କ୍ରାଇମ
ଦୁଇ ବନ୍ଧୁକ ସହ ଇଂଜିନିୟରିଂ ଛାତ୍ର ଗିରଫ, ସ୍କୁଟି ଜବତ
ଟାଙ୍ଗୀ-ଚୌଦ୍ୱାର :- କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଚଟିଲୋ ଗଡା ନିକଟରୁ ଟାଙ୍ଗୀ ପୋଲିସ ଏକ ସ୍କୁଟିରୁ ଦୁଇଟି ବନ୍ଧୁକ ଜବତ କରିବା ସହ ଜଣେ ଇଂଜିନିୟରିଂ ଛାତ୍ରକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ କହ୍ନେଇପୁର ପଞ୍ଚୟାତ ନିମିଶାପୁର ଗ୍ରାମର ମହେଶ୍ୱର ଷଡ଼ଙ୍ଗୀ ।
ପୋଲିସ ଦେଇଥିବା ସୂଚନା ମୁତାବକ, ଶୁକ୍ରବାର ଅପରାହ୍ନରେ ଟାଙ୍ଗୀ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇଥିଲା କି ଜଣେ ଯୁବକ ଚଟିଲ ନିକସ୍ଥ ବଜ଼ାରରେ ଗଣ୍ଡଗୋଳ କରୁଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ ଯୁବକଙ୍କୁ ଅଟକାଇବା ସହ ଯୁବକଙ୍କ ସ୍କୁଟିକୁ ଖାନ ତଲାସ କରିଥିଲା । ପରେ ସ୍କୁଟି ମଧ୍ୟରୁ ଦୁଇଟି ବନ୍ଧୁକ ଜବତ କରିବା ସହ ମହେଶ୍ୱରଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ମହେଶ୍ୱର କାହିଁକି ବନ୍ଧୁକ ଦୁଇଟି ଗାଡି ଭିତରେ ରଖିଥିଲା ତାହାର କାରଣ ଅସ୍ପଷ୍ଟ । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।