କରୋନା

ଚୀନ୍ କୋଭିଡ୍-୧୯ ରୂପକ ଜୈବାସ୍ତ୍ର ତିଆରି କରିଥିଲା: ଉହାନ ଗବେଷକ – Utkal Mail


ବେଜିଂ: ଚୀନ୍‌ର ଉହାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଜନୈକ ଗବେଷକ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। କରୋନାଭାଇରସ୍‌ର ଉତ୍ପତ୍ତି ବିଷୟରେ ସେ କହିଛନ୍ତି ଯେ ଏହା ପ୍ରାକୃତିକ ଭାବେ ସୃ‌ଷ୍ଟି ହୋଇ ନ ଥିଲା। ବିଶ୍ବରେ ଆତଙ୍କ ଖେଳାଇବା ପାଇଁ ଚୀନ୍ ଏହି ମହାମାରୀ ଭୂତାଣୁକୁ ଜୈବାସ୍ତ୍ର ଭାବେ ବିଜ୍ଞାନାଗାରରେ ସୃଷ୍ଟି କରିଥିଲା। ତାଙ୍କ ସହକର୍ମୀମାନଙ୍କୁ ଭୂତାଣୁର ଚାରୋଟି ଷ୍ଟ୍ରେନ୍ ଦେଇ ତା’ ଭିତରୁ କେଉଁଟା ଶୀଘ୍ର ସଂକ୍ରମଣ କରିପାରିବ ପରୀକ୍ଷା କରିବା ପାଇଁ କୁହାଯାଇଥିଲା। ଏହି ଗବେଷକ ଜଣକ ହେଉଛନ୍ତି ଚାଓ ସାଓ। ଅନ୍ତର୍ଜାତୀୟ ସାମ୍ବାଦିକ ସଂଘର ସଦସ୍ୟ ଜେନିଫର ଜେଙ୍ଗଙ୍କୁ ସାକ୍ଷାତ୍‌କାର ଦେଇ ସାଓ ଚୀନ୍ ଓ ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି (ସିସିପି)ର ଦୃଷ୍ଟିଭଙ୍ଗୀ ବିଷୟରେ ସୂଚନା ଦେଇଥିଲେ। ସାଓଙ୍କ କହିବା ଅନୁସାରେ ତାଙ୍କର ସହଗବେଷକ ସାନ ଚାଓଙ୍କୁ ତାଙ୍କ ଉପରିସ୍ଥ ଚାରୋଟି ଷ୍ଟ୍ରେନ୍ ଦେଇ କେଉଁଟା ବେଶି ସଂକ୍ରମଣକାରକ ପରୀକ୍ଷା କରିବା ପାଇଁ କହିଥିଲେ। ସାଓ କରୋନା ଭୂତାଣୁକୁ ଏକ ଜୈବାସ୍ତ୍ର ବୋଲି ଅଭିହିତ କରିଛନ୍ତି।

ସାଓ କହିଛନ୍ତି ଉହାନରେ ୨୦୧୯ ମିଲିଟାରି ୱାର୍ଲଡ ଗେମ୍‌ରେ ତାଙ୍କର ଅନେକ ସହକର୍ମୀ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କର ଜଣେ ସହକର୍ମୀ କହିଲେ ଯେ, ସେମାନଙ୍କୁ ବିଭିନ୍ନ ଦେଶରୁ ଆସିଥିବା କ୍ରୀଡ଼ାବିତ୍‌ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ହୋଟେଲଗୁଡ଼ିକୁ ପଠାଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଭୂତାଣୁବିତ୍‌ମାନଙ୍କର ଆବଶ୍ୟକତା ନ ଥିବାରୁ ଖେଳାଳୀମାନଙ୍କୁ ଭୂତାଣୁ ଦ୍ବାରା ସଂକ୍ରମିତ କରିବା ପାଇଁ ସେମାନଙ୍କୁ ପଠାଯାଇଛି ବୋଲି ଚାଓ ସାନ ସନ୍ଦେହ କରିଥିଲେ। ୨୦୨୦ ଏପ୍ରିଲରେ ଚାଓ ସାନ କହିଥିଲେ ଯେ, ବିଭିନ୍ନ ଶିବିରରେ କଏଦୀଭାବେ ଥିବା ଉଇଘର ମୁସଲିମଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖିବା ପାଇଁ ତାଙ୍କୁ ସିଂଜିଆଙ୍ଗ ପଠାଯାଇଥିଲା। ଏଠାରେ ବି ସେ ସନ୍ଦେହ କରିଥିଲେ ଯେ, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭୂତାଣୁବିତ୍‌ଙ୍କର ଆବଶ୍ୟକତା ନ ଥିବାରୁ ଭୂତାଣୁ ସଂକ୍ରମଣ ପାଇଁ କିମ୍ବା ମଣିଷ ଦେହରେ ଭୂତାଣୁ କେମିତି କାମ କରୁଛି ଦେଖିବା ପାଇଁ ତାଙ୍କୁ ସେଠାକୁ ପଠାଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button