ଚିନ୍ତା ବଢ଼ାଇଲାଣି ଚିକେନ୍: ବାର୍ଡ ଫ୍ଲୁ ଯୋଗୁ ବ୍ୟବସାୟ ପ୍ରଭାବିତ

ଭୁବନେଶ୍ୱର: ଉପକଣ୍ଠର ବାର୍ଡ ଫ୍ଲୁ ସଂକ୍ରମଣ ଦେଖାଯିବା ନେଇ ବିଏମ୍ସି କଟକଣା ଜାରି କରିବା ପରେ କୁକୁଡ଼ା ମାଂସ ବେପାର ମାନ୍ଦା ହୋଇଛି। ମାଂସ ସହ ଚିକେନ୍ ପ୍ରସ୍ତୁତ ଫାଷ୍ଟଫୁଡ୍ ବ୍ୟବସାୟ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଆଜି ରବିବାରରେ ଭଲ ବ୍ୟବସାୟ ପାଇଁ ଅପେକ୍ଷା କରି ରହିଥିବା ବେପାରୀମାନେ ହତାଶ ହୋଇଛନ୍ତି।
ବାର୍ଡ-ଫ୍ଲୁ ବ୍ୟାପିବା ପୂର୍ବରୁ ରାଜଧାନୀକୁ ୨୦ରୁ ୨୫ଟି ପିକଅପ୍ ଭ୍ୟାନ୍ରେ କୁକୁଡ଼ା ଆସୁଥିବା ବେଳେ ବର୍ତ୍ତମାନ ମାତ୍ର ୩ରୁ ୪ଟି ଗାଡ଼ି ଆସୁଛି।
୨୦୦ରୁ ୨୫୦ଟଙ୍କାରେ ବିକ୍ରି ହେଉଥିବା କୁକୁଡ଼ା ଦର ବର୍ତ୍ତମାନ ୧୬୦ରୁ ୧୭୦ଟଙ୍କାକୁ ଖସି ଆସିଛି। ଏହା ସତ୍ତ୍ବେ ମଧ୍ୟ କୁକୁଡ଼ା ମାଂ ବିକ୍ରି ହେଉ ନାହିଁ। ଏପଟେ ଛେଳି ମାଂସର ଚାହିଦା ବଢ଼ିଛି। ୪ ନମ୍ୱର, ନୂଆପଲ୍ଲୀ, ୟୁନିଟ୍ ୮ ଆଦି ସ୍ଥାନରେ ଆଜି ସକାଳେ ଛେଳି ମାଂସ ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଅନ୍ୟପଟେ ମାଛର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। ୧୬୦ରୁ ୧୮୦ ମଧ୍ୟରେ ବିକ୍ରି ହେଉଥିବା ମାଛ ଦର ଖୁଚୁରା ବଜାରରେ ୨୨୦ରେ ପହଞ୍ଚିଛି।
ସୂଚନା ମୁତାବକ, ଗତ ବୁଧବାର ଦିନ ୮ ଗାଡ଼ି ମାଛ ଆସିଥିଲା। ମାଛ ବେପାର ୧.୨କୋଟି ଟଙ୍କାର ହୋଇଥିଲା। କିନ୍ତୁ ଚିକେନ ମାତ୍ର ୭. ୫ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିଲା। ଶୁକ୍ରବାର କୁକୁଡ଼ା ମାତ୍ର ୩ରୁ ୪ ଗାଡ଼ି ଆସିଥିବା ବେଳେ ୧୦ ଗାଡ଼ି ମାଛ ଆସିଥିଲା। ଏହି ଦୁଇ ଆମିଷ ବାରରେ ଆନ୍ଧ୍ରା ମାଛର ବହୁତ ଚାହିଦା ରହିଥିଲା। କିନ୍ତୁ ଆଜି(ରବିବାର) ଏହି ପରିମାଣ ୫ ଗାଡ଼ିକୁ କମି ଆସିଥିଲା। ଆନ୍ଧ୍ରା ମାଛ ତୁଳନାରେ ଦେଶୀ ମାଛର ଚାହିଦା ବଢ଼ିଥିଲା। ବ୍ରହ୍ମପୁର, ଏରସମା, ପାରାଦୀପରୁ ଆସୁଥିବା ଜୀଅନ୍ତା ମାଛ ଆଜି ୨୦ରୁ ୨୫ ଗାଡ଼ି (୧୫୦ କୁଇଣ୍ଟାଲ) ବିକ୍ରି ହୋଇଥିଲା। ଉପରୋକ୍ତ ଦୁଇ ଆମିଶ ବାରରେ ମଟନ ୭୨ ଲକ୍ଷରୁ ୭୩ ଲକ୍ଷ ଟଙ୍କାର ବିକ୍ରି ହୋଇଥିବା ବେଳେ ଆଜି ୮୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି।
ଏ ନେଇ ଆମିଷ ବ୍ୟବସାୟୀ ସଂଘ ସଭାପତି ସେଖ୍ ମୁନ୍ତାକିମ ବକ୍ସ କହିଛନ୍ତି, ବାର୍ଡ ଫ୍ଲୁ ଯୋଗୁଁ ରାଜଧାନୀରେ ଥିବା ୧୫୦୦ କୁକୁଡ଼ା ବେପାରୀ କ୍ଷତିଗ୍ରସ୍ତ ହୋଇଛନ୍ତି। କେବଳ କୁକୁଡ଼ା ମାଂସରେ ପ୍ରସ୍ତୁତ ଖାଦ୍ୟ ବିକ୍ରି କରି ପେଟ ପୋଷୁଥିବା ହଜାରରୁ ଊର୍ଦ୍ଧ୍ବ ଫାଷ୍ଟଫୁଡ୍ବ୍ୟବସାୟୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ଆଗକୁ ଏହି ବ୍ୟବସାୟ ଆହୁରି ପ୍ରଭାବିତ ହେବାକୁ ଯାଉଛି।