ବର୍ତ୍ତମାନ ସୁଦ୍ଧା ୯୮ ପ୍ରତିଶତ ବିଦ୍ୟୁତ ଯୋଗାଣ ହୋଇଛି, ୩୦ ହଜାର ଲୋକ ଆଶ୍ରୟସ୍ଥଳୀରେ ଅଛନ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୭।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ପୁଣିଥରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମୁଦାୟ ୬୨୧୦ ଟି ଆଶ୍ରୟସ୍ଥଳରେ ୮ ଲକ୍ଷରୁ ଅଧିକ ଲୋକ ରହିଥିଲେ । କିନ୍ତୁ ବର୍ତ୍ତମାନ ପ୍ରାୟ ସମସ୍ତେ ନିଜନିଜ ଘରକୁ ଫେରିଗଲେଣି। ଯେଉଁ କେତୋଟି ଗ୍ରାମ ପଞ୍ଚାୟତରେ ପାଣି ଜମି ରହିଛି ସେଠିକାର ଲୋକମାନେ ଏବେବି ଆଶ୍ରୟସ୍ଥଳୀରେ ଅଛନ୍ତି ।
ମାତ୍ର ୩୦ ହଜାର ଲୋକ ୪୭୦ ଟି ଆଶ୍ରୟସ୍ଥଳୀରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୮ ପ୍ରତିଶତ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
୨୨ଲକ୍ଷ ୮୪ ହଜାର ଉପଭୋକ୍ତା ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୨ ଲକ୍ଷ ୩୨ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ସ୍ୱଭାବିକ କରାଯାଇଛି। କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅଳ୍ପ କେତୋଟି ଗ୍ରାମ ପଞ୍ଚାୟତ ଏବେବି ଜଳମଗ୍ନ ଅଛି । ତାହା ସତ୍ତ୍ୱେ ବି ବିଦ୍ୟୁତ୍ ଯୋଗାଣ କାର୍ଯ୍ୟ ଚାଲିଛି । ପାଣି କମିବା ପରେ ବିଦ୍ୟୁତ୍ ଯୋଗାଣ ଶତପ୍ରତିଶତ ସ୍ୱାଭାବିକ ହୋଇଯିବ । ୭ ହଜାରରୁ ଅଧିକ କର୍ମଚାରୀ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ନିୟୋଜିତ ଅଛନ୍ତି ।
ପ୍ରାରମ୍ଭିକ ଆକଳନରୁ ଜଣାଯଇଛି ଯେ, କୃଷି କ୍ଷେତ୍ରରେ କେନ୍ଦ୍ରାପଡା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ୧୨ ଟି ବ୍ଲକ୍ ର ୮୮୦ ଟି ଗ୍ରାମ ପଞ୍ଚାୟତ ଓ ୪୧୦୦ ଟି ଗ୍ରାମରେ ପ୍ରାୟ ୨ ଲକ୍ଷ ୨୧ ହଜାର ୮୦୦ ଏକର ଚାଷ ଜମିରେ ଫସଲ କ୍ଷତି ହୋଇଛି । ପ୍ରକୃତ ରିପୋର୍ଟ ଆସିବା ପରେ ସହାୟତା ପ୍ରଦାନ କରାଯିବ ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୩୫ ଟି ଡାକ୍ତରୀ ଦଳ ନିୟୋଜିତ ହୋଇଥିଲେ । ସମୁଦାୟ ୪୮୭୧ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଓ ମା’ ଗୃହକୁ ଅଣାଯାଇଥିଲା। ସେଠାରେ ଏହି ସମୟରେ ୨୫୨୯ ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି ।
ରାସ୍ତାଗୁଡିକରୁ ପ୍ରାୟସବୁ ଅବରୋଧ ହଟିସାରିଛି । ବର୍ତ୍ତମାନ ଗମନାଗମନରେ କୌଣସି ଅସୁବିଧା ନାହିଁ । ବୁଢାବଳଙ୍ଗ ନଦୀ ପୂର୍ବରୁ ବିପଦ ସଂକେତ ଉପରେ ଥିଲା କିନ୍ତୁ ବର୍ତ୍ତମାନ ଜଳସ୍ତର ହ୍ରାସ ପାଇଛି । ବର୍ତ୍ତମାନ ଏହା ବିପଦ ସଂକେତ ତଳେ ଅଛି। ବିପଦ ସ୍ତର ୮.୧୩ ମିଟର ଥିବା ବେଲେ ବର୍ତ୍ତମାନ ଜଳସ୍ତର ୭.୨୦ ମିଟର ଅଛି ।
ପ୍ରଭାବିତ ଅଞ୍ଚଳର ମ୍ୟୁନିସପାଲଟି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଣପ୍ରଭାବିତ ଅଞ୍ଚଳରୁ ସଫେଇ କର୍ମଚାରୀ ଆଣି ରାସ୍ତାଘାଟ ପରିଷ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଜାଗାରେ ଲୋକଙ୍କ ଘରେ ବାତ୍ୟା ଦ୍ୱାରା ଗଛ ଭାଙ୍ଗି ପଡିଥିବାରୁ ଅଗ୍ନିଶମ ବିଭାଗକୁ ପ୍ରାୟ ୬ ହଜାର ଫୋନ୍ କଲ୍ ଆସିଥିଲା । ଏହା ଉପରେ ଅଗ୍ନିଶମ ବାହିନୀ ତୁରନ୍ତ ପଦକ୍ଷେପ ନିଆଯାଇଛି ।
ଭାରତ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରୁଛି । ବାତ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ପରିମାଣର NDRF ଟିମ୍ ପଠାଇଥିଲେ । ଲୋକଙ୍କ ଜୀବନ ବଞ୍ଚାଇବାରେ ସେମାନଙ୍କ ଭୂମିକା ଖୁବ୍ ସହାୟକ ହୋଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି । ଜିରୋ କାଜୁଆଲଟି ଲକ୍ଷ୍ୟ ଆମେ ହାସଲ କରିଛୁ । ସେଥିପାଇଁ ଜିଲ୍ଲାପାଳ ଏବଂ ସବୁ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଉଛି । ବିଶେଷ କରି କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ଧନ୍ୟବାଦ ଜଣାଉଛି ବୋଲି କହିଥିଲେ।
ବାତ୍ୟା ଓ ତତ୍ ଜନିତ ବର୍ଷା ଯୋଗୁଁ ଯେଉଁ ସବୁ ଅଞ୍ଚଳରେ ପାଣି ଜମିଥିଲା, ତାହା ପ୍ରାୟ କମିଆସିଲାଣି, ଆଉ ଅଳ୍ପ କିଛି ସ୍ଥାନରେ ପାଣି ଅଛି । ନଭେମ୍ବର ୨ ତାରିଖ ମଧ୍ୟରେ ସବୁ ବିଭାଗ ତାଙ୍କର କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି । ଏହା ଦ୍ୱାରା କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଜନସାଧାରଣ ଖୁବଶୀଘ୍ର ସହାୟତା ରାଶି ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଯାଇଥିଲେ । ପାରାଦ୍ୱୀପ, ମହାକାଳପଡା, ରାଜନଗର, ରାଜକନିକା, ଓ ଚାନ୍ଦବାଲି ପ୍ରଭୃତି ଅଞ୍ଚଳର ପରିସ୍ଥିତି ଅନୁଧ୍ୟାନ କରିଥିଲେ ।