ମଙ୍ଗଳାନଦୀ ଓ ସାଗରର ମିଳନସ୍ଥଳ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ହେଲେ ପର୍ଯ୍ୟଟକଙ୍କ ଆର୍କଷଣ ବଢିବ
ପୁରୀ ,୩୧/୮- ବିଶ୍ୱ ପର୍ଯ୍ୟଟନର ପ୍ରମୁଖ ସ୍ଥଳ ପୁରୀ । ପୁରୀର ସାଗର ଓ ଚିଲିକାର ଆକର୍ଷଣକୁ ଦେଖି ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି । ପର୍ଯ୍ୟଟକମାନେ ପୁରୀରେ ଶ୍ରୀମନ୍ଦିର, ସାଗରକୂଳ, କୋଣାର୍କ ଓ ଚିଲିକା ବୁଲିବା ପରେ ଅଧିକ ଦିନ ରହିବା ପାଇଁ ଇଛା ପ୍ରକାଶ କରୁନାହନ୍ତି । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢି ତୋଳିବା ପାଇଁ ଓଡ଼ିଶାର ଜନପ୍ରିୟ ଜନନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ଆସ୍ତେ ଆସ୍ତେ ସାକାର ହେବାରେ ଲାଗିଛି । ସମୁଦ୍ରକୂଳର ମନୋରମ ଦୃଶ୍ୟରେ ଆକର୍ଷିତ ହୋଇ ପର୍ଯ୍ୟଟକ ଘଂଟା ଘଂଟା ଧରି ସାଗରକୂଳେ ବସି ରହୁଛନ୍ତି । ସାଗରକୂଳେ କୂଳେ ଲମ୍ବି ଯାଇଛି କଳା ମଚମଚ ପିଚୁ ରାସ୍ତା । ରାସ୍ତା ଶେଷ ହୋଇଛି ଷ୍ଟର୍ଲିନ ରିର୍ସଟ ହାଟେଲ ନିକଟରେ । ସେଇଠୁ ଆରମ୍ଭ ହୋଇଛି ପ୍ରାକୃତିକ ମନୋରମ ଦୃଶ୍ୟ । ଆମ୍ବ,ଲଙ୍କାଆମ୍ବ,ଚମ୍ପା,ସେବତୀ ଫୁଲର ବାସ୍ନାରେ ମହକୁଛି ନଦୀକୂଳ । ନଦୀ ମିଶିଛି ସାଗରରେ । ସାଗରର ଘୁ ଘୁ ଶଦ୍ଦ ନଦୀର କଳ କଳ ଶଦ୍ଦ ଗୁଞ୍ଜରିତ ହେଉଛି ମୁହାଣ କୂଳରେ । ସୃଷ୍ଟି ହେବ ପର୍ଯ୍ୟଟକ ହବ୍-ମଙ୍ଗଳରା ନଦୀ ସମୁଦ୍ରକୂଳ ମହାଣ ନିକଟ ରାସ୍ତାକୁ ଉନ୍ନତି କରଣ କଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ । ଷ୍ଟର୍ଲିନ ପଛପଟ ପର୍ଯ୍ୟନ୍ତ ରାସ୍ତାକୁ ପଥର ପ୍ୟାକିଂ କରି ମଜଭୁତ କରିବା ପରେ ପର୍ଯ୍ୟଟକଙ୍କ ଗାଡ଼ି ପାର୍କିଂ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରାଗଲେ ପର୍ଯ୍ୟଟକମାନେ ମୁହାଣର ଅପୂର୍ବ ଦୃଶ୍ୟ ଦର୍ଶନ କରିପାରିବେ । ଆନ୍ଧ୍ରପ୍ରଦେଶରୁ ଆସିଥିବା ୧୦ଜଣ ପର୍ଯ୍ୟଟକ ମୁହାଣ ଦେଖି କହୁଥିଲେ ଯଦି ଆମ ରାଜ୍ୟ ହୋଇଥାନ୍ତା ତାହାଲେ ଏପରି ସ୍ଥାନରେ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଗହଳି ଲଗାଇଥାନ୍ତେ । ଏହି ସ୍ଥାନଟି ଅତି ମନୋରମ ସ୍ଥଳ ହୋଇଥିବାରୁ ଏହାକୁ ଉନ୍ତିକରଣ କରିବା ପାଇଁ ମତ ଦେଇଥିଲେ ।
ମଙ୍ଗଳାନଦୀରେ ଖେଳିବେ ହଂସ-ପ୍ରାକୃତିକ ପରିବେଶ ମଧ୍ୟରେ ମଙ୍ଗଳାନଦୀ ସମୁଦ୍ରରେ ମିଶିଛି । ମଙ୍ଗଳଘାଟ ବ୍ରିଜ ଠାରୁ ନଦୀ କୂଳେ କୂଳେ ଷ୍ଟର୍ଲିନ୍ ହେଟେଲ ପର୍ଯ୍ୟନ୍ତ ଏକ ଚାରି ଥାକିଆ ରାସ୍ତା ନିର୍ମାଣ କରାଗଲେ ପର୍ଯ୍ୟଟକଙ୍କ ପାଇଁ ସୁବିଧା ଜନକ ହୋଇପାରନ୍ତା । ଏହା ସହ ପ୍ରତିବର୍ଷ ବାଲିବନ୍ତ ଭୁଷୁଡ଼ି ମଙ୍ଗଳାନଦୀ ଓ ମୁହାଣ ପୋତି ହେବା ସହ ବାଲି ଅବକ୍ଷୟ ହେଉଛି । ନଦୀ ପଟରାସ୍ତାକୁ ପଥର ପ୍ୟାକିଂ କରାଗଲେ ଅତି ଆକର୍ଷଣୀୟ ଦେଖାଯିବ । ସେହିପରି ନଦୀର ଅପରପାଶ୍ୱର୍ କୂଳେ କୂଳେ କୋଭିଡ଼ ମଶାଣୀ ପର୍ଯ୍ୟନ୍ତ ପିଚୁ ରାସ୍ତା କରାଯିବା ପାଇଁ ଦାବି ହେଉଛି । ରାସ୍ତାର ଦୁଇପାଶ୍ୱର୍ରେ କୃଷ୍ଶଚୂଡ଼ା, ଦେବଦାରୁ ଓ ବଉଳ ଗଛ ଲଗାଗଲେ ଅତି ମନୋରମ ହୋଇପାରନ୍ତା । ମଙ୍ଗଳାଘାଟ ଠାରୁ ମୁହାଣ ପର୍ଯ୍ୟନ୍ତ ନଦୀରେ ବୋଟିଂ ବ୍ୟବସ୍ଥା କରାଗଲେ ପର୍ଯ୍ୟଟକ ଆକର୍ଷିତ ହୋଇ ମୁହାଣ ଦେଖି ପାରନ୍ତେ । ଏହା ସହ କିଛି ହଂସକୁ ଏହି ନଦୀରେ ଛଡ଼ାଗଲେ ପର୍ଯ୍ୟଟକମାନେ ଅଧିକ ଆନନ୍ଦିତ ହୋଇପାରନ୍ତେ ବୋଲି ଓଁକାରେଶ୍ୱର ନିକଟରେ ଜଣେ ବଙ୍ଗୀୟ ପର୍ଯ୍ୟଟକ କହିଛନ୍ତି । ପୁରଣା ରାସ୍ତା ସମୁଦ୍ରରେ ମିଶିଲାଣି -ଚାହିଁ ରହିଛି ବହ୍ଲା ବାଉଁଶ- ପୂର୍ବରୁ ଷ୍ଟର୍ଲିନ ହୋଟେଲ ପାଶ୍ୱର୍ରୁ ପ୍ରାୟ ୨୦୦ ଫୁଟ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ରାସ୍ତା ରହିଥିଲା । ଏହାକୁ ଜଳ ସେଚନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା । ସେହିରାସ୍ତା ଏବେ ସମ୍ବୂର୍ଣ୍ଣ ସମୁଦ୍ର ଭିତରକୁ ଚାଲିଗଲାଣି । କେବଳ ବହ୍ଲା ,ବାଉଁଶ ଓ କିଛି ସିମେଂଟ ଅକା ଭାସୁଥିବା ଦେଖିବାକୁ ମିଳୁଛି । ମଙ୍ଗଳାନଦୀ ୟୁଟର୍ଣ୍ଣ କରୁଥିବାରୁ ନଦୀର ପାଣିକୁ ସିଧା ଛାଡ଼ିବା ପାଇଁ ଯେଉଁ ବ୍ୟବସ୍ଥା ହୋଇଥିଲା ତାହା ଫେଲ ମାରିଛି । ଷ୍ଟର୍ଲିନ ହୋଟେଲ ପଛପଟେ ଏକ ୟୁଟର୍ଣ୍ଣ ପୋଖରୀ ନିର୍ମାଣ କରାଯାଇ ପାଣିକୁ ସମୁଦ୍ରରେ ଛାଡ଼ିଲେ ଆଉ ବନ୍ଧ ଖାଇବ ନାହିଁ ହୋଲି ଅଞ୍ଛଳବାସୀ କହିଛନ୍ତି ।
ମୁହାଣରେ ମାଛଧରା ଦୃଶ୍ୟ ଅତି ମନୋରମ-ମୁହାଣରେ ପ୍ରତିଦିନ ମତ୍ସ୍ୟଜୀବୀମାନେ ମାଛ ଧରବା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଖେପା ଜାଲ ,ଫାଶିଜାଲ ଓ ବଂଶୀରେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ । ଏହି ଦୃଶ୍ୟ ଦେଖିବା ପାଇଁ ଅନେକ ବଙ୍ଗୀୟ ପର୍ଯ୍ୟଟକ ବହୁ ସମୟ ଧରି ବସି ରହିଥିବା ଦେଖିବାକୁ ମିଳିଥିଲା । ମୁହାଣରେ ତିନି ରଙ୍ଗର ପାଣି ଦୃଶ୍ୟମାନ-ସବୁଠାରୁ ଆକର୍ଷଣୀୟ ହେଉଛି ମୁହାଣ ନିକଟରେ ତିନି ରଙ୍ଗର ପାଣି ଦେଖିବାକୁ ମିଳୁଛି । ସମୁଦ୍ର ଢେଉ ଆସିବା ସମୟରେ ଧଳାରଙ୍ଗର ଫେଣ ନଦୀ ପାଣିରେ ମିଶୁଛି । ନଦୀର ଗୋଳିଆ ପାଣି ସମୁଦ୍ରର ନୀଳ ପାଣିକୁ ମାଟିଆ ରଙ୍ଗ କରୁଛି । ଅନ୍ୟପକ୍ଷରେ ଜମି ରହୁଥିବା ପାଣି ୟୁଟର୍ଣ୍ଣ ସମୟରେ ନୀଳ ରଙ୍ଗର ପାଣି ନଦୀ ଓ ସମୁଦ୍ର ପାଣିରେ ମିଶୁଛି । ଏହି ତିନି ପ୍ରକାର ପାଣିର ଦୃଶ୍ୟକୁ ମୋବାଇଲ ଓ କ୍ୟାମେରାରେ କଏଦ କରିବା ପାଇଁ ପର୍ଯ୍ୟଟକ ମାନେ ଭିଡ଼ ଜମାଇଛନ୍ତି ।