ଦିଲ୍ଲୀପ କୁମାର ସାମନ୍ତରାୟଙ୍କ “ଓଡ଼ିଶା : ଦି ରେଲୱେ ଷ୍ଟୋରୀ’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର – ଓଡ଼ିଶାର ରେଳ ଇତିହାସ ଉପରେ ଲିଖିତ ପୁସ୍ତକ “ଓଡ଼ିଶା : ଦି ରେଲୱେ ଷ୍ଟୋରୀ’ ପୁସ୍ତକ ଆଜି ଜୟଦେବ ଭବନ ଠାରେ ଏକ ମନୋଜ୍ଞ ପରିବେଶରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉନ୍ମୋଚିତ କରିଛନ୍ତି । ପୂର୍ବ ତଟ ରେଳପଥର ଅବସରପ୍ରାପ୍ତ ଅର୍ଥନୀତିକ ପରାମର୍ଶଦାତା ଓ ମୁଖ୍ୟ ଆକାଉସ୍ ଅଧିକାରୀ ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକକୁ ପାଠକାର୍ପଣ କରି ମହାମହିମ ରାଜ୍ୟପାଳ କହିଲେ “”ରେଳ ଯାତ୍ରା କେବଳ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା ନୁହେଁ, ଏହା ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏକ ଜାତୀୟ ସଂହତିର ପ୍ରତୀକ । ରେଳ ଦେଶର ଆତ୍ମାକୁ ପ୍ରତିନିଧିତ୍ୱ କରେ । ଯାତ୍ରୀମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହେବା ସହ ଜ୍ଞାନର ବିକାଶ ହୋଇଥାଏ ।” “ଓଡ଼ିଶା : ଦି ରେଲୱେ ଷ୍ଟୋରୀ’ ପୁସ୍ତକରେ ଭାରତୀୟମାନେ ଜାତିଭେଦକୁ ଗୁରୁତ୍ୱ ନଦେଇ ମାନବଜାତିକୁ ଗୁରୁତ୍ୱ ଦେଇଥିଲେ ବୋଲି ଆଲୋଚିତ ହୋଇଛି । ମହାମହିମ ରାଜ୍ୟପାଳ କହିଲେ “”ରେଳ କୋଚଗୁଡ଼ିକୁ ମହାପୁରୁଷମାନଙ୍କ ନାମରେ ନାମିତ କଲେ ଆମ ଭିତରେ ଜାତୀୟତା ବୋଧ ସୃଷ୍ଟି ହେବ ।”
ଏହି ଉତ୍ସବରେ ସମ୍ମାନନୀୟ ଅତିଥିଭାବେ ଯୋଗଦାନ କରି ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କହିଲେ “”ଓଡ଼ିଶାରେ ରେଳ ଭିିଭୂମିର ବିକାଶ ଦିଗରେ ଭାରତୀୟ ରେଳପଥ ଉଦ୍ୟମ ଜାରି ରଖିଛି । ଓଡ଼ିଶା ପଛୁଆ ଅଳକୁ ରେଳ ସଂଯୋଗୀକରଣ ନିମନ୍ତେ ପୂର୍ବ ତଟ ରେଳପଥ ଅବିରାମ ପ୍ରଚେଷ୍ଟା କରୁଛି । ଶ୍ରୀ ଶ୍ରୀବାସ୍ତବ ଆହୁରି କହିଲେ “” ଏହି ପୁସ୍ତକ ଓଡ଼ିଶାରେ ରେଳ ଭିିଭୂମିର ବିକାଶ ଏବଂ ସ୍ୱାଧିନତା ପରଠାରୁ ସେମାନଙ୍କ କାର୍ଯ୍ୟକାରିତା ସମ୍ବନ୍ଧୀୟ ଆହ୍ୱାନ ଗୁଡ଼ିକର ବିସ୍ତୃତ ବିବରଣୀ ପ୍ରଦାନ କରିଛି । ଏପରିକି ପୂର୍ବ ତଟ ରେଳପଥ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବା ଯାତ୍ରାର କାହାଣୀକୁ ବର୍ଣ୍ଣନା କରିଛି ।”
ଅନ୍ୟତମ ସମ୍ମାନନୀୟ ଅତିଥିଭାବେ ଯୋଗଦାନ କରି ରେଳ ମନ୍ତ୍ରଣାଳୟର ଅବସରପ୍ରାପ୍ତ ଅର୍ଥନୀତିକ ଆୟୁକ୍ତ ସଞ୍ଜୟ କୁମାର ମୁଖାର୍ଜୀ କହିଲେ “” ଏହି ପୁସ୍ତକରେ କେବଳ ରେଳ ଭିିଭୂମି ବୃଦ୍ଧିର କାହାଣୀ ପ୍ରକାଶିତ ହୋଇନି ବରଂ ଏଥିରେ ଦେଶର ସାମାଜିକ ଓ ଅର୍ଥନୀତିକ ବ୍ୟବସ୍ଥା ଉପରେ ମଧ୍ୟ ଚିତ୍ରିତ କରାଯାଇଛି ।”
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ପରିବହନ ଓ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଆ.ଟି. ଓ ଇଲେକ୍ଟ୍ରୋନିକ୍ ବିଭାଗର ଶାସନ ସଚିବ ମନୋଜ କୁମାର ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ନିର୍ଦ୍ଦେଶକ, ଦୂରଶିକ୍ଷା ପ୍ରଫେସର ଡ. ଏସ୍.ଆର୍. ପାଣି ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି ବହିର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଓଡ଼ିଶାରେ ରେଳ ବିକାଶ ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ ।
ପୁସ୍ତକର ଲେଖକ ଦିଲ୍ଲୀପ କୁମାର ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପୁସ୍ତକ ପ୍ରକାଶନରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସମ୍ବିତ ରାୟ ଚୌଧୁରୀ, ପୂର୍ବ ତଟ ରେଳପଥର ବରିଷ୍ଠ ଜନ ସଂପର୍କ ଅଧିକାରୀ କବି ନିରାକାର ଦାସ, ବିଷ୍ଣୁ ମୋହନ ଅଧିକାରୀ ଓ ପୁସ୍ତକ ପ୍ରକାଶକ ଚିରଞ୍ଜନ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।