ଦେଶ ବିଦେଶ

ଦିଲ୍ଳୀ ବିଳାଶପୁରୀ ଠାରେ ଗଣପତି ମହୋତ୍ସବ ସମାପନ

ନୂଆଦିଲ୍ଲୀ,03/09 : ପଶ୍ଚିମ ଦିଲ୍ଲୀର ବିକାଶପୁରୀଠାରେ ୨୨ତମ ବାର୍ଷିକ ଶ୍ରୀଗଣେଶ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଗଣେଶ ପୂଜା କମିଟି ଓଡ଼ିଆ ସମାଜ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ବିଶିଷ୍ଟ ଓଡ଼ିଆ ଓ ଅଣଓଡ଼ିଆ ନେତୃବର୍ଗ ଯୋଗଦେଇଥିବା ଦେଖାଯାଇଥିଲା । ଅପରାହ୍ନ ଦେଢ଼ଟା ବେଳେ ମଙ୍ଗଳମୂର୍ତ୍ତିଙ୍କର ପ୍ରତିଷ୍ଠା ଏବଂ ଶ୍ରୀବିଗ୍ରହଙ୍କ ସାମ୍‌ନାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସମାପନ କରାଯାଇଥିଲା । ପୂଜାରୀଙ୍କର ମନ୍ତ୍ର ଉଚ୍ଚାରଣ ଏବଂ ଭକ୍ତମାନଙ୍କର ଢୋଲକ ବାଦନ ଦ୍ୱାରା ସମଗ୍ର ପରିବେଶ ଭକ୍ତିପୂତ ଏବଂ ଅଧ୍ୟାତ୍ମିକ ଉତ୍ସ୍ୱାସରେ ମୁଖରିତ ହୋଇଉଠିଥିଲା । ଦିନ ଅଢ଼ଇଟାବେଳେ ବୁଦ୍ଧିଦାତାଙ୍କ କରକମଳରେ ପୁଷ୍ଠାଞ୍ଜଳି ଅର୍ପଣ କରଯାଇଥିଲା । କରୋନା ମହାମାରୀର ବାଧକତା ଯୋଗୁଁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନରେ ଗଣେଶ ଉତ୍ସବ ପାଳନ କରାଯାଉଥିବା ଯୋଗୁଁ ଆୟୋଜକ ଓଡ଼ିଆ ସମାଜର ସଦସ୍ୟ ଓ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଅଭୂତପୂର୍ବ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ପରିଲ୍ଲଖିତ ହୋଇଥିଲା ।

ସମାରୋହର ମଧ୍ୟାହ୍ନ ଅଧୀବେଶନରେ ସ୍ଥଳସେନାର ଅବସରପ୍ରାପ୍ତ ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି ଏବଂ ସନ୍ଧ୍ୟା ଅଧୀବେଶନରେ ବରିଷ୍ଠ ପ୍ରଶାସକ ଡଃ ଦେବେନ୍ଦ୍ର ମାଝି ଓ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଅତିଥି ଭାବରେ ଯୋଗଦେଇଥିଲେ ।

ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଓଡ଼ିଶାର ତାରକା ଗାୟକ ପ୍ରଭୁପାଦ ମହାନ୍ତି ଥିଲେ । ଶ୍ରୀ ମହାନ୍ତି ତାଙ୍କର ଯାଦୁଭରା ଲୋକପ୍ରିୟ ସଂଗୀତ ପରିବେଷଣ କରି ଉପସ୍ଥିତ ସହସ୍ରାଧୀକ ଶ୍ରଦ୍ଧାଳୁମାନଙ୍କର ଭର୍‌ପୂର ମନୋରଞ୍ଜନ କରିଥିଲେ । ସେହିପରି କଳାକଳ୍ପ ସାଂସ୍କୃତିକ ସଂଗଠନର ବାଳୁତ କଳାକାରମାନେ ମନଲୋଭା ନୃତ୍ୟ ପ୍ରସ୍ତୁତ କରି ଦର୍ଶକମାନଙ୍କୁ ଖୁବ୍‍ ମନ୍ତ୍ରମୁଗ୍ଧ କରିଥିଲେ । ଦକ୍ଷ ଉପସ୍ଥାପିକା ଇପ୍‌ସା ପ୍ରତିବିମ୍ବିତା ଷଡ଼ଙ୍ଗୀ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକୁ ବେଶ୍ ସ୍ୱଭାବ, ସୁଲଭ ଓ ସୁନ୍ଦର ଢଙ୍ଗରେ ସଞ୍ଚାଳନା କରିଥିଲେ ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ କଳିଙ୍ଗ ଭାରତୀ ଫାଉଣ୍ଡେସନର ସଭାପତି ଇଞ୍ଜିନିୟର ଅକ୍ଷୟ ସାମଲ, ସଞ୍ଜୟ ଦାସ, ଯୁବ ଶିଳ୍ପୋଦ୍ୟୋଗୀ ସୁମନ୍ତ ବିଶ୍ୱାଳ, ସମାଜସେବୀ ପ୍ରୀତମ ନାୟକ, ଟେନିସ୍ ତାରକା ଦିଲ୍ଳୀପ ମହାନ୍ତି, ଜୀବନଜ୍ୟୋତି ଡାକ୍ତରଖାନାର ମୁଖ୍ୟ ଡଃ ବିନାୟକ ପ୍ରସାଦ, ରୋହିଣୀ ଜଗନ୍ନାଥ ମନ୍ଦିରର ସଦସ୍ୟ ଶରତ ଶର୍ମା, ମହାନ୍ତି ଡାକ୍ତରଖାନାର ଅଧ୍ୟକ୍ଷ ଡଃ ଆର୍‌.ଆର୍‌. ମହାନ୍ତି, ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସନ୍ତୋଷ ରାଉତ, କ୍ଷାତନାମା ଯନ୍ତ୍ର ସଂଗୀତଜ୍ଞ ସୁବୋଧ ପାଢ଼ୀ, ପୂର୍ବତନ ନିଗମ ପାର୍ଷଦ ସରିତା ଜୀନ୍ଦଲ ଓ ସୁନୀଲ ଜିନ୍ଦଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

ଗତ ଗୁରୁବାର ଦିନ ଶ୍ରୀଗଣେଶଙ୍କର ପ୍ରତିମାକୁ ରୋଷଣି କରି ୱାଜିରପୁରସ୍ଥିତ ଯମୁନା ନଦୀର ଘାଟ ନିକଟକୁ ନିଆଯାଇ ସେଠାରେ ବିସର୍ଜନ କରାଯାଇଥିବା ଜଣାଯାଇଛି ।

ସମଗ୍ର ମହୋତ୍ସବକୁ ସୂଚାରୁ ରୂପେ ଆୟୋଜନ, ଭବ୍ୟ ଢଙ୍ଗରେ ପରିଚାଳନା ତଥା ବ୍ୟାପକ ସଫଳତାର ସହିତ ସମ୍ପନ୍ନ କରାଯିବା ପଛରେ ଶ୍ରୀଗଣେଶ ପୂଜା କମିଟି ଓଡ଼ିଆ ସମାଜର ପ୍ରଧାନ ପୁରୋଧା ସଭାପତି ବିମଳ ଭଲ ଏବଂ ତାଙ୍କର ସହଧର୍ମିଣୀ ପୁଷ୍ପାଞ୍ଜଳି ବାରିକଙ୍କର ଭୂମିକା ବେଶ୍ ଉଲ୍ଲେଖଯୋଗ୍ୟ ଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button