ଦେଶ ବିଦେଶ

ଜୋ ବାଇଡେନଙ୍କ ପ୍ରଥମ ଭାରତ ଗସ୍ତ: ଭାରତର ଜି-୨୦ ଅଧ୍ୟକ୍ଷତାକୁ ଭୂୟସୀ ପ୍ରଶଂସା – Utkal Mail


ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ ତାଙ୍କର ପ୍ରଥମ ଭାରତ ଗସ୍ତରେ ଅଛନ୍ତି। ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ବାଇଡେନ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ପହଞ୍ଚିବା ପରେ ବିମାନ ବନ୍ଦରରୁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନକୁ ଯାଇଥିଲେ ଏବଂ ସେଠାରେ ଦୁଇ ନେତା ୧ ଘଣ୍ଟାରୁ ଅଧିକ ସମୟ ଧରି ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ଦିଲ୍ଲୀର‌ ୭ ଲୋକ କଲ୍ୟାଣ ମାର୍ଗରେ ଆଜି ମୋଦୀ ଏବଂ ବାଇଡେନ୍‌ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ଭାରତର ଜି-୨୦ ଅଧ୍ୟକ୍ଷତାକୁ ବାଇଡେନ ଭୂୟସୀ ପ୍ରଶଂସା କରିବା ସହ ବିଶ୍ବ କଲ୍ୟାଣ ଦିଗରେ ଏହା ନିର୍ଣ୍ଣାୟକ ହେବ ବୋଲି କହିଛନ୍ତି। ଦ୍ବିପାକ୍ଷିକ କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ୭ ଲୋକ କଲ୍ୟାଣ ମାର୍ଗକୁ ସ୍ବାଗତ କରି ଖୁବ୍‌ ଖୁସି ଅନୁଭବ କରୁଛି। ଆମ କଥାବାର୍ତ୍ତା ଫଳପ୍ରଦ ହୋଇଛି। ଆମେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛୁ। ୨ ଦେଶ ମଧ୍ୟରେ ସମ୍ପର୍କ ବିଶ୍ବ କଲ୍ୟାଣ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୋଦୀ କହିଛନ୍ତି। ଏହା ପୂର୍ବରୁ ପିଏମ୍‌ଓ ପକ୍ଷରୁ କୁହାଯାଇଥିଲା ଯେ ଉଭୟ ରାଷ୍ଟ୍ରନେତା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏବଂ ଏହାଦ୍ବାରା ଭାରତ-ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ଅଧିକ ସୁଦୃଢ଼ ହେବ। ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ନେଇ ଆମେରିକାର ସମର୍ଥନ, ମହାକାଶ କାର୍ଯ୍ୟକ୍ରମରେ ଉଭୟ ଦେଶ ମିଳିତ ଭାବେ କାମ କରିବା, ରଣନୀତିକ ସଂପର୍କକୁ ଅଧିକ ବ୍ୟାପକ କରିବା ଆଦି ପ୍ରସଙ୍ଗରେ ଉଭୟ ନେତା ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି।

ବାଇଡେନ ଆଜି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ବ‌ାଇଡେନଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ। ବାଇଡେନଙ୍କ ସ୍ବାଗତକୁ ଅତ୍ୟନ୍ତ ସ୍ବତନ୍ତ୍ର କରାଯାଇଥିଲା। ଗାୟକ ଇଡି ଶେରାନଙ୍କ ଲୋକପ୍ରୀୟ ସଂଗୀତ ‘ ସେପ୍‌ ଅଫ୍‌ ୟୁ’ର ତାଳେତାଳେ କିଛି କଳାକାର ନାଚିବା ସହ ବାଇଡେନଙ୍କୁ ସ୍ବାଗତ କରିଥିଲେ। ବୈଠକରେ ଆମେରିକାର ଟ୍ରେଜରି ସଚିବ ଜାନେତ ୟେଲ୍ଲେନ, ବିଦେଶ ସଚିବ ଆନ୍ଥୋନି ବ୍ଲିଙ୍କେନ ଏବଂ ଆମେରିକା ଏନ୍‌ଏସ୍‌ଏ ଜ୍ୟାକ୍‌ ସୁଲିଭାନ ଉପସ୍ଥିତ ଥିବାବେଳେ ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଏନଏସଏ ଅଜିତ ଡୋଭଲ ମଧ୍ୟ ବୈଠକରେ ଉପସ୍ଥିତ ଥ‌ିଲେ। ମୋଦୀ ଆଜି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସହ ମଧ୍ୟ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି ଏବଂ ଉଭୟଙ୍କ ମଧ୍ୟରେ ଫଳପ୍ରଦ କଥାବାର୍ତ୍ତା ହୋଇଥିବା ମୋଦୀ କହିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button