ମାହାଙ୍ଗାରେ ମାତାଲ୍ ପୁଲିସର ଅଡିଓ ଭାଇରାଲ୍: ‘ଥାନାକୁ ନ ଆସିଲେ ତଣ୍ଟି ଚିପି ଉଠେଇ ଆଣିବି’ – Utkal Mail
ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ରେ ଆଜି ପୁଣି ଏକ ଭାଇରାଲ୍ ଅଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ ଏସ୍ଆଇ ନିଶାସକ୍ତ ଅବସ୍ଥାରେ ଲୋକଙ୍କୁ ଗାଳିଗୁଲଜ ଓ ଧମକ ଦେବାର ଅଡିଓ ଭାଇରାଲ୍ ହେବା ପରେ ଦିନତମାମ୍ ଚର୍ଚ୍ଚା ଲାଗି ରହିଥିଲା। ଶେଷରେ ରାତିରେ ବିଭାଗ ତାଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି।
ସୂଚନା ମୁତାବକ, ମାହାଙ୍ଗା ବ୍ଲକ୍ ଭଦ୍ରେଶ୍ବର ଥାନା ଏସ୍ଆଇ ତପନ ନାୟକଙ୍କ ବଦଳି ପରେ ଗତ ଦୁଇ ସପ୍ତାହ ହେବ ଥାନାରେ ନୂତନ ଏସ୍ଆଇ ଭାବେ ଯୋଗ ଦେଇଛନ୍ତି ବୁଦ୍ଧନାଥ ବେହେରା। ତେବେ ସେ ଏହି ଥାନାରେ ଯୋଗଦେବା ଦିନରୁ ବିବାଦରେ ରହି ଆସିଛନ୍ତି। ଡ୍ୟୁଟି ସମୟରେ ପ୍ରଚୁର ମଦ୍ୟପାନ କରିବା ସହ ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ସେ ନିଶାସକ୍ତ ଅବସ୍ଥାରେ ଅସଭ୍ୟ ଭାଷାରେ ଫୋନ୍ରେ ଲୋକଙ୍କୁ ଧମକ ଦେଉଥିବାର ଅଡିଓ ଆଜି ଭାଇରାଲ୍ ହୋଇଛି। ଉକ୍ତ ଅଡିଓରେ ସେ ନିଜ ନାମ ଓ ଥାନାର ନାମ ନେଇ ଲୋକଙ୍କୁ ଧମକ ଦେଉଛନ୍ତି। କହୁଥିବା ଶୁଣାଯାଉଛି ‘ମୁଁ କମିସନରେଟ୍ରେ ଚାକିରି କରୁଥିବା ବେଳେ ବହୁ ଲୋକଙ୍କୁ ହାଣିଛି। ଥାନାକୁ ନ ଆସିଲେ ତଣ୍ଟି ଚିପି ଉଠେଇ ଆଣିବି। ଏହି ଅଡିଓ ଆଜି ମାହାଙ୍ଗା ଅଞ୍ଚଳରେ ଭାଇରାଲ୍ ହୋଇଥିଲା। ଭାଇରାଲ୍ ହେଉଥିବା ଅଡିଓ ସମ୍ପର୍କରେ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବାରେ, ସେ ଏହା ସତ ବୋଲି କହିବା ସହ ଏସ୍ଆଇ ବୁଦ୍ଧନାଥ ବେହେରା ମଦ୍ୟପାନ କରି ଡ୍ୟୁଟି କରୁଥିବା ସମ୍ପର୍କରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଥିବା କହିଥିଲେ। ଏହି ଖବର ପ୍ରଚାର ହେବା ପରେ ଜିଲ୍ଲା ପୁଲିସ ଅଧୀକ୍ଷକ ମିହିର କୁମାର ପଣ୍ଡା ଅଭିଯୁକ୍ତ ଏସ୍ଆଇ ବୁଦ୍ଧନାଥଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ସାଲେପୁର ଏସ୍ଡିପିଓ ବିମଳ ବାରିକ ସୂଚନା ଦେଇଛନ୍ତି।