ମହିଳା ସମାନତା ଦିବସ ଆଜି – Utkal Mail
୧୯୨୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ସଂବିଧାନରେ ଊନବିଂଶତମ ସଂଶୋଧନ କରି ମହିଳାଙ୍କୁ ମତଦାନର ଅଧିକାର ପ୍ରଦାନ କରାଯାଇଥିଲା। ଏଥି ସହିତ ନାରୀ ଅଧିକାର ଓ ଲିଙ୍ଗ ସମାନତାର ସଂଘର୍ଷର ଏକ ଐତିହାସିକ ମାଇଲ୍ଖୁଣ୍ଟ ସ୍ଥାପିତ ହୋଇଥିଲା। ଏହି ଘଟଣାର ୫୦ ବର୍ଷ ପୂର୍ତ୍ତି ଅବସରରେ ଆମେରିକାରେ ସମାନତା ସମର୍ଥନରେ ଏକ ଜାତୀୟ ବନ୍ଦ ପାଳନ କରାଯାଇଥିଲା। ଏହି ଅବସରରେ ମହିଳାଙ୍କ ମତଦାନ ଅଧିକାର ହାସଲର ଦିନକୁ ସ୍ମରଣୀୟ କରିବା ପାଇଁ ଅଗଷ୍ଟ ୨୬ରେ ମହିଳା ସମାନତା ଦିବସ ପାଳନ ଲାଗି ନିଷ୍ପତ୍ତି ନିଆଯାଇଥିଲା।
୧୯୭୩ରେ ଆମେରିକାରେ ପ୍ରଥମ ମହିଳା ସମାନତା ଦିବସ ପାଳିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ସ୍ବିଡେନ୍ ହେଉଛି ପ୍ରଥମ ଇଉରୋପୀୟ ଦେଶ ଯେଉଁଠି ମହିଳାମାନଙ୍କୁ ଭୋଟ୍ ଦେବା ଅଧିକାର ମିଳିଥିଲା। ଇ˚ଲଣ୍ତ, ଫ୍ରାନ୍ସ, ଅଷ୍ଟ୍ରିଆ, ଜର୍ମାନି, ସ୍ପେନ୍, ରୁଷିଆ, ନେଦର୍ଲାଣ୍ତ, ସ୍ବିଜର୍ଲାଣ୍ତ ଆଦି ଅଧିକା˚ଶ ବିକଶିତ ରାଷ୍ଟ୍ରରେ ବି˚ଶ ଶତାବ୍ଦୀର ପ୍ରଥମ ଭାଗରେ ଯାଇ ମହିଳାଙ୍କୁ ଭୋଟ୍ ଅଧିକାର ମିଳିଥିଲା। ଲିଙ୍ଗ ସମାନତା ଓ ନାରୀ ଅଧିକାର କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ସ୍ମରଣ କରିବା ଏବଂ ମହିଳାମାନେ କାର୍ଯ୍ୟକ୍ଷେତ୍ର, ଶିକ୍ଷାନୁଷ୍ଠାନ, ରାଜନୀତି ଓ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ଉତ୍ଥାପନ କରିବା ଲାଗି ଏହି ଦିବସ ଏକ ଉତ୍କୃଷ୍ଟ ଅବସର।



