କେବଳ ଜେନେରିକ ଔଷଧ ଲେଖିବାକୁ ଡାକ୍ତରଙ୍କୁ ଦିଆଯାଇଥିବା ନିର୍ଦ୍ଦେଶନାମା ସ୍ଥଗିତ – Utkal Mail
ନୂଆଦିଲ୍ଲୀ: ଜେନେରିକ୍ ଔଷଧ ବ୍ୟତୀତ ଅନ୍ୟ ବ୍ରାଣ୍ଡର ଦାମୀ ଔଷଧ ନଲେଖିବା ପାଇଁ ଡାକ୍ତରମାନଙ୍କୁ ବାରଣ କରି ନ୍ୟାସନାଲ ମେଡିକାଲ କମିସନ (ଏନଏମସି) ଜାରି କରିଥିବା ଆଦେଶକୁ ସ୍ଥଗିତ ରଖାଯାଇଛି। ଇଣ୍ଡିଆନ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ଏବଂ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ସାକ୍ଷାତ କରି ଆପତ୍ତି ଜଣାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ନ୍ୟାସନାଲ ମେଡିକାଲ କମିସନଙ୍କ ପଞ୍ଜିକୃତ ମେଡିକାଲ ପ୍ରକ୍ଟିସନର (ଡାକ୍ତରୀ ବୃତ୍ତି) ନିୟମାବଳୀ, ୨୦୨୩ ଅନୁସାରେ ଡାକ୍ତରଙ୍କ ପାଇଁ ଜେନେରିକ ଔଷଧର ପ୍ରେସକ୍ରିପସନ୍ ଳେଖିବା ବାଧ୍ୟତାମୂଳକ କରାଯିବା ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଯେହେତୁ ଜେନେରିକ ଔଷଧ ବ୍ରାଣ୍ଡେଡ୍ ଔଷଧ ତୁଳନାରେ ୩୦ରୁ ୮୦ ପ୍ରତିଶତ ଶସ୍ତା, ତେଣୁ ଏହି ନୂତନ ନିୟମ ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ ହ୍ରାସ କରିବ ବୋଲି ନିୟାମକ ସଂସ୍ଥା କହିଥିଲା।
ତେବେ, ଏନଏମସିର ଏହି ନିର୍ଦ୍ଦେଶ ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ଡାକ୍ତରମାନେ ଏହାକୁ ବିରୋଧ କରି ଆସୁଥିଲେ। ଭାରତରେ ଜେନେରିକ ଔଷଧର ଗୁଣବତ୍ତା ନିୟନ୍ତ୍ରଣ ଦୁର୍ବଳ ଏବଂ ଏଭଳି ନିୟମ ରୋଗୀଙ୍କୁ ବିପଦରେ ପକାଇବ ବୋଲି ଡାକ୍ତରମାନେ ଯୁକ୍ତି ବାଢ଼ିଥିଲେ।
ପୁଣି ସବୁ ଔଷଧର ଜେନେରିକ ବିକଳ୍ପ ଲେଖି ନଥିବା ପଞ୍ଜୀକୃତ ଡାକ୍ତରଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ଏପରି ସ୍ଥିତିରେ ଚିକିତ୍ସାକୁ ପ୍ରଭାବୀ କରିବା ଲାଗି ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିବାକୁ ଦାବି ହୋଇଆସୁଥିଲା।