ଓଡିଶା

ରାଉରକେଲା ରିଂରୋଡ୍‌ ଏବେ ମୃତ୍ୟୁଫାଶ!

ରାଉରକେଲା: ସହରର ରିଂ ରୋଡ୍ ଏବେ ମରଣଯନ୍ତା ପାଲଟିଛି। ପ୍ରାୟ ୧୭ କିଲୋମିଟର ବିଶିଷ୍ଟ ରିଂ ରୋଡ୍ ଏବେ ଖାଲଖମାରେ ଭର୍ତ୍ତି। ଅସରାଏ ବର୍ଷାରେ ଖାଲରେ ପାଣି ଭର୍ତ୍ତି ହୋଇ କୁତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବାର ବି ନଜିର ରହିଛି। ଇସ୍ପାତ ସହରର ରିଂରୋଡ୍ର ଏଭଳି ଦୁରବସ୍ଥା ପୂର୍ବରୁ କେବେ ବି ଦେଖିବାକୁ ମିଳିନଥିବା ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

ଗୋଟିଏପଟେ ବର୍ଷବର୍ଷ ହେଲା ରିଂ ରୋଡ୍ରେଥିବା ଖାଲ/ଗାତକୁ ପୋତାଯାଉନଥିବାବେଳେ ଅପରପଟରେ ରାସ୍ତା ସଂପ୍ରସାରଣ ଯୋଗୁଁ ସୃଷ୍ଟି ଖାଲ, ଜନସାଧାରଣଙ୍କୁ ନାକେଦମ କରୁଛି। ମୋଟାମୋଟିଭାବେ ରିଂ ରୋଡ୍ର ପ୍ରତ୍ୟେକ ୨/୩ ଶହ ମିଟର ଦୂତାରେ ଖାଲ,ଗାତ ସୃଷ୍ଟି ହୋଇଛି। ବିର୍ସା ଛକରୁ ଟ୍ରାଫିକ ଗେଟ୍ ଛକ ଯାଏଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି। ସେହିଭଳି ଟ୍ରାଫିକ୍ ଗେଟ୍ରୁ ଆର୍ଏସ୍ପି ପ୍ରଶାସନିକ ଭବନ, ହନୁମାନ ବାଟିକା ଛକରୁ ଡିଏଭି ଛକ, ଛେଣ୍ଡ୍ରୁ ଅଭିଜ୍ଞାନ ଛକ, ସ୍ପେସ୍ ଛକରୁ-ସେକ୍ଟର-୧୪ ଛକ, ସେକ୍ଟର-୧୪ରୁ ସେକ୍ଟର-୧୮ ଛକ, ସେକ୍ଟର-୨ ବିଜୁ ପଟ୍ଟନାୟକ ଛକରୁ ରେଳ ଷ୍ଟେସନ ଛକ ଯାଏ ଖାଲଖମାରେ ଭର୍ତ୍ତି ହୋଇ ରହିଛି। ତେବେ ହନୁମାନବାଟିକା ଛକ, ପ୍ଲାଣ୍ଟ୍ସାଇଟ୍ ଛକ ସ୍ଥିତି ଉଦ୍ବେଗଜନକ ଅବସ୍ଥାରେ। ଏଠାରେ ବଡ଼ବଡ଼ ଗାତ ସୃଷ୍ଟି ହୋଇଥିବାବେଳେ ସବୁବେଳେ ପାଣି ଜମି ରହୁଛି। ଅବଶ୍ୟ, ସ୍ଥାନୀୟ ବିର୍ସା ଛକରେ ଆର୍ଏସ୍ପି ସହରସେବା ବିଭାଗ ପକ୍ଷରୁ ପ୍ୟାଚ୍ ପକାଇ ଅସ୍ଥାୟୀ ମରାମତି କରାଯାଉଛି। ତେବେ ଏଭଳି କାମଚଳା ନୀତିର ସ୍ଥାୟୀତ୍ବ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ବାସ୍ତବରେ ରାସ୍ତାରେ କେବଳ ଗାତ ସୃଷ୍ଟି ହୋଇନି, ବରଂ ଶତାଧିକ ସ୍ଥାନରେ ରାସ୍ତାର ଖୋଳପା ଛାଡ଼ି ଗଲାଣି। ଏଣୁ ମରାମତି ପରିବର୍ତ୍ତେ ନୂଆ ରାସ୍ତା ନିର୍ମାଣ ପାଇଁ ଆର୍ଏସ୍ପି କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button