ବ୍ୟବସାୟ

ଏକା ଟ୍ରେନ୍‌ରେ ସମାନ ଦୂରତ୍ବ ପାଇଁ ଟିକେଟ ବାବଦକୁ ଅଲଗା ଅଲଗା ଖର୍ଚ୍ଚ ନେଉଛି ଭାରତୀୟ ରେଳବାଇ – Utkal Mail


ଭୁବନେଶ୍ବର: ସମାନ ଦୂରତ୍ବରେ ଥିବା ସ୍ଥାନକୁ ଚଳାଚଳ କରୁଥିବା ସେହି ଏକା ଲୋକାଲ୍‌ ଟ୍ରେନ୍‌ ପାଇଁ ଭାରତୀୟ ରେଳବାଇ ଯାତ୍ରୀମାନଙ୍କଠାରୁ ଭିନ୍ନ ଭିନ୍ନ ଟିକେଟ ଖର୍ଚ୍ଚ ନେଉଛି ବୋଲି ‘ଦି ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ ରିପୋର୍ଟ କରିଛି।

ଏହି ଲୋକାଲ୍‌ ଟ୍ରେନ୍‌ଟି (ଖଡ଼ଗପୁର-ଭଦ୍ରକ ପାସେଞ୍ଜର ସ୍ପେସାଲ୍‌) ଭାରତୀୟ ରେଳବାଇର ଦୁଇଟି ଜୋନ୍‌- ‘ଦକ୍ଷିଣପୂର୍ବ ରେଳବାଇ’ ଓ ‘ପୂର୍ବତଟ ରେଳବାଇ’ ପରିସୀମାରେ ଆସୁଛି। ତେଣୁ, ଯଦି ଜଣେ ଯାତ୍ରୀ ‘ଖଡ଼ଗପୁର-ଭଦ୍ରକ ପାସେଞ୍ଜର ସ୍ପେସାଲ୍‌’ରେ ଖଡ଼ଗପୁରରୁ ଭଦ୍ରକ ଯାତ୍ରା କରନ୍ତି, ତେବେ ତାଙ୍କୁ ଏହି ୧୮୧ କିଲୋମିଟର୍‌ ରାସ୍ତା ପାଇଁ ଟିକେଟ ବାବଦକୁ ୪୦ ଟଙ୍କା ଦେବାକୁ ପଡ଼ିବ। କିନ୍ତୁ, ସେହି ଟ୍ରେନ୍‌ରେ ଯଦି ସେହି ଯାତ୍ରୀଜଣକ ପୁଣି ଭଦ୍ରକରୁ ଖଡ଼ଗପୁର ଯାଆନ୍ତି ତାଙ୍କୁ ୭୫ ଟଙ୍କା ଦେବାକୁ ପଡ଼ିବ।

ସମ୍ଭବତଃ ଏହା ହେଉଛି ଭାରତୀୟ ରେଳବାଇରେ ସମାନ ଦୂରତ୍ବ ପାଇଁ ଭିନ୍ନ ମାସୁଲ୍‌ ନେଉଥିବା ଏକମାତ୍ର ଟ୍ରେନ୍‌। କୋଭିଡ୍‌-୧୯ ମହାମାରୀ ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେବା ପରଠାରୁ ଅର୍ଥାତ୍‌ ଗତ ୨ ବର୍ଷ ହେବ ଯାତ୍ରୀମାନେ ଏହି ଟ୍ରେନ୍‌ରେ ଟିକେଟ୍‌ ମାସୁଲ ବିଭେଦର ସମ୍ମୁଖୀନ ହୋଇ ଆସୁଛନ୍ତି।

Image Courtesy of New Indian Express

‘ଜଳେଶ୍ବର ରେଳ ଯାତ୍ରୀ କମିଟି’ର ଅଧ୍ୟକ୍ଷ ସୁକୁମାର ରଣା କହିଛନ୍ତି, ସମାନ ଦୂରତ୍ବକୁ ଯିବା ପାଇଁ ୨ଗୁଣା ମାସୁଲ ଦେବା ହାସ୍ୟାସ୍ପଦ କଥା। ରେଳବାଇ କେମିତି ୨ ପ୍ରକାରର ମାସୁଲ ନେଉଛି? ଆମେ ବାରମ୍ବାର ରେଳବାଇ ଅଧିକାରୀଙ୍କ ଆଗରେ ଏକଥା ଜଣାଇଛୁ, କିନ୍ତୁ ଏହାକୁ ସୁଧାରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

ଏ ସଂକ୍ରାନ୍ତରେ – ‘ଦକ୍ଷିଣପୂର୍ବ ରେଳବାଇ’ର ଅଧିକାରୀମାନେ କହନ୍ତି ଯେ, ରେଳ ଚଳାଚଳ ବଜାୟ ରଖିବା ଲାଗି କୋଭିଡ୍‌-୧୯ ମହାମାରୀ ପରେ ରେଳଯାତ୍ରା ମାସୁଲ୍‌ ବୃଦ୍ଧି କରାଯାଇଥିଲା। କୋଭିଡ୍‌ ପରେ ଆମେ ରେଳଯାତ୍ରା ମାସୁଲ ସଂଶୋଧନ କରିଥିଲୁ, କିନ୍ତୁ ‘ପୂର୍ବତଟ ରେଳବାଇ’ ମାସୁଲ ସଂଶୋଧନ କରିନାହିଁ। ସେହି ପୁରୁଣା ଦର ରଖିଛି। ଏହାକୁ ‘ପୂର୍ବତଟ ରେଳବାଇ’ ସଂଶୋଧନ କରିବା ଆବଶ୍ୟକ।

ସେପଟେ, ‘ପୂର୍ବତଟ ରେଳବାଇ’ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ଘଟଣାର ବିଚାର ଚାଲିଛି। ଯାତ୍ରୀଙ୍କଠାରୁ ଅଭିଯୋଗ ପାଇବା ପରେ ରେଳବାଇ ବୋର୍ଡକୁ ଏ ବିଷୟରେ ଅବଗତ କରାଯାଇଛି। କିନ୍ତୁ, ବୋର୍ଡରୁ କୌଣସି ନିର୍ଦେଶ ଆସିନାହିଁ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button