଥିବା କଥା ‘ଜି ନିଉଜ୍’ ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର ଫତେପୁର ନିବାସୀ ୨୦ ବର୍ଷିୟ ସୁନୀଲ କୁମାର ଗୁଜରାଟର ରାଜକୋଟରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ରାଜକୋଟରେ ତାଙ୍କ ଗୋଡ଼ରେ ଗୋଟାଏ ସାପ କାମୁଡ଼ିବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଖରାପ ହେଲା ଓ ସେ ଅଚେତ ହୋଇପଡ଼ିଲେ।
ଏହା ଦେଖି ତାଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଲେ। ପରେ ସେମାନେ ଠିକ୍ କଲେ କି, ଚିକିତ୍ସା ଲାଗି ସୁନୀଲ୍କୁ କାନପୁରସ୍ଥିତ ଲାଲା ଲଜପତ ରାୟ ହସ୍ପିଟାଲ୍କୁ ନେଇଯିବେ।
)
ସେହି ଅନୁସାରେ, ସେମାନେ ଗୁଜରାଟରୁ ୫୧,୦୦୦ ଟଙ୍କା ଭଡ଼ା ଦେଇ ଗୋଟାଏ ‘ଆଡ୍ଭାନ୍ସ୍ଡ୍ ଲାଇଫ୍ ସପୋର୍ଟ’ ଆମ୍ବୁଲାନ୍ସ୍ରେ ସୁନୀଲ୍କୁ ୧,୩୦୭ କିଲୋମିଟର୍ ଦୂର କାନପୁର ନେଇଗଲେ। ସେଠାରେ ତାଙ୍କୁ ଭେଣ୍ଟିଲେଟର୍ରେ ରଖି ଚିକିତ୍ସା ଆରମ୍ଭ କରାଗଲା।
ଡାକ୍ତରମାନଙ୍କ ଚିକିତ୍ସା ଫଳରେ ସାପ ବିଷ ପ୍ରଭାବ କଟିଲା ଓ ସୁନୀଲ କ୍ରମଶଃ ସ୍ବାଭାବିକ ଅବସ୍ଥାକୁ ଆସିଲା। ଶନିବାର ଦିନ ତାଙ୍କୁ ‘ଭେଣ୍ଟିଲେଟର୍’କୁ ବାହାରକୁ ଅଣାଗଲା। ଏବେ ସୁନୀଲ ଭଲ ଥିଲେ ବି ‘ଆଇସିୟୁ’ରେ ରହିଛନ୍ତି।
ଲାଲା ଲଜପତ ରାୟ ହସ୍ପିଟାଲ୍ର ଡାକ୍ତର ପ୍ରିୟଦର୍ଶୀ କହିଛନ୍ତି ଯେ, ସାପ ବିଷଯୋଗୁଁ ସୁନୀଲଙ୍କ ଦେହରେ ‘ନ୍ୟୁରୋ-ଟକ୍ସିକ୍’ ଅବସ୍ଥା ହୋଇଯାଇଥିଲା। ତାଙ୍କୁ ବିଷ-ନିରୋଧୀ ଓ ଅନ୍ୟାନ୍ୟ ଔଷଧ ଦିଆଗଲା। କ୍ରମେ ତାଙ୍କର ଅବସ୍ଥା ସୁଧୁରିଲା ଓ ଜୀବନ ରକ୍ଷା ହୋଇଗଲା।



