ଦେଶ ବିଦେଶ

‘ମୋତେ ଗୁଳି କରି ଏଠାରେ ପୋତି ଦିଅ’: ବାଂଲାଦେଶରୁ ପଳାୟନ କରିବା ପୂର୍ବରୁ କହିଥିଲେ ଶେଖ୍ ହସିନା

ନୂଆଦିଲ୍ଲୀ: ମୋତେ ଗୁଳି କର, ମୋତେ ଏଠାରେ ଗଣଭବନରେ ପୋତି ଦିଅ’- ୨୦୨୪ ଅଗଷ୍ଟ ୫ ତାରିଖ ସକାଳେ ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏହା କହିଥିଲେ। ବିକ୍ଷୋଭକାରୀମାନେ ଗଣଭବନରେ ପ୍ରବେଶ କରି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଭଙ୍ଗାରୁଜା କରିବାର କିଛି ଘଣ୍ଟା ପୂର୍ବରୁ ହସିନା ଶେଷରେ ଭାରତ ପଳାଇ ଆସିଥିଲେ। ଆନ୍ତର୍ଜାତିକ ଅପରାଧ ଟ୍ରିବ୍ୟୁନାଲରେ ମୁଖ୍ୟ ପ୍ରସିକ୍ୟୁଟର ମହମ୍ମଦ ତାଜୁଲ ଇସଲାମଙ୍କ ଦ୍ୱାରା ଶୁଣାଣି ସମୟରେ ଏହି ସୂଚନା ଦିଆଯାଇଛି ବୋଲି ‘ପ୍ରଥମ ଆଲୋ’ର ଏକ ରିପୋର୍ଟରୁ ଜଣାପଡ଼ିଛି।

ଶୁଣାଣି ସମୟରେ ମୁଖ୍ୟ ଓକିଲ ବାଂଲାଦେଶରେ ହସିନାଙ୍କ ଶେଷ ଘଣ୍ଟାର ଝଲକ ଦେଇଥିଲେ। ଓକିଲଙ୍କ କହିବା ଅନୁଯାୟୀ, ସଂସଦର ତତ୍କାଳୀନ ବାଚସ୍ପତି ଶିରିନ ଶର୍ମିନ ଚୌଧୁରୀ ପ୍ରଥମେ ହସିନାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ତେବେ ଶାସକ ଆୱାମୀ ଲିଗ୍‌ର ଅନେକ ଶୀର୍ଷ ନେତା ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଅଗଷ୍ଟ ୪ ତାରିଖ ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ହୋଇଥିଲା। ଏଥିରେ ବରିଷ୍ଠ କ୍ୟାବିନେଟ୍ ସଦସ୍ୟ ଓ ସୁରକ୍ଷା ବାହିନୀର ମୁଖ୍ୟମାନେ ଉପସ୍ଥିତ ଥିଲେ। ତତ୍କାଳୀନ ପ୍ରତିରକ୍ଷା ପରାମର୍ଶଦାତା ମେଜର ଜେନେରାଲ (ଅବସରପ୍ରାପ୍ତ) ତାରିକ ଅହମଦ ସିଦ୍ଦିକି ହସିନାଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ। ତେବେ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ସେନା ମୁଖ୍ୟଙ୍କୁ ଦୃଢ଼ତାର ସହ ଠିଆ ହୋଇ ଆନ୍ଦୋଳନକୁ ଦମନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରଦିନ ଅର୍ଥାତ୍ ଅଗଷ୍ଟ ୫ ତାରିଖ ସକାଳେ ସେନା ଓ ପୁଲିସ ଅଧିକାରୀମାନେ ହସିନାଙ୍କ ସହ ପୁଣି ଥରେ ବୈଠକ କରିଥିଲେ। ପୁଲିସ ହସିନାଙ୍କୁ କହିଥିଲା ଯେ ଫୋର୍ସ ଏକ ପ୍ରକାର ଥକି ଯାଇଛି ଏବଂ ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ନାହିଁ। ହସିନା ଇସ୍ତଫା ଦିଅନ୍ତୁ ବୋଲି ସେନା ଅଧିକାରୀମାନେ ପୁଣି ଥରେ ପରାମର୍ଶ ଦେଇଥିଲେ। କିନ୍ତୁ କ୍ରୋଧିତ ହସିନା ପ୍ରତିକ୍ରିୟା ଦେଇ କହିଥିଲେ, ତା’ହେଲେ ମୋତେ ଗୁଳି କରି ଏଠାରେ ଗଣଭବନରେ ପୋତି ଦିଅ। ଏହାପରେ ସାମରିକ ଅଧିକାରୀମାନେ ହସିନାଙ୍କ ସହ ଏକ ପୃଥକ୍ ବୈଠକ କରିଥିଲେ ଏବଂ କହିଥିଲେ ଯେ ବିକ୍ଷୋଭକାରୀମାନେ ଚାରିଆଡ଼ୁ ଗଣଭବନକୁ ଘେରିବାକୁ ବସିଲେଣି। ଏହାପରେ ହସିନାଙ୍କ ସାନ ଭଉଣୀ ଶେଖ୍ ରେହାନା ତାଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କରିଥିଲେ। ଏପରିକି ସେ ହସିନାଙ୍କ ପାଦତଳେ ପଡ଼ିଯାଇଥିଲେ। ତଥାପି ହସିନା ନ ମାନିବାରୁ ସେନା  ଆମେରିକାରେ ରହୁଥିବା ହସିନାଙ୍କ ପୁଅ ସଜିବ ୱାଜେଦ ଜୟଙ୍କ ସହ ଯୋଗାଯୋଗ କରିଥିଲା। ଶେଷରେ ରକ୍ତପାତ ଏଡ଼ାଇବା ପାଇଁ ଜୟ ହସିନାଙ୍କୁ ଇସ୍ତଫା ଦେବାକୁ ରାଜି କରାଇଥିଲେ। ଏହାପରେ ହସିନା ତାଙ୍କ ଭଉଣୀଙ୍କ ସହ ହେଲିକପ୍ଟର ଯୋଗେ ଭାରତ ପଳାଇ ଆସିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button