ଦେଶ ବିଦେଶ

ଇଣ୍ଡୋନେସିଆ ଓ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

ବାଲି, –   କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡୋନେସିଆ ଗସ୍ତର ଅନ୍ତିମ ଦିନରେ ବାଲି ଠାରେ ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆର ଶୈଶବାବସ୍ଥା ଶିକ୍ଷା ଓ ଯୁବ ମନ୍ତ୍ରୀଙ୍କ ସହ ପୃଥକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ଉଭୟ ଦେଶର ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଭାଗିଦାରୀତାକୁ ଅଧିକ ମଜଭୂତ୍ କରିବା ଦିଗରେ ଆଲୋଚନା କରିଛନ୍ତି । ଉଭୟ ରାଷ୍ଟ୍ର ସହ ବିଶେଷ ଭାବରେ ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ଶୈଶବାବସ୍ଥା ଶିକ୍ଷା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି ।

ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ନାଦିମ୍ ଅନୁଓ୍ୱର ମକାରିନଙ୍କ ସହ ଶିକ୍ଷା, ଦକ୍ଷତା ବିକାଶ, ଭାଗିଦାରୀତାକୁ ବିକଶିତ କରିବା ସହ ରଣନୈତିକ ସମ୍ପର୍କକୁ ଆହୁରି ଆଗକୁ ନେବା ପାଇଁ ଆଲୋଚନା ହୋଇଛି । ଶିକ୍ଷା, ଦକ୍ଷତା ବିକାଶ, ବିଶେଷ ଭାବରେ ପାଠ୍ୟକ୍ରମ ପ୍ରସ୍ତୁତି, ଛାତ୍ରଛାତ୍ରୀ ବିନିମୟ ଏବଂ ଗବେଷଣା ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ବୃଦ୍ଧି କରିବାକୁ ବୈଠକରେ ଆଲୋଚନା ହୋଇଛି । ଭାରତର ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ର ସହ ସହଯୋଗୀ ହେବା ପାଇଁ ଇଣ୍ଡୋନେସିଆ ଇଚ୍ଛାପ୍ରକାଶ କରିଛି । ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀଙ୍କୁ ଭାରତ ଆସିବା ପାଇଁ କେନ୍ଦ୍ରମନ୍ତ୍ରୀ ନିମନ୍ତ୍ରଣ ଦେଇଛନ୍ତି ।

ଏହାବ୍ୟତିତ ଅଷ୍ଟ୍ରେଲିଆର ଶିଶୁ ଶିକ୍ଷା ଓ ଯୁବ ମନ୍ତ୍ରୀ ଡା. ଆନି ଏଲିଙ୍କ ସହ ପ୍ରାରମ୍ଭିକ ଶୈଶବ ଏବଂ ସ୍କୁଲ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ୍ କରିବା ଦିଗରେ ଆଲୋଚନା ହୋଇଛି । ଶିଶୁର ବିକାଶରେ ବାଲ୍ୟାବସ୍ଥା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏ ଦୃଷ୍ଟିରୁ ଶିଶୁଙ୍କ ବାଲ୍ୟବସ୍ଥା ଶିକ୍ଷାକୁ ଉନ୍ନତମାନର କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଉଚ୍ଚ ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ସହ ଅଷ୍ଟ୍ରେଲିଆର ଉତ୍ତମ ବୁଝାମଣା ରହିଛି । ପ୍ରାରମ୍ଭିକ ଶୈଶବାବସ୍ଥା ଓ ସ୍କୁଲ ଶିକ୍ଷାରେ ଉଭୟ ଦେଶ ପରସ୍ପର ସହଯୋଗୀ ହେଲେ ଭାରତ ଅଷ୍ଟ୍ରେଲିଆରେ ଥିବା ଛୋଟ ପିଲାମାନଙ୍କୁ ବିଭିନ୍ନ ପଦ୍ଧତିରେ ଶିକ୍ଷା ପ୍ରଦାନ କରିବାର ଏକ ମୂଳଦୁଆ ପଡ଼ିପାରିବ । ଭାରତ ଅଷ୍ଟ୍ରେଲିଆର ଦୀର୍ଘକାଳୀନ ଦ୍ୱିପାକ୍ଷିକ ସମ୍ପର୍କକୁ ଜ୍ଞାନ ମାଧ୍ୟମରେ ଅଧିକ ମଜଭୂତ କରିବା ଦିଗରେ ଆଲୋଚନା ହୋଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ବାଲି ଠାରେ ୟୁନେସ୍କୋର ଏଡ଼ିଜି ଷ୍ଟେଫିନିଆ ଗ୍ୟାନିନୀଙ୍କ ସହ ଶିକ୍ଷା ୨୦୩୦ ଏଜେଣ୍ଡା  ଉପରେ ଆଲୋଚନା କରିଥିଲେ । ଭାଷା ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ସହ ଆଗାମୀ ଦିନରେ ଭାରତ ଅଧ୍ୟକ୍ଷତାରେ ଅୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀକୁ ସମର୍ଥନ କରିବା ଉପରେ ବିଚାମବିମର୍ଷ ହୋଇଥିଲା ।

ଉଲ୍ଲେଖନୀୟ ଯେ,  କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଗଷ୍ଟ ୩୦ରୁ ୪ ଦିନିଆ ଇଣ୍ଡୋନେସିଆ ଗସ୍ତ ସାରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button