ସୀମା ଟପୁଛି ଡ୍ୟାନ୍ସ ବାର: ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି ନାଚ, ଜମୁଛି ଆସର – Utkal Mail
ଭୁବନେଶ୍ବର: ରାଜଧାନୀରେ ସୀମା ଟପୁଛି ଡ୍ୟାନ୍ସ ବାର। ଡ୍ୟାନ୍ସ ବାରଗୁଡ଼ିକ ନୀତି ନିୟମକୁ ଉଲ୍ଲଂଘନ କରି ଚାଲିଛନ୍ତି। ବିଭିନ୍ନ ସମୟରେ ଡ୍ୟାନ୍ସ ବାର ବିରୋଧରେ ସଙ୍ଗିନ ଅଭିଯୋଗ ହୋଇ ଆସୁଛି। କେତେବେଳେ ଡ୍ୟାନ୍ସରଙ୍କୁ ନିର୍ଯାତନା ତ ଆଉ କେତେବେଳେ ଗଣ୍ଡଗୋଳ, ଦାଦାଗିରି, ଗ୍ରାହକଙ୍କୁ ଆକ୍ରମଣ ଆଦି ଅଭିଯୋଗ ରହିଛି। ଏବେ ଏକ ବାର୍ରେ ଡ୍ୟାନ୍ସରଙ୍କୁ ପାରିଶ୍ରମିକ ବଦଳରେ ନିର୍ଯାତନା, ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା, ଭୋର ପର୍ଯ୍ୟନ୍ତ ବାର୍ ଖୋଲି ନାଚରେ ନିୟୋଜିତ କରିବା, କଥା ନ ମାନିଲେ ମାଡ଼ ମାରିବା, ଜୀବନରୁ ମାରି ଦେବା ପାଇଁ ଧମକ ଦେବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ତେବେ ଏପରି ଅନେକ ଅଭିଯୋଗ ପୂର୍ବରୁ ମଧ୍ୟ ହୋଇଛି। ଯେତେବେଳେ ଅଭିଯୋଗ ଆସିଛି କିମ୍ବା ନିୟମ ଉଲ୍ଲଂଘନ କଥା ଉଠିଛି, ସେତେବେଳେ ଦିନେ ଅଧେ ଆଖି ଦେଖାଣିଆ ଚଢ଼ଉ କରି ଚୁପ୍ ହୋଇ ବସି ପଡ଼ିଛି ପୁଲିସ ଓ ଅବକାରୀ ଥାନା।
ମିଳିଥିବା ସୂଚନା ଅନୁସାରେ, ଗୋଟିଏ ଗୋଟିଏ ବାର୍ ଏକାଧିକ ଥର ଆଇନ ଉଲ୍ଲଂଘନ କରି ଚାଲିଛନ୍ତି। ପୁଲିସ ଠାରୁ ମିଳିଥିବା ତଥ୍ୟ ଅନୁସାରେ, କିଛିଦିନ ତଳେ ଅଶୋକନଗରସ୍ଥିତ ରଙ୍ଗିଲା ବାରରେ ଗ୍ରାହକଙ୍କୁ ଆକ୍ରମଣ ଅଭିଯୋଗରେ ୨ଜଣ କର୍ମଚାରୀ ଗିରଫ ହୋଇଥିଲେ। ସେହିପରି ୨୦୨୨ ଡିସେମ୍ବରରେ ୮ଟି ବାରରେ ପୁଲିସ ଓ ଅବକାରୀ ସ୍କ୍ବାଡ୍ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଥିଲା। ରଙ୍ଗିଲା ବାର ଓ ଏକାମ୍ର ବାର ନିୟମ ଉଲ୍ଲଂଘନ କରି ରାତି ୧୨ଟା ପରେ ବାର ଚଳାଉଥିବା ସାମ୍ନାକୁ ଆସିଥିଲା। ଏହି ୨ଟି ବାର୍କୁ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କେବଳ ଏହି ଦୁଇଟି ଘଟଣା ନୁହେଁ, ଡ୍ୟାନ୍ସ ବାର୍ ଅନୁମତି ନ ଥାଇ ଯୁବତୀଙ୍କୁ ନଚାଉଥିବା ଅଭିଯୋଗରେ ଚଢ଼ଉ କରିଥିଲା ପୁଲିସ। ସେତେବେଳେ ବାର୍କୁ ସିଲ୍ କରିବା ପାଇଁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖିଥିଲା କମିସନରେଟ ପୁଲିସ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଚାଲିଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ସାମ୍ବାଦିକଙ୍କ ପୁଅଙ୍କ ମୃତ୍ୟୁ ମାମଲାରେ ତମାଣ୍ଡୋ ଠାରେ ଥିବା ସାଉଥ୍ ସିଟି ବାର୍ ଚର୍ଚ୍ଚାକୁ ଆସିଥିଲା। ଏହି ବାର ପ୍ରଦ୍ୟୁମ୍ନ ଜେନାଙ୍କ ନାଁରେ ଥିବା ବେଳେ ଏହାକୁ ହାବିଲଦାର ଓ କନଷ୍ଟେବଳ ସଂଘର ତତ୍କାଳୀନ ସମ୍ପାଦକ ପ୍ରସନ୍ନ ବେହେରା ଚଲାଉଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିଲା ଆସର। ନିଜେ ପୁଲିସ ଏହି ବାର ଚଳାଉଥିବା ବେଳେ ସ୍ଥାନୀୟ ଥାନାର ମଧ୍ୟ ଆଶୀର୍ବାଦ ରହିଥିଲା। ପୂର୍ବରୁ ବାର୍ ଭିତରେ ଗଣ୍ଡଗୋଳକୁ କେନ୍ଦ୍ର କରି ବାହାରେ ଗୁଳିକାଣ୍ଡ, ବାର୍ ଭିତରେ ଗ୍ରାହକଙ୍କୁ ମରଣାନ୍ତକ ଆକ୍ରମଣ, ଯୁବତୀଙ୍କୁ ଅସଦାଚରଣ ଭଳି ସଙ୍ଗିନ ଅଭିଯୋଗ ରହିଛି। ଏପରିକି ବାର୍ ଡ୍ୟାନ୍ସରଙ୍କୁ ଦେହ ବ୍ୟବସାୟରେ ଲଗା ଯାଉଥିବା ନେଇ ଅଭିଯୋଗ ମଧ୍ୟ ଉଠିଛି। ତେବେ ଅବକାରୀ ଅଧିକାରୀ ବିକାଶ ନାୟକ କହିଛନ୍ତି, ନିୟମିତ ଯାଞ୍ଚ କରାଯାଉଛି, ଡ୍ୟାନ୍ସ ବାର ପକ୍ଷରୁ ରେଜିଷ୍ଟର ଦାଖଲ କରାଯାଉଛି।
ଦୁଇ ଅଭିଯୁକ୍ତଙ୍କୁ ନୋଟିସ୍ କରି ଛାଡ଼ିଲା ପୁଲିସ, ଡିସିପିଙ୍କୁ ଭେଟିଲେ ଅଭିଯୋଗକାରିଣୀ
ଅଶୋକନଗରସ୍ଥିତ ରଙ୍ଗିଲା ବାର୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୁଇ ଡ୍ୟାନ୍ସର ଆଣିଥିବା ଅଭିଯୋଗ ଉପରେ ପୁଲିସ ତଦନ୍ତ କରୁଛି। ବାର୍ର ୨ଜଣଙ୍କୁ ଡାକି ସେମାନଙ୍କ ବୟାନ ରେକର୍ଡ କରିବା ସହ ସିଆରପିସି-୪୧ରେ ନୋଟିସ୍ କରି ଛାଡ଼ିଛି। ସେହିପରି ୨ ଅଭିଯୋଗକାରୀ ଡ୍ୟାନ୍ସର ଆଜି ଡିସିପିଙ୍କୁ ଭେଟିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ସେମାନେ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଡ୍ୟାନ୍ସରଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା-୩୪୧, ୩୨୩, ୨୯୪, ୫୦୬ ଓ ୩୪ରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ୩ ଜଣ ଅଭିଯୁକ୍ତ ଅଛନ୍ତି, ସେମାନେ ହେଉଛନ୍ତି ପାର୍ଥ, ଓମ୍ ଓ ମୋହନ। ସୂଚନାଯୋଗ୍ୟ, ପୁରୀ ବ୍ରହ୍ମଗିରି ଅଞ୍ଚଳର ଜଣେ ଡ୍ୟାନ୍ସର ଅଭିଯୋଗ ଆଣିଥିଲେ ଯେ ସେମାନଙ୍କୁ ଭୋର ପର୍ଯ୍ୟନ୍ତ ନାଚିବାକୁ ବାଧ୍ୟ କରାଯାଉଛି। ଏପରିକି ଗ୍ରାହକଙ୍କ ସହ ରାତି ନ ବିତାଇଲେ ଜୀବନରୁ ମାରି ଦେବାକୁ ଧମକ ମିଳୁଛି। ପାରିଶ୍ରମିକ ନ ମିଳିଲେ ନିର୍ଯାତନା ଦିଆ ଯାଉଥିବା ଅଭିଯୋଗ କରିଥିଲେ।