କ୍ରିପ୍ଟୋ କେଳେଙ୍କାରୀ: ବ୍ୟାଙ୍କ ଅଧିକାରୀଙ୍କଠୁ ଲୁଟିଲେ ୧୧.୮ ଲକ୍ଷ – Utkal Mail
୫ ମାସରେ ଲୁଟିଲେଣି ୩ କୋଟି; ଫସିଲେଣି ୧୮ ଶିକ୍ଷିତ ବ୍ୟକ୍ତି
କଟକ: କ୍ରିପ୍ଟୋ ମୁଦ୍ରାରେ ନିବେଶ କରାଇଲେ ଦୁଇ ଗୁଣ ଲାଭ ମିଳିବାର ଲୋଭରେ ଫସିଛନ୍ତି କଟକର ଜଣେ ମହିଳା ବ୍ୟାଙ୍କ ଅଧିକାରୀ। ସାଇବର୍ ଅପରାଧୀ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧୧ ଲକ୍ଷ ୭୯ ହଜାର ୯୫୦ ଟଙ୍କା ଲୁଟି ନେଇଛନ୍ତି। ଏହି ବ୍ୟାଙ୍କ ଅଧିକାରୀ ସାଇବର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନକଲି କ୍ରିପ୍ଟୋ କରେନ୍ସି ୱେବ୍ସାଇଟରେ ଏହି ଅର୍ଥ କାରବାର ହୋଇଥିବା ବେଳେ ଯେଉଁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି, ସାଇବର ଥାନା ପୁଲିସ ଉକ୍ତ ଆକାଉଣ୍ଟ ଠାବ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଲାଲବାଗ ଥାନା ଅଞ୍ଚଳର ଜଣେ ମହିଳା ବ୍ୟାଙ୍କ ଅଧିକାରୀଙ୍କ ହ୍ବାଟସଆପକୁ ଗଲା ୧ ତାରିଖରେ ଏକ ଅଜଣା ନମ୍ବରରୁ ମ୍ୟାସେଜ୍ ଆସିଥିଲା। ୟୁଟ୍ୟୁବର ଚ୍ୟାନେଲ୍ ସବସ୍କ୍ରାଇବ୍, ଭିଡିଓ ଲାଇକ୍ କରିବା ସହିତ ଗୁଗୁଲ୍ରେ ସମୀକ୍ଷା କରିବା ଓ ରେଟିଂ ଦେବା, ଫେସବୁକରେ ପୋଷ୍ଟ ଲାଇକ୍, ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ କରିବାକୁ କୁହାଯାଇଥିଲା। ଏଥିପାଇଁ ତାଙ୍କୁ ପ୍ରତି ଲାଇକ୍, କମେଣ୍ଟ ପିଛା ୫୦ରୁ ୧୦୦ ଟଙ୍କା ମିଳିବା ନେଇ ଲୋଭନୀୟ ପ୍ରତିଶ୍ରୁତି ମିଳିଥିଲା। ମହିଳା ଅଧିକାରୀ ଜଣକ ଏଥିରେ ରାଜି ହୋଇଯାଇଥିଲେ। ତାଙ୍କୁ ପରେ ଇନଷ୍ଟାଗ୍ରାମରେ ଏକ ଗ୍ରୁପରେ ଯୋଡ଼ିଥିଲେ। ଏଥିରେ ଯୋଡ଼ିବା ପରେ ତାଙ୍କୁ ଟାସ୍କ କରିବାକୁ ଦିଆଯାଇଥିଲା। ଏହି ଟାସ୍କ ବାବଦରେ ତାଙ୍କୁ ଟଙ୍କା ବି ମିଳିଥିଲା। ପରେ ଅଗ୍ରୀମ ଟଙ୍କା ଦେଇ ଟାସ୍କ କିଣିବାକୁ କୁହାଯାଇଥିଲା। ୨ ହଜାର ଟଙ୍କା, ୫ ହଜାର ଟଙ୍କା ଓ ୩୦ ହଜାର ଟଙ୍କାର ଟାସ୍କ ରହିଥିଲା। ଏହି ଟାସ୍କ ଆଣିବା ପରେ ସେଥିରେ ଏକ ଲିଙ୍କ୍ ରହିଥିଲା। ଏହି ଲିଙ୍କ ଖୋଲିବା ପରେ କ୍ରିପ୍ଟୋ କରେନ୍ସି ନାଁରେ ଏକାଧିକ ୱେବସାଇଟ୍ ବି ରହିଥିଲା। ପରେ ନିବେଶକଙ୍କୁ ଏକ ଲଗଇନ୍ ଆଇଡି ଓ ପାସଵାର୍ଡ ଦିଆଯାଇଥିଲା। ଏହାକୁ ଲଗଇନ୍ କରିବା ପରେ ଏକ କ୍ରିପ୍ଟୋ ଟ୍ରେଡିଂ ପୋର୍ଟାଲ ପେଜ୍ ଖୋଲିଥିଲା। ଏହାକୁ ଖୋଲିବା ପରେ ପୋର୍ଟାଲରେ ଏକ ଭର୍ଚୁଆଲ୍ ଵାଲେଟ୍ ତିଆରି ହୋଇଥିଲା। ପେଜରେ ବିଟ୍କଏନ(ବିଟିସି), ଇଥିରିୟମ(ଇଟିଏଚ୍) ନାଁରେ ଦୁଇଟି ଡିଜିଟାଲ୍ ମୁଦ୍ରା ଆସିଥିଲା। ଏଥିରେ ଏକ ଗ୍ରାଫ୍ ବି ରହିଥିଲା। ଏହି ପେଜ୍ରେ ଉକ୍ତ କ୍ରିପ୍ଟୋ କରେନ୍ସି ବିକ୍ରି କରିବାକୁ କୁହାଯାଇଥିଲା। ଥରକେ ଜଣେ ୩୦ ହଜାର ଟଙ୍କା ନିବେଶ କଲେ ଏହି ଟଙ୍କା ଫେରସ୍ତ ସହିତ ଅତିରିକ୍ତ ୩୦ ହଜାର ଟଙ୍କା ଓ ୩୦ ପ୍ରତିଶତ କମିସନ ମିଳିବା ଭଳି ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଥିଲା।
ପୂର୍ବରୁ ଯେଉଁମାନେ ଏହି ଟଙ୍କା ଫେରସ୍ତ ପାଇଛନ୍ତି, ସେମାନେ କିଛି ଟଙ୍କା କାରବାର ସଂକ୍ରାନ୍ତ ସ୍କ୍ରିନ୍ ସର୍ଟ ବି ଏହି ବ୍ୟାଙ୍କ୍ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଅସଲରେ ସେଭଳି କୌଣସି ଟଙ୍କା ଭର୍ଚୁଆଲ୍ ଆକାଉଣ୍ଟରେ ଜମା ହୋଇନଥାଏ। କିନ୍ତୁ ମହିଳା ଅଧିକାରୀ ଠକଙ୍କ ଚାଲ୍ ବୁଝିପାରିଲେ ନାହିଁ। ଗଲା ୧ ତାରିଖରୁ ୨୦ ତାରିଖ ମଧ୍ୟରେ ଏହି ବ୍ୟାଙ୍କ୍ ଅଧିକାରୀ ଜଣକ କ୍ରିପ୍ଟୋ କରେନ୍ସିରେ ନିବେଶ ପାଇଁ ୧୧ ଲକ୍ଷ ୭୯ ହଜାର ୯୫୦ ଜମା କରିଥିଲେ। କିନ୍ତୁ ପରେ ସେ ଏହି କ୍ରିପ୍ଟୋ କରେନ୍ସିକୁ ଉକ୍ତ ଓ୍ୱେବ୍ସାଇଟରେ ବିକ୍ରି କରିପାରି ନଥିଲେ। ସମସ୍ତ ଟଙ୍କା ସେଠାରେ ଫସି ରହିଥିଲା। ଯେଉଁ ହ୍ବାଟସଆପ୍ ନମ୍ବରରେ ତାଙ୍କୁ ଯୋଗାଯୋଗ କରାଯାଇଥିଲା, ଉକ୍ତ ନମ୍ବରରେ ଫୋନ୍ କରିବାରୁ ଯୋଗାଯୋଗ ସମ୍ଭବପର ହୋଇପାରିଲା ନାହିଁ। ପରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ଶୁକ୍ରବାର ରାତିରେ ବ୍ୟାଙ୍କ ଅଧିକାରୀ ଜଣକ କଟକ କମିସନରେଟ୍ ପୁଲିସର ସାଇବର ଥାନାରେ ଫେରାଦ ହୋଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଗଲା ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ କଟକ କମିସନରେଟ୍ ପୁଲିସରୁ ୧୮ଟି କ୍ରିପ୍ଟୋ କରେନ୍ସି ଠକେଇ ମାମଲା ସାଇବର ଥାନାରେ ହୋଇଛି। ଏଥିରେ ମୋଟ ୨ କୋଟି ୮୦ ଲକ୍ଷ ଟଙ୍କା ଲୁଟ ହୋଇସାରିଲାଣି। ଏହି ଲୁଟରେ ବ୍ୟାଙ୍କର ବରିଷ୍ଠ ଅଧିକାରୀ ୬ ଜଣ ଫସିଥିବା ବେଳେ, ଇଞ୍ଜିନିୟର ୩ ଜଣ ଅଛନ୍ତି। ଏହାବାଦ ଆଇଟି ବୃତ୍ତିଧାରୀ ଓ ବ୍ୟବସାୟୀ ବି ଠକେଇର ଶିକାର ହୋଇଥିବା ସାଇବର ଥାନା ପୁଲିସ ପକ୍ଷରୁ କୁହାଯାଇଛି।