କ୍ରାଇମ

ଜମି ହଡ଼ପ ପାଇଁ ଷଡଯନ୍ତ୍ର କରି ସାମାଜିକ ବାସନ୍ଦ ଅଭିଯୋଗ

ନବରଙ୍ଗପୁର : ଗାଁ ଚାଲିଛି କଙ୍ଗାରୁ ଶାସନ । ଗ୍ରାମବାସୀ ଭୁଲିଗଲେ ମାନବିକତା । ଜାଗା ବାଡିକୁ କେନ୍ଦ୍ରକରି ପ୍ରଭାବଶାଳୀ ବ୍ୟକ୍ତିଙ୍କ କଠୋର ନୀତି । ଯାହା ସୂଚନା ମିଳିଛି, ଗୋଟିଏ ବଂଶଧରର ଜଣେ କି ଦୁଇଜଣ ନୁହେଁ, ପୁରା ୧୫ ପରିବାରର ୭୫ଜଣଙ୍କୁ ସାମାଜିକ ବାସନ୍ଦ କରାଯାଇଛି । ନିଆଁ ପାଣିକୁ ବନ୍ଦ କରାଯାଇଛି । ଗାଁର କୌଣସି ବ୍ୟକ୍ତି ସେମାନଙ୍କ ସହ କଥା ହେଲେ ୫୦୦ଟଙ୍କା ଜରିମାନା ଦେବାକୁ ଫତଓ୍ୱା ଜାରି କରାଯାଇଛି ।

ଏହି ସାମାଜିକ ବାସନ୍ଦରୁ କେବଳ ମଣିଷ ପୀଡିତ ତାହା ନୁହେଁ, ଗୋ-ସଂପଦ ମଧ୍ୟ ବାଦ ପଡିନାହାଁନ୍ତି । ସେମାନଙ୍କର ଗାଈ ଗୋରୁ ଦୁଇ ଦିନ ହେଲେ ଖାଲି ପେଟରେ ରହିଛନ୍ତି । ଗାଈ ଗୋରୁଙ୍କୁ ଚରାଇବା ପାଇଁ ଦିଆଯାଉନି । ପିଇବା ପାଣି ନଳକୂପରୁ ଲୁଚି ଲୁଚି ଆଣିବାକୁ ପଡୁଛି । ଏଭଳି ସାଙ୍ଘାତିକ ଅଭିଯୋଗ କରି କୋଡିଙ୍ଗା ଥାନା ବାଙ୍କୁଲି ଗାଁର ଗୋଟିଏ ବଂଶଧରର ୧୦ଜଣ ବ୍ୟକ୍ତି ନ୍ୟାୟ ପାଇଁ ନବରଙ୍ଗପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏପଟେ ପୁରା ଅଭିଯୋଗ ଶୁଣିବା ପରେ ନବରଙ୍ଗପୁର ଏସପି ଏମ୍.ସନ୍ଦୀପ ବର୍ତ୍ତମାନ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୀଡିତ ପରିବାରକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି l

ଖବର ମୁତାବକ, କୋଡିଙ୍ଗା ଥାନା ଅନ୍ତର୍ଗତ ବାଙ୍କୁଲି ଗ୍ରାମର ଭଗବନା ଭତ୍ରା ଓ ରଘୁନାଥ ଭତ୍ରାଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କର ଜେଳେ ବାପା ୪ଭାଇ । ବୁଟିଭତ୍ରା, ସମ୍ଭାରଭତ୍ରା, ମାରୁଭଦ୍ରା ଓ ଲକ୍ଷ୍ମୀଧର ଭତ୍ରା । ଏହି ୪ଜଣ ଜେଜେବାପା ଆରପାରିରେ ଥିବା ବେଳେ ସେଥି ମଧ୍ୟରୁ ଦୁଇ ଜଣ ଜେଜେବାପା ବୁଟିଭଦ୍ରା ଓ ସମ୍ଭାରୁ ଭତ୍ରାଙ୍କର କୌଣସି ଉତ୍ତରାଧିକାରୀ ନାହାନ୍ତି । ଅନ୍ୟ ଦୁଇ ଜେଜେବାପାଙ୍କ ୬ପୁଅଙ୍କ ପରିବାରରେ ୭୫ଜଣ ରହିଆସୁଛନ୍ତି l ସେମାନଙ୍କର ୨୦ଏକର ଚାଷ ଜମି ରହିଛି ।

ତେବେ ଏମାନଙ୍କର ଚାଷ ଜମି ଗୁଡିକୁ ହଡପ କରିବାକୁ ଚକ୍ରାନ୍ତ କରି ଗ୍ରାମର ନିଳାମ୍ବର ଭତ୍ରା ନିଜ ନାମକୁ ଚଞ୍ଚକତା କରି କେତେବେଳେ ନିଜକୁ ମୃତ ସମ୍ଭାରୁ ଭତ୍ରା ତ’ ଆଉ କେତେବେଳେ ବୁଟି ଭତ୍ରା ବୋଲି ଦର୍ଶାଉଥିବା ଅଭିଯୋଗ ହୋଇଛି । ଏପରିକି ସେ ଗାଁ ଲୋକଙ୍କୁ ପ୍ରଭାବିତ କରି ଦୁଇ ଦିନ ତଳେ ଗ୍ରାମରେ ଏକ ବୈଠକ ଡକାଇ ୧୫ ପରିବାରର ୭୫ଜଣଙ୍କୁ ଗାଁରୁ ବାସନ୍ଦ କରାଇଥିଲା । ଆଉ ସେମାନଙ୍କ ଚାଷ ଜମିରେ ବିହନ ବୁଣି ୨୦ଏକର ଚାଷ ଜମିକୁ ନିଜ କବ୍‌ଜାକୁ ନେଇଯାଇଥିବା ପୀଡିତ ବ୍ୟକ୍ତି ମାନେ ଅଭିଯୋଗ କରିଛନ୍ତି l ଏହାକୁ ନେଇଁ ସେମାନେ କୋଡ଼ିଙ୍ଗା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୋଡ଼ିଙ୍ଗା ପୋଲିସ୍ ନିଷ୍କ୍ରିୟତା ଦେଖାଇବାରୁ, ଶେଷରେ ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ ପତ୍ର ପ୍ରଦାନ କରି ନ୍ୟାୟ ମାଗିଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସ୍ କିମ୍ବା ଅପରପକ୍ଷ ବ୍ୟକ୍ତିଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ । ଯଦି ଏହି ଅଭିଯୋଗ ସତ ତେବେ ପୀଡିତ ପରିବାରକୁ ତୁରନ୍ତି ନ୍ୟାୟ ପ୍ରଦାନ କରିବା ସହ ଦୋଷୀକୁ ଉଚିତ୍ ଶାସ୍ତି ମିଳିବା ନିହାତୀ ଜରୁରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button