ଓଡିଶା

ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ବିଜେସ୍ଥଳୀ ଛାତ ଅସୁରକ୍ଷିତ: ଛାତରେ ଫାଟ, କାନ୍ଥ ଦୁର୍ବଳ

ପୁରୀ: ସୁଧୁରୁନି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ଭାଗ୍ୟ। ଅସୁରକ୍ଷିତ ହୋଇପଡ଼ିଛି ମହାପ୍ରଭୁଙ୍କ ବିଜେସ୍ଥଳୀ। ଜଗନ୍ନାଥବଲ୍ଲଭ ମଠ ବିଜେସ୍ଥଳୀକୁ ସାହାରା ଦେଇଥିବା କଡ଼ିବରଗା ଛାତ ଦୁର୍ବଳ ହୋଇଗଲାଣି। ଛାତରେ ଫାଟ ସୃଷ୍ଟି ହୋଇଥିବାରୁ ବର୍ଷା ପାଣି ଗଳୁଛି। ଛାତରୁ ପାଣି ଜକେଇ କାନ୍ଥ ମଧ୍ୟ ଦୁର୍ବଳ ହୋଇଗଲାଣି। ମହାପ୍ରଭୁଙ୍କ ୬୭ଟି ନୀତିକାନ୍ତି ଏହା ମଧ୍ୟରେ ହେଉଥିଲେ ହେଁ ପୁନରୁଦ୍ଧାର ଲାଗି ଆନ୍ତରିକତା ଦେଖାଇନାହିଁ ପ୍ରଶାସନ।

ଜଗନ୍ନାଥବଲ୍ଲଭ ମଠ ଛାତର ଏତାଦୃଶ ଅବସ୍ଥା ଯୋଗୁ ୪ ବର୍ଷ ତଳେ ୩ଲକ୍ଷ ଟଙ୍କା ବ୍ୟୟରେ ମରାମତି କରିଥିଲା ଦେବୋତ୍ତର ଟ୍ରଷ୍ଟ ବୋର୍ଡ। ମାତ୍ର ପୁନର୍ବାର ଛାତରୁ ପାଣି ଗଳିଲାଣି। କେବଳ ସେତିକି ନୁହେଁ, ବଲ୍ଲଭ ପରିସରରେ ପ୍ରମୋଦ ଉଦ୍ୟାନର ପୁନରୁଦ୍ଧାର ପାଇଁ କିଛି ବର୍ଷ ତଳେ ଉଦ୍ୟମ କରାଯାଇଥିଲେ ହେଁ ତାହା ମଧ୍ୟ ଅଧାରେ ଅଟକିଛି। ଫଳରେ ଉଦ୍ୟାନ ଏବେ ବଣ ଜଙ୍ଗଲରେ ଭର୍ତ୍ତି ହୋଇଗଲାଣି। ଶ୍ରୀମନ୍ଦିର ବାହାରେ ଜଗନ୍ନାଥବଲ୍ଲଭରେ ମହାପ୍ରଭୁଙ୍କ ସିଂହଭାଗ ନୀତିକାନ୍ତି ହୁଏ। ବର୍ଷତମାମ ୬୭ଟି ନୀତିକାନ୍ତି ବଲ୍ଲଭ ମଧ୍ୟରେ ଅନୁଷ୍ଠିତ ହୁଏ। ତେବେ ମହାପ୍ରଭୁ ବିଜେ କରୁଥିବା ବିଜେସ୍ଥଳୀର କାନ୍ଥ ଓ ଛାତ ଶହଶହ ବର୍ଷର ପୁରୁଣା ହୋଇଥିବାରୁ ଏହା ଦୁର୍ବଳ ହୋଇଗଲାଣି। ଛାତ ଫାଟି ପାଣି ଗଳୁଛି।

ଛାତରେ ଫାଟ, କାନ୍ଥ ଦୁର୍ବଳ
୪ ବର୍ଷ ତଳେ ମରାମତି ହୋଇଥିଲା, ପୁଣି ଝରିଲାଣି ପାଣି

ପୁରୁଣା କଡ଼ିରଗା ଛାତ ହୋଇଥିଲେ ହେଁ ଏହାର ପୁନରୁଦ୍ଧାର ପାଇଁ ଏଯାଏ ଉଦ୍ୟମ ହୋଇନାହିଁ। ବହୁ ପ୍ରାଚୀନ ଏହି ମଠର ଛାତ ଓ କାନ୍ଥ ମୋରମ, କେନ୍ଦୁ ଅଠା, କାଠ, ଲୁହା ଆଦିରେ ନିର୍ମିତ ହୋଇଥିବାରୁ ଏହାକୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରିବାର ଆବଶ୍ୟକତା ରହିଛି। କିନ୍ତୁ ଏ ବାବଦରେ ନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଉଛି, ନା ସରକାରୀସ୍ତରରେ ଏହାର ପୁନରୁଦ୍ଧାର ପାଇଁ ତତ୍ପରତା ପ୍ରକାଶ ପାଉଛି। ‘ଫନି’ ବାତ୍ୟା ସମୟରେ ଦୋଳବେଦି ଭାଙ୍ଗି ଯାଇଥିବା ବେଳେ ଦେଢ଼ଲକ୍ଷ ଟଙ୍କା ବ୍ୟୟରେ ତାର ପୁନରୁଦ୍ଧାର କରାଯାଇଥିଲା। ତେବେ ବିଜେସ୍ଥଳୀ ଛାତକୁ ପୁନଃ ନିର୍ମାଣ କରିବାର ଆବଶ୍ୟକତା ରହିଥିବାରୁ ଏନେଇ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ମଠ ଅଧିକାରୀ କହିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜଗନ୍ନାଥବଲ୍ଲଭ ମଠ ଅଧୀନରେ ଗାଡ଼ି ପାର୍କିଂ ରହିଥିବାରୁ ବର୍ଷକୁ ୩୦ରୁ ୩୨ ଲକ୍ଷ ଟଙ୍କା ଆୟ ଆସୁଥିଲା। ସେଥିରେ ମଠର ମରାମତି ଓ ନୀତିକାନ୍ତି ଆଦି ପରିଚାଳିତ ହେଉଥିଲା। କିନ୍ତୁ ୯ମାସ ହେଲା ମଠର ପାର୍କିଂ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଚାଲିଯାଇଛି। ଫଳରେ ମଠର ଆୟସୂତ୍ର ବନ୍ଦ ହୋଇଯାଇଛି। ଏବେ ବ୍ୟାଙ୍କରୁ ମିଳୁଥିବା ସୁଧ ରାଶିରେ ନୀତିକାନ୍ତି ହେଉଛି। କିନ୍ତୁ ମରାମତି ପ୍ରତି ଧ୍ୟାନ ଦିଆଯାଉନାହିଁ। ମଠ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ବର୍ଷକୁ କେବଳ ନୀତିକାନ୍ତି ପାଇଁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ପାର୍କିଂ ମଠ ଅଧୀନରୁ ଚାଲି ଯାଇଥିବାରୁ ଧୀରେ ଧୀରେ ବ୍ୟାଙ୍କ ଜମା ରାଶି ସରିଯିବାର ଆଶଙ୍କା ସୃଷ୍ଠି ହୋଇଛି। ଯଦିଓ ଏଯାଏ ସୁଧ ରାଶିରେ ସମସ୍ତ ନୀତିକାନ୍ତି ପରିଚାଳିତ ହେଉଛି, କିନ୍ତୁ ଆଗକୁ ବ୍ୟୟ ବଢ଼ିଲେ ସ୍ଥାୟୀ ଜମା (ଫିକ୍ସଡ୍ ଡିପୋଜିଟ୍) ଭାଙ୍ଗିବାକୁ ପଡ଼ିପାରେ। ତେଣୁ ମଠ ପରିଚାଳନା ପାଇଁ ଜଗନ୍ନାଥବଲ୍ଲଭ ଦେବୋତ୍ତର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ବୋଲି ଅଧିକାରୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button