ତାନ୍ତ୍ରିକ ପ୍ରେମରେ ପଡ଼ି ଦୁଷ୍କର୍ମ ଅଭିଯୋଗ ଆଣିଲେ ଭାଉଜ, ଜୀବନ ହାରିଲେ ଦିଅର – Utkal Mail
ବାନ୍ଦା: ଉତ୍ତରପ୍ରଦେଶର ବାନ୍ଦାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଦିଅର ବିରୋଧରେ ତାଙ୍କ ଭାଉଜ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏପରି ଏକ ନିନ୍ଦା ସହ୍ୟ ନକରିପାରି ଦିଅର ଜଣକ ନିଜ ଜୀବନ ହାରି ଦେଇଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ଭାଉଜ ଜଣେ ତାନ୍ତ୍ରିକ ସହ ପ୍ରେମ ସଂପର୍କ ରଖିଥିବା ବେଳେ ଦିଅର ଏହାକୁ ବିରୋଧ କରିବାରୁ ତା ନାମରେ ମିଛ ଅଭିଯୋଗ ଆଣିଥିଲେ। ପରିବାର ଲୋକ ଏ ସଂପର୍କରେ ଥାନାରେ ଏତଲା ଦେବା ପରେ ପୁଲିସ୍ ମୃତ ଦିଅରର ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମହିଳାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।
ଏହି ମାମଲା ଉତ୍ତରା ଥାନା ଅଞ୍ଚଳର। ଜାଣିବାକୁ ମିଳିଛି ଯେ ମୃତ ଯୁବକ ଜଣକ ଘରୁ କାମ କରିବା ନାମରେ ବାହାରକୁ ବାହାରି ଯାଇ ବାଟରେ ବିଷାକ୍ତ ଖାଦ୍ୟ ଖାଇ ଜୀବନ ହାରିଛନ୍ତି। ତାଙ୍କୁ ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖି ଲୋକ ତାଙ୍କ ଘର ଲୋକଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକ ତୁରନ୍ତ ଯୁବକଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନାରୁ ପ୍ରକାଶ ଯେ ଭାଉଜଙ୍କ ପେଟ ଯନ୍ତ୍ରଣା ହେଉଥିବାରୁ ଚିକିତ୍ସା ପାଇଁ ଦିଅର, ଭାଉଜ ଏକ ତାନ୍ତ୍ରିକ ପାଖକୁ ଯାଇଥିଲେ। ସେଇ ଦିନଠାରୁ ତାନ୍ତ୍ରିକ ବାରମ୍ବାର ତାଙ୍କ ଘରକୁ ଯିବାଆସିବା କଲେ। ଦିନେ ତାନ୍ତ୍ରିକ ରାତିରେ ତାଙ୍କ ଘରେ ରହିବାକୁ ଦିଅର ଜଣକ ବିରୋଧ କରିଥିଲେ। ସେହି କାରଣରୁ ଭାଉଜ ଦିଅର ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ, ଯାହାକି ଦିଅର ସହ୍ୟ ନକରିପରି ଏପରି ଚରମ ପଦକ୍ଷେପ ନେଇଛନ୍ତି।