ନୀତି

ପିଣ୍ତ-ବ୍ରହ୍ମାଣ୍ତ; ସାଧନାର ବ୍ୟାକରଣ: ବର୍ଣ୍ଣ ପରିଚୟ-୨ – Utkal Mail


ବ୍ରହ୍ମାଣ୍ଡର ପ୍ରଥମ ଅନୁଭୂତ ପାର୍ଥକ୍ୟ ହେଉଛି, ଜଡ଼ ଓ ଜୀବନର ବିଭାଜନ। ଆମେ ଏହାକୁ ଖୁବ୍ ସହଜରେ ନିଜ ବାହ୍ୟ ସଂସାରରେ ଦେଖିପାରୁ। କିନ୍ତୁ ନିଜ ପିଣ୍ଡବ୍ରହ୍ମାଣ୍ଡରେ ଏହାକୁ ଅନୁଭବ କରିବା ଟିକିଏ କଷ୍ଟକର। କାରଣ, ଆମର ଜୀବନ୍ତ ଶରୀରରେ ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ ସାଧାରଣ ଦୃଷ୍ଟିରେ ଅଦୃଶ୍ୟ। ବ୍ୟାକରଣର ବର୍ଣ୍ଣ ପରିଚୟ ମାଧ୍ୟମରେ ଏହି ବିଭାଜନକୁ ବୁଝିହୁଏ, ଅନୁଭବ କରିହୁଏ; କାରଣ ଧ୍ୱନି ସହ ଆମେ ଅହରହ ଜଡ଼ିତ।

ଜଡ଼ତତ୍ତ୍ୱ ସହ ଶକ୍ତି ଯୋଡ଼ିହେଲେ ହିଁ ଜୀବନ ପ୍ରକାଶିତ ହୁଏ। ସର୍ବବ୍ୟାପକ ଧ୍ୱନିର ମଧ୍ୟ ମୂଳ ବିଭାଜନ ହେଉଛି ଦୁଇଟି- ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣ। ଧ୍ୱନିର ଅନନ୍ତ ପ୍ରକାର ଭେଦର ପରିପ୍ରକାଶ ଏହି ଦୁଇଟିର ବିଭିନ୍ନ ପ୍ରକାର ସଂଯୋଗରୁ ସମ୍ଭବ ହୁଏ। ‘ସ୍ୱୟଂ ରାଜନ୍ତେ ଇତି ସ୍ୱର’- ଏହା ହେଉଛି ସ୍ୱରବର୍ଣ୍ଣର ପରିଭାଷା। ଅର୍ଥାତ୍ ଯିଏ ନିଜେ ପ୍ରତିପାଦିତ ହୁଏ ଏବଂ ଅନ୍ୟମାନଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରେ, ତାହା ହେଉଛି ସ୍ୱର। ଯେ କୌଣସି ପ୍ରକାର ଧ୍ୱନିର ମୂଳରେ ଥିବା ସୁର ଓ ଲୟ ହେଉଛି ସ୍ୱରବର୍ଣ୍ଣ ସୂଚକ। ବ୍ୟଞ୍ଜନବର୍ଣ୍ଣ ଶୃଙ୍ଗାର ସୂଚକ ବା ପ୍ରାଧାନ୍ୟ ପ୍ରାପ୍ତିର ସୂଚକ। ସ୍ୱରବର୍ଣ୍ଣ ବିନା ବ୍ୟଞ୍ଜନ ବର୍ଣ୍ଣମାନଙ୍କର ସ୍ଥିତି ସମ୍ଭବ ହୁଏ ନାହିଁ। ଶକ୍ତି ସହ ସଂଯୁକ୍ତ ନ ହେଲେ ଶରୀରର କୌଣସି ଜଡ଼ତତ୍ତ୍ୱ ନିଜର ପରିପ୍ରକାଶ କରିପାରେ ନାହିଁ। ସ୍ୱରବର୍ଣ୍ଣଗୁଡ଼ିକର ଅନ୍ୟ ନାମ ‘ଅଚ୍‌’, ଯାହାର ଅର୍ଥ- ଗତି କରିବା। ଏଥିରୁ ସ୍ପଷ୍ଟ ଅନୁମେୟ, ଯେ ସ୍ୱର ହେଉଛି ଶକ୍ତିର ପରିଚାୟକ। ବ୍ୟଞ୍ଜନବର୍ଣ୍ଣଗୁଡ଼ିକୁ ‘ହଲ୍‌’ କୁହାଯାଏ, ଯାହାର ଅର୍ଥ- କର୍ଷଣ କରିବା ବା ନୂତନ ସୃଷ୍ଟି ପାଇଁ ମାର୍ଗ ପ୍ରସ୍ତୁତ କରିବା। ‘ଅ’, ‘ଇ’, ‘ଉ’ ହେଉଛନ୍ତି ତିନିଟି ସରଳ ସ୍ୱର। ଏହାକୁ ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନେ ତ୍ରିଗୁଣସୂଚକ ଭାବେ ଗ୍ରହଣ କରନ୍ତି। ‘ଅ’, ‘ଇ’, ‘ଉ’, ‘ଋ’, ‘ଌ’ ହେଉଛନ୍ତି ପାଞ୍ଚ ଶୁଦ୍ଧସ୍ୱର, ଯାହା ପଞ୍ଚତତ୍ତ୍ୱ ସହିତ ତୁଳନୀୟ। ଏହି ସ୍ୱରବର୍ଣ୍ଣମାନେ ଜଡ଼ ବ୍ୟଞ୍ଜନମାନଙ୍କର ପରିପ୍ରକାଶର କାରଣ।
ଧ୍ୟାନରେ ଧ୍ୱନିର ଏହି ବିଭାଜନର ସ୍ୱରୂପକୁ ଅନୁଭବ କଲେ, ନିଜ ପିଣ୍ଡ ବ୍ରହ୍ମାଣ୍ଡର ପାର୍ଥକ୍ୟମୟ ସୃଷ୍ଟିର କାରଣକୁ ଭେଦ କରିବା ସମ୍ଭବ ହୁଏ। ବିଭାଜନର କାରଣ ଜାଣିଲେ ସାଧକ ମୂଳ ଉତ୍ସର ଦର୍ଶନର ନିକଟବର୍ତ୍ତୀ ହୁଅନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button